Latest Odisha News

ବିଜେପିରୁ ଖାରବେଳ ସ୍ୱାଇଁ ବହିଷ୍କୃତ, ସମୀର ଦାଶ ହେଲେ ରାଜ୍ୟ ବିଜେପି ମୁଖପାତ୍ର

ଭୁବନେଶ୍ୱର: ବାଲେଶ୍ୱରରୁ ସ୍ବାଧୀନ ଭାବେ ସାଂସଦ ପ୍ରାର୍ଥୀ ହୋଇଥିବା ଖାରବେଳ ସ୍ୱାଇଁଙ୍କୁ ବିଜେପି ଆଜି ବହିଷ୍କାର କରିଛି। ଦଳ ବିରୋଧୀ କାମ ପାଇଁ ବହିଷ୍କାର କରିଛି ଦଳ। ସେ ବାଲେଶ୍ୱର ଲୋକସଭା ଆସନ ପାଇଁ ଟିକେଟ୍ ଚାହୁଁଥିଲେ ଦଳ କିନ୍ତୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ରିପିଟ୍ କରିଛି ପ୍ରାର୍ଥୀ ଭାବେ। ଏହାପରେ ସେ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ଏହାପରେ ଦଳ ଏଭଳି ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଏହାବଦ ରେମୁଣାରୁ ବିଜୟ କୁମାର ସେଠୀ, ଜଳେଶ୍ୱରରୁ ଦିବ୍ୟକାମ ମହାନ୍ତି, ଉଦଳାରୁ କାଳୀ ଚରଣ ପାତ୍ର, କରଞ୍ଜିଆରୁ ଯୁଗଳ କିଶୋର ନାୟକ ଓ ବାରିରୁ କବୀର ଦାସ ବହିଷ୍କୃତ ହୋଇଛନ୍ତି।

ସେହିପରି ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ସମୀର ରଞ୍ଜନ ଦାଶ ଙ୍କୁ ଦଳର ରାଜ୍ୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି। ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଦଳର ମିଡିଆ ସେଲକୁ ଆହୁରି ସୁଦୃଢ଼ କରିବା ପାଇଁ ସମୀର ଦାଶ ଏବଂ ତପନ ଚାନ୍ଦଙ୍କୁ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି।

ସମୀର ଦାଶଙ୍କୁ ନିମାପଡ଼ା, କାକଟପୁର, ପିପିଲି ଓ ସତ୍ୟବାଦୀ ବିଧାନସଭା ଆସନ ପାଇଁ ବିଜେପିର ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ନିମାପଡ଼ାର ବର୍ତ୍ତମାନର ବିଧାୟକ ସମୀର ଦାଶ ବିଜୁ ଜନତା ଦଳରୁ ଇସ୍ତଫା ଦେବା ପରେ ରବିବାର ବିଜେପିରେ ଯୋଗ ଦେଇଛନ୍ତି। ୨୦୨୪ ନିର୍ବାଚନ ପାଇଁ ଶାସକ ଦଳ ପ୍ରାର୍ଥୀ ନ କରିବାରୁ ପୂର୍ବତନ ମନ୍ତ୍ରୀ ସମୀର ବିଜେଡି ଛାଡ଼ିଥିଲେ।

Comments are closed.