ନୂଆଦିଲ୍ଲୀ: ୧୨ଦିନର ନିରବତା ପରେ ଇରାନର ବିଜୟ ନେଇ ଭିଡିଓ ଜାରି କଲେ ସୁପ୍ରିମ ଲିଡର ଅଲୀ ଖୋମେନେଇ । ତେବେ ୮୬ବର୍ଷୀୟ ଖୋମେନେଇଙ୍କ ନା ସ୍ବରରେ ପୂର୍ବଭଳି ଦମ୍ଭ ଥିଲା ନା ଭାଷଣରେ ଥିଲା ଆଗ ପରି ଜୋଶ୍ । ଯୁଦ୍ଧ ପୂର୍ବରୁ ଯେବେବି ଖୋମେନେଇ ଜନତାଙ୍କୁ ସମ୍ବୋଧନ କରୁଥିଲେ, ସାମନାରେ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ଭିଡ଼ ରହୁଥିଲା । ହେଲେ ଏଥର ଟିଭିରେ ସମ୍ବୋଧନ କରିବା ସମୟରେ ସେଭଳି ପ୍ରଭାବ ପକାଇବାରେ ବିଫଳ ହୋଇଥିଲେ ଖୋମେନେଇ । ବ୍ୟାକଗ୍ରାଉଣ୍ଡରେ ସାଧାରଣ ପରଦା ଥିବା ବେଳେ ପଛରେ ଲଟକିଥିଲା ଅୟାତୁଲ୍ଲା ଖୁମୈନୀଙ୍କ ଫଟୋ । ଖୋମେନେଇଙ୍କ ଭିନ୍ନ ରୂପ ଦେଖିବାକୁ ମିଳିଥିବା ବେଳେ ପ୍ରଶ୍ନ ଉଠୁଛି, କମୁଛି କି ଖୋମେନେଇଙ୍କ ପ୍ରଭାବ?
କ୍ଷମତା ଉପରେ ଦୁର୍ବଳ ହେଉଛି କି ପକଡ?
ଇସ୍ରାଏଲ୍ ଆକ୍ରମଣ ଭୟରେ ଏବେବି ଲୁଚି ଥାଇପାରନ୍ତି ଖୋମେନେଇ । କାରଣ ଇସ୍ରାଏଲ୍ ତାଙ୍କୁ ହତ୍ୟା ଉଦ୍ୟମ ସମ୍ଭାବନାକୁ ଏଡାଇନାହିଁ। ଏପରିକି ସୁଯୋଗ ମିଳିଥିଲେ ଯୁଦ୍ଧ ସମୟରେ ସେନା ଖୋମେନେଇଙ୍କୁ ଛାଡିନଥାନ୍ତା ବୋଲି ଇସ୍ରାଏଲୀ ପ୍ରତିରକ୍ଷା ମନ୍ତ୍ରୀ ଇଜରାଏଲ୍ କାଟଜ କହିଥିଲେ । ଇସ୍ରାଏଲ ସହ ଯୁଦ୍ଧ ପରେ ପୁଣି ସକ୍ରିୟ ହେବାକୁ ଉଦ୍ୟମ କରୁଛନ୍ତି ଖୋମେନେଇ । ତେବେ ସାଢେ ତିନି ଦଶକର ଶାସନରେ ନିଜ ପ୍ରଭୁତା ବଜାୟ ରଖିବା ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡୁଛି । ଗତ କିଛି ବର୍ଷ ହେଲା ଇରାନ ଓ ମଧ୍ୟ ଏସିଆରେ ଖୋମେନେଇଙ୍କ ପକଡ ଦୁର୍ବଳ ହେଉଥିବା ଦେଖିବାକୁ ମିଳିଛି ।
କମୁଛି ଖୋମେନେଇଙ୍କ ପ୍ରଭାବ !
ଇସ୍ରାଏଲ୍ ସହ ସଂଘର୍ଷରେ ତେହେରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହମାସ ଓ ହିଜବୁଲ୍ଲାହର ଲଗାତର ପତନ ହେଉଛି । ସିରିଆରେ ଇରାନର ସହଯୋଗୀ ବଶର-ଅଲ୍-ଅସଦଙ୍କ କ୍ଷମତା ଚାଲିଯାଇଛି । ସେପଟେ ଇରାନରେ ଆର୍ଥିକ ସଂକଟ ଦେଖାଦେଇଛି । ଖୋମେନେଇଙ୍କ ସ୍ଥିତି ସୁରକ୍ଷିତ ରହିଛି । କାରଣ ଏବେ ତାଙ୍କ ଶାସନକୁ କୌଣସି ସିଧାସଲଖ ଚ୍ୟାଲେଞ୍ଜ ମିଳିବନି। ତେବେ ଖୋମେନେଇ ତାଙ୍କର ବିଶ୍ବାସନୀୟତା ହରାଇଛନ୍ତି ଓ ଇରାନର ବଡ଼ କ୍ଷତି ପାଇଁ ସେ ଦାୟୀ ବୋଲି ଓଟାଓ୍ବା ବିଶ୍ବବିଦ୍ୟାଳୟର ପ୍ରଫେସର ଥାମସ ଜୁନୋ କହିଛନ୍ତି । ୧୯୮୧ରେ ଖୋମେନେଇଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ଏଥିରେ ତାଙ୍କର ଡାହାଣ ପଟ ବାହୁ ପାରାଲିସିସ ହୋଇଯାଇଥିଲା । ଏହାପରେ ବି ଇରାନରେ କେବେ ଉତ୍ତରାଧିକାରୀ ଚର୍ଚ୍ଚା ହୋଇନି । ତେବେ ଆଗକୁ ଉତ୍ତରାଧିକାରୀ ଲଢେଇ ଜୋରଦାର ହୋଇପାରେ ବୋଲି ବିଶେଷଜ୍ଞ କହିଛନ୍ତି ।
କ୍ଷମତାରୁ ସାଇଡଲାଇନ୍ ଖୋମେନେଇ !
ଇସ୍ରାଏଲ୍ ସହ ଯୁଦ୍ଧ ସମୟରେ ବଙ୍କରରେ ଥିଲେ ଖୋମେନେଇ । ଏପରିକି ସେ ସଂପୂର୍ଣ୍ଣ ଭାବେ ଡିଜିଟାଲ କମ୍ୟୁନିକେସନ୍ ଛାଡି ଦେଇଥିବା କୁହାଯାଇଥିଲା । କାରଣ ଟ୍ରାକ ହେବାର ବିପଦ ଥିଲା । କୌଣସି ପ୍ରକାର ଡିଜିଟାଲ୍ ଯୋଗାଯୋଗ କରିଥିଲେ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାନ୍ତା । ତେଣୁ ଯେଉଁ ଆଲୋଚନା ମାଧ୍ୟମରେ ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଯୁଦ୍ଧ ବିରତି ହେଲା, ସେଥିରେ ଖୋମେନେଇ ସାମିଲ ନଥିବା କୁହାଯାଉଛି । ଇରାନର ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଓ ରାଷ୍ଟ୍ରପତି ମସୁଦ ପେଜେସକିଆନ ଆଲୋଚନାରେ ଭାଗ ନେଇଥିବା ଚର୍ଚ୍ଚା ହେଉଛି । ସେହିପରି ନିକଟରେ ଆସିଥିବା ଭିଡିଓରେ ଖୋମେନେଇ ଦୁର୍ବଳ ଓ କ୍ଲାନ୍ତ ନଜର ଆସୁଥିବା ଆମେରିକାସ୍ଥିତ ୟୁନାଇଟେଡ୍ ଏଗେନଷ୍ଟ ନ୍ୟୁକ୍ଲିୟାର ଇରାନର ନୀତି ନିର୍ଦ୍ଦେଶକ ଜେସନ ବ୍ରଡସ୍କି କହିଛନ୍ତି । ସେ ବାସ୍ତବ ଦୁନିଆରୁ ଅଲଗା ରହିଥିବା ଭଳି ମନେ ହେଉଥିଲେ । କାରଣ ସେ ଆମେରିକା ଆକ୍ରମଣରେ ଇରାନର ପରମାଣୁ କାର୍ଯ୍ୟକ୍ରମରେ କୌଣସି ଗୁରୁତ୍ବପୂର୍ଣ୍ଣ କ୍ଷତି ହୋଇନଥିବା ଜୋର ଦେଇ କହିଥିଲେ । ତେବେ ଇସ୍ରାଏଲ୍ ସହ ଯୁଦ୍ଧ ପରେ ଦେଶର ବ୍ୟବସ୍ଥା ଓ କ୍ଷମତାର ପୁନର୍ନିମାଣ କେମିତି କରାଯିବ, ସେନେଇ ମାନସମନ୍ଥନ ହୋଇପାରେ ବୋଲି ଜେସନ ବ୍ରଡସ୍କି କହିଛନ୍ତି ।
Comments are closed.