ଭୁବନେଶ୍ୱର: ଦି ଟାଇମ୍ସ ହାଇଅର ଏଜୁକେସନ୍ ଏସିଆ ୟୁନିଭର୍ସିଟି ରାଙ୍କିଂ ୨୦୨୩ରେ କିଟ୍ ବିଶ୍ୱବିଦ୍ୟାଳୟ ଯଥେଷ୍ଟ ଉତ୍କୃଷ୍ଟ ପ୍ରଦର୍ଶନ କରିପାରିଛି । ‘ଦି ଟାଇମ୍ସ ହାଇଅର ଏଜୁକେସନ୍’ ପକ୍ଷରୁ ଗୁରୁବାର ପ୍ରକାଶିତ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍ସିଟି ରାଙ୍କିଂରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ ୧୩ତମ ସ୍ଥାନରେ ରହିଥିବା ବେଳେ ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ୧୪୭ ତମ ସ୍ଥାନରେ ରହିଛି ।
କିଟ୍ ଉଲ୍ଲେଖନୀୟ ପ୍ରଦର୍ଶନ କରି ଆଇଆଇଏସ୍, ଆଇଆଇଟି ଓ ଆଇଆଇଆଇଟି ଭଳି ଦେଶର ଖ୍ୟାତି ସମ୍ପନ୍ନ ଉଚ୍ଚତର ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇ ପାରିଛି । ପୂର୍ବ ବର୍ଷ କିଟ୍ ଏସିଆ ରାଙ୍କିଂର ୨୦୧+ ସ୍ଥାନରେ ରହିଥିଲା । ଟାଇମ୍ସ ହାଇଅର ଏଜୁକେସନ୍ ପକ୍ଷରୁ ଶିକ୍ଷାଦାନ, ଗବେଷଣା, ଜ୍ଞାନର ଆଦାନ ପ୍ରଦାନ, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଆଦି ବିଭିନ୍ନ ମାନଦଣ୍ଡକୁ ନେଇ ବିଶ୍ୱବିଦ୍ୟାଳୟଗୁଡ଼ିକର ରାଙ୍କିଂ କରାଯାଇଛି ।
କିଟ୍ ବିଶ୍ୱବିଦ୍ୟାଳୟରେ ବ୍ୟାପକ କାର୍ଯ୍ୟକମ୍ର ସହ ୨ଶହରୁ ଊର୍ଦ୍ଧ୍ୱ ବିଭିନ୍ନ ପାଠ୍ୟକ୍ରମ ରହିଥିବା ବେଳେ ଏହାକୁ ବିଚାରକୁ ନେଲେ ଦେଶର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ ଯଥେଷ୍ଟ ଉନ୍ନତ ପ୍ରଦର୍ଶନ କରିଛି ।
ଟାଇମ୍ସ ହାଇଅର୍ ଏଜୁକେସନ୍ ପକ୍ଷରୁ ଗତ ୫୦ ବର୍ଷ ମଧ୍ୟରେ ପ୍ରତିଷ୍ଠିତ ଏସିଆର ଲବ୍ଧ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏହି ଚୟନ ପ୍ରକ୍ରିୟାରେ ସାମିଲ୍ କରାଯାଇଛି । ସୂଚନାଯୋଗ୍ୟ, କିଟ୍ ୨୫ ବର୍ଷର ଅନୁଷ୍ଠାନ ହୋଇଥିବା ବେଳେ ମାତ୍ର ୧୯ ବର୍ଷର ବିଶ୍ୱବିଦ୍ୟାଳୟ ଭାବେ ଉପରୋକ୍ତ ସମସ୍ତ ମାନଦଣ୍ଡକୁ ପୂରଣ କରି ସମଗ୍ର ଦେଶରେ ୧୩ତମ ଓ ଏସଆରେ ୧୪୭ତମ ସ୍ଥାନରେ ରହି ରାଜ୍ୟ ଓ ଦେଶରର ଗୌରବ ବୃଦ୍ଧି କରିପାରିଛି ।
ଏହି ସଫଳତା ପାଇଁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍ ଓ କିସର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ , ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଆଗାମୀ ଦିନରେ କିଟ୍ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଆଶା ପୋଷଣ କରିଛନ୍ତି ।
Comments are closed.