ପାଟନା: ବିହାରର ପାଟନାରେ ଖାନ ସାରଙ୍କ କୋଚିଂ ସେଣ୍ଟର ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣ ସାରା ବିହାରରେ ଆତଙ୍କ ସୃଷ୍ଟି କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟର ବାହାରେ ଗୁଳି ଚାଳନା କରାଯାଇଥିଲା ଏବଂ ସୁରକ୍ଷା ଗାର୍ଡଙ୍କୁ ମାଡ଼ ମରାଯାଇଛି। କିନ୍ତୁ ପୋଲିସ କୌଣସି ଗୁଳି ଚାଳନାକୁ ଅସ୍ବୀକାର କରିଛି। ଅନ୍ୟପଟେ କୋଚିଂ ସେଣ୍ଟର ବାହାରେ ଘଟିଥିବା ହିଂସାକାଣ୍ଡ ସହିତ ଜଡିତ ଏହି ବଡ଼ ଘଟଣାରେ, ପୋଲିସ ଜ୍ଞାନ ବିନ୍ଦୁ କୋଚିଂ ନିର୍ଦ୍ଦେଶକ ରୋଶନ ଆନନ୍ଦ ଓ ତାଙ୍କର ଦୁଇ ସହଯୋଗୀ, ଅଭିଷେକ ଏବଂ ଗୌରବଙ୍କୁ ଗିରଫ କରିଛି। ତିନି ଜଣଙ୍କୁ ପଚରାଉଚରା କରାଯାଉଛି। ଟାଉନ୍ ଏସଡିପିଓ-୧ ରାଜେଶ ରଞ୍ଜନ ଗିରଫଦାରୀଗୁଡ଼ିକୁ ନିଶ୍ଚିତ କରିଛନ୍ତି। କୋଚିଂ ସେଣ୍ଟରରେ ହୋଇଥିବା ଭଙ୍ଗାରୁଜାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି।
ସିସିଟିଭି ଫୁଟେଜରେ ଲୋକମାନେ ଗାର୍ଡଙ୍କୁ ଆକ୍ରମଣ କରୁଥିବା ଏବଂ ପୋଷ୍ଟର ଏବଂ ହୋର୍ଡିଂ ଚିରି ଦେଉଥିବାର ଦେଖାଯାଇଛି। ପୋଲିସ ତଦନ୍ତରେ ଜ୍ଞାନ ବିନ୍ଦୁ କୋଚିଂ କର୍ମଚାରୀଙ୍କ ସମ୍ପୃକ୍ତି ଜଣାପଡ଼ିଛି। ଏହା ପରେ, ନିର୍ଦ୍ଦେଶକଙ୍କୁ ତାଙ୍କର ଦୁଇ ସହଯୋଗୀଙ୍କ ସହିତ ଗିରଫ କରାଯାଇଛି।
ଘଟଣାକୁ ନେଇ ଖାନ ସାର୍ କହିଛନ୍ତି, ପୋଲିସ ତଦନ୍ତ ଚାଲିଛି ଏବଂ ତା’ପରେ ହିଁ ଆମେ ଜାଣିପାରିବୁ। ସୁରକ୍ଷା କର୍ମୀଙ୍କୁ ଟାଣି ନେଇ ଗୁରୁତର ଭାବରେ ମାଡ଼ କରାଯାଇଥିଲା। ତାଙ୍କୁ ଗୁରୁତର ଆଘାତ ଲାଗିଛି। ଟାର୍ଗେଟ କିଏ ଥିଲା ମୁଁ ଜାଣିନାହିଁ, କିନ୍ତୁ ଗାର୍ଡଙ୍କୁ ପ୍ରବଳ ମାଡ଼ ଦିଆଯାଇଥିଲା। ମୋର ଧ୍ୟାନ କେଳବ ଗରିବ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉପରେ ଅଛି।
ଏହି ଆକ୍ରମଣ ପଛରେ କିଏ ଥାଇପାରେ ବୋଲି ପଚରାଯିବାରୁ ସେ କହିଥିଲେ ଯେ, ସମସ୍ତେ ଜାଣନ୍ତି ଏହା କିଏ ହୋଇପାରେ। ପାଖରେ ଥିବା କୋଚିଂ ସେଣ୍ଟର। ଦୁଇ ଦିନ ମଧ୍ୟରେ ଖାନ ସାର୍ଙ୍କ କୋଚିଂ ସେଣ୍ଟରକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ଏହି ଲୋକଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଏତେ କମ ଫିସରେ ଶିକ୍ଷା ଯୋଗାଇ ଦିଆଯିବା ଉଚିତ୍ ନୁହେଁ।
Comments are closed.