Latest Odisha News

BREAKING NEWS

ବିଦେଶୀ ଶିକ୍ଷାର୍ଥୀଙ୍କୁ ଆକୃଷ୍ଟ କରିବାରେ କିଟ୍‍ ଦେଶର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

ଭାରତରେ ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ଉପରେ ନିତି ଆୟୋଗ ରିପୋର୍ଟ

ଭୁବନେଶ୍ୱର: ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ବିଦେଶୀ ଛାତ୍ରଛାତ୍ରୀଙ୍କର ଏକ ପସନ୍ଦଯୋଗ୍ୟ ହବ୍‍ ରେ ପରିଣତ ହୋଇଛି। ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବୃତ୍ତିଗତ ପ୍ରତିଷ୍ଠାନଗୁଡ଼ିକରେ ବିଦେଶୀ ଶିକ୍ଷାର୍ଥୀଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି ବୋଲି ନିକଟରେ ନିତି ଆୟୋଗର ରିପୋର୍ଟ ପ୍ରକାଶ ପାଇଛି।

ଭାରତରେ ଉଚ୍ଚଶିକ୍ଷାର ଅନ୍ତର୍ଜାତୀୟକରଣ ଉପରେ ନିତି ଆୟୋଗର ରିପୋର୍ଟ ଅନୁସାରେ ୨୦୨୧-୨୨ ଶିକ୍ଷାବର୍ଷରେ ଓଡ଼ିଶାକୁ ସର୍ବାଧିକ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷାଲାଭ ପାଇଁ ଆସିଛନ୍ତି। ନିତି ଆୟୋଗ ରିପୋର୍ଟରେ ଭାରତର କେଉଁ ରାଜ୍ୟରେ କେତେ ପିଲା ପଢୁଥିଲେ ଓ କେତେ ବଢ଼ିଛନ୍ତି ତା ଉପରେ ପୁଙ୍ଖାନୁପୁଙ୍ଖ ସୂଚନା ଦିଆଯାଇଛି। ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆପଣାଇବାରେ ଭାରତର ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ସେହିପରି ଦେଶର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି ଓ ବିଦେଶୀ ଛାତ୍ରଛାତ୍ରୀ ଆପଣାଇବାରେ କିଟ୍‍ ଦେଶରେ ପଞ୍ଚମ ସ୍ଥାନରେ ରହିଛି।

ରିପୋର୍ଟରେ କୁହାଯାଇଛି, କୋଲକାତା ଓ ହାଇଦ୍ରାବାଦ ଆଦି କସମୋପଲିଟାନ୍‍ ନଗର ହୋଇଥିବା ବେଳେ ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶଠାରୁ ଓଡ଼ିଶାରେ ଅଧିକ ବିଦେଶୀ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ନିତି ଆୟୋଗ ରିପୋର୍ଟ ଅନୁସାରେ ଦେଶର ପୂର୍ବାଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମୋଟ ୨୩୬୨ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଥିବା ବେଳେ କେବଳ କିଟ୍‍ ରେ ୨ ହଜାର ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। କିଟରେ ବିଶ୍ୱର ୭୦ଟି ବିଭିନ୍ନ ଦେଶରୁ ୨ ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଭାରତରେ ୫ଟି ଘରୋଇ ବିଶ୍ୱବିଦ୍ୟାଳୟରେ ସର୍ବାଧିକ ବିଦେଶୀ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେଥିମଧ୍ୟରୁ ସର୍ବାଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା କିଟ୍‍ ୫ମ ସ୍ଥାନରେ ରହିଛି।

ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ଛାତ୍ରଛାତ୍ରୀ କିଟ୍‍ରୁ ଉତ୍ତୀର୍ଣ୍ଣ ହୋଇ ସାରିଛନ୍ତି। ଭାରତ ସରକାରଙ୍କ ନୂଆ ଶିକ୍ଷାନୀତି (ଏନ୍‍ଇପି) ୨୦୨୦ ଅନୁସାରେ ଯେଉଁ ଶିକ୍ଷାନୁଷ୍ଠାନରେ ଯେତେ ଅଧିକ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷାଲାଭ କରିବେ, ସେହି ଅନୁସାରେ ଉକ୍ତ ଅନୁଷ୍ଠାନ ବା ରାଜ୍ୟକୁ ସରକାର ସେତିକି ଗୁରୁତ୍ୱ ଦିଆଯାଉଛି।

୨୦୧୨ ମସିହାରେ ଓଡ଼ିଶାରେ ମାତ୍ର ୧୨ ଜଣ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏବେ କେବଳ କିଟ୍‍ ରେ ୨ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଆଗାମୀ ଶିକ୍ଷାବର୍ଷରେ କିଟ୍‍ ରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅଚ୍ୟୁତ ସାମନ୍ତ ଆଶା ପ୍ରକାଶ କରିଛନ୍ତି। କିଟରେ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଭିତ୍ତିଭୂମି, ଶିକ୍ଷା ପରିବେଶ, ସୌନ୍ଦର୍ଯ୍ୟକରଣ, ସବୁଜିମା ଓ ବିଶେଷକରି କ୍ରୀଡ଼ା ଭିତ୍ତିଭୂମି ଆଦି ସୁବିଧା ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ସେ କହିଛନ୍ତି।

 

Leave A Reply

Your email address will not be published.