ଭୁବନେଶ୍ବର : ଆସନ୍ତା ୨୪ରୁ ଭୁବନେଶ୍ବରରେ ଆରମ୍ଭ ହେଉଛି ଜୁନିଅର ହକି ବିଶ୍ବକପ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ବିଶ୍ବକପ୍ ଶେଷ ପର୍ଯ୍ୟନ୍ତ କିଟ୍ ଓ କିସ୍ର ହକି ଷ୍ଟାଡିୟମରେ ସମସ୍ତ ଅଭ୍ୟାସ ଓ ତାଲିମ୍ ମ୍ୟାଚ୍ ଖେଳାଯିବ । ବିଶ୍ବକପ୍ ପାଇଁ ଭାରତ ସମେତ ଚିଲି, ଆର୍ଜେଣ୍ଟିନା, ବେଲ୍ଜିୟମ୍, ମାଲେସିଆ, ନେଦରଲାଣ୍ଡ, ପୋଲାଣ୍ଡ, ଫ୍ରାନ୍ସ, ଆମେରିକା, ଦକ୍ଷିଣ ଆଫ୍ରିକା, କୋରିଆ, ଜର୍ମାନୀ, କାନାଡ଼ା, ସ୍ପେନ୍, ପାକିସ୍ତାନ ଓ ଇଜିପ୍ଟ ଆଦି ମୋଟ ୧୬ଟି ଦେଶର ଖେଳାଳି ଅଂଶଗ୍ରହଣ କରୁଛନ୍ତି ।
ନଭେମ୍ବର ୧୮ ତାରିଖରୁ ସବୁ ଦେଶର ଖେଳାଳି ପହଞ୍ଚି ସାରିଥିବା ବେଳେ, ଖେଳାଳିଙ୍କ ଅଭ୍ୟାସ ଓ ତାଲିମ୍ ପାଇଁ କଳିଙ୍ଗ ଷ୍ଟାଡିୟମ୍ ଓ କିଟ୍ ହକି ଷ୍ଟାଡିୟମର ବ୍ୟବସ୍ଥା କରାଯାଇଛି । ଉଭୟ ଷ୍ଟାଡିୟମରେ ଖେଳାଳିମାନେ ପ୍ରତିଦିନ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ ସହ ତାଲିମ ନେବେ । ହକି ଷ୍ଟାଡିୟମକୁ ନିୟମିତ ସାନିଟାଇଜ କରାଯିବା ସହ ୧ ହଜାର ଲକ୍ସ ବିଶିଷ୍ଟ ଉଜ୍ଜ୍ଵଳ ଫ୍ଲଡ ଲାଇଟ ବ୍ୟବସ୍ଥା କରାଯାଇଛି । ୧୬ଟି ଯାକ ହକି ଦଳ ପ୍ରଥମ ଥର ପାଇଁ କିଟ୍ ହକି ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି । ଅନ୍ତର୍ଜାତୀୟ ମାନର ବ୍ୟାପକ ବ୍ୟବସ୍ଥା ଥିବା କିଟ୍ ହକି ଷ୍ଟାଡିୟମରେ ଅଭ୍ୟାସ କରୁଥିବା ଖେଳାଳିମାନେ ଏଠାରେ ରହିଥିବା ସୁବିଧାର ଉଚ୍ଚ ପ୍ରଶଂସା କରିଛନ୍ତି ।
କିଟ୍ ହକି ଷ୍ଟାଡିୟମ୍ର ଅନ୍ୟତମ ବିଶେଷତ୍ବ ହେଉଛି, ଏଠାରେ ଅତ୍ୟାଧୁନିକ ସିନ୍ଥେଟିକ ହକି ଷ୍ଟାଡିୟମ ସହ ଜିମ୍ ଓ ସୁଇମିଂ ପୁଲ୍ ଆଦି ଅତ୍ୟାଧୁନିକ ବ୍ୟବସ୍ଥା ଥିବାରୁ ଖେଳାଳିମାନେ ଏହାର ଉପଯୋଗ କରି ପାରିଥିଲେ । ଭାରତୀୟ ବରିଷ୍ଠ ଓ କନିଷ୍ଠ ପୁରୁଷ ହକି ଦଳର ତାଲିମ୍ କାର୍ଯ୍ୟକ୍ରମ ନଭେମ୍ବର ୮ ତାରିଖରୁ ଏଠାରେ ଚାଲିଥିବା ବେଳେ, ସେମାନେ ଏହି ସମସ୍ତ ବ୍ୟବସ୍ଥାର ଉପଯୋଗ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି । ଓଡ଼ିଶାରେ ଏବେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବା ବେଳେ ଏଥିରେ କିଟ୍ ଓ କିସ୍ର କ୍ରୀଡ଼ା ଭିତ୍ତିଭୂମିର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି । ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳିଙ୍କ ଅଭ୍ୟାସ ଓ ତାଲିମ ପାଇଁ କିଟ୍ ଓ କିସ୍ ଷ୍ଟାଡିୟମ୍କୁ ସୁଯୋଗ ଦେଇଥିବାରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Comments are closed.