Latest Odisha News

BREAKING NEWS

କିଟ୍ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟର ୧୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବୁଧବାର କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ବକ୍ତୃତା ପ୍ରଦାନ କରି ଶ୍ରୀ ପାରାଜୁଲି କହିଲେ ବିଗତ ୫୦ ବର୍ଷ ମଧ୍ୟରେ ଖାଦ୍ୟ ସୁରକ୍ଷା ଦିଗରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଦିନେ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ଭାରତ ଆଜି ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସହ ବିଶ୍ୱର ଅନ୍ୟ ଦେଶକୁ ରପ୍ତାନୀ ମଧ୍ୟ କରୁଛି ବୋଲି ପାରାଜୁଲି କହିଥିଲେ ।

ଖାଦ୍ୟ ଉତ୍ପାଦନ ସହ ଅନୁକୂଳ ନୀତି, ବିଜ୍ଞାନ ଓ ପ୍ରଯୁକ୍ତି, ଉନ୍ନତ ଯୋଗାଣ ବ୍ୟବସ୍ଥା, ବଜାର ବ୍ୟବସ୍ଥା ଆଦି ଭାରତର ଖାଦ୍ୟ ସୁରକ୍ଷା ଦିଗରେ ସହାୟକ ହୋଇଛି । ଆଜି ମଧ୍ୟ ବିଶ୍ୱରେ କ୍ଷୁଧା ବଢ଼ି ଚାଲିଛି । ଆମେ ପ୍ରଚୁର ଖାଦ୍ୟ ଉତ୍ପାଦନ କରିବା ସତ୍ତ୍ୱେ ବିଶ୍ୱର ପାଖାପାଖି ୮୧୧ ମିଲିଅନ ଲୋକ ପର୍ଯ୍ୟାପ୍ତ ଖାଦ୍ୟ ପାଇ ପାରୁନଥିବା ବେଳେ ୨୭୦ ମିଲିଅନ ଲୋକ ଭୋକରେ ରହୁଛନ୍ତି । ତେଣୁ ସମସ୍ତଙ୍କ ନିକଟରେ ଖାଦ୍ୟ କିପରି ପହଞ୍ଚିବ ତାହା ଆମର ସର୍ବ ପ୍ରଥମ ଦାୟିତ୍ୱ ହେବା ଉଚିତ ବୋଲି ସେ କହିଥିଲେ ।

ଏହି ଅବସରରେ ସେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରି କହିଲେ, ଏତେ ବିରାଟ ଓ ସୁନ୍ଦର ଅନୁଷ୍ଠାନ ଠିଆ କରିବା ଛୋଟ କଥା ନୁହେଁ । ଏହ କେବଳ ଜଣଙ୍କର ନିଷ୍ଠା, ପ୍ରତିବଦ୍ଧତା ଓ ସମାଜ ପ୍ରତି ଦାୟିତ୍ୱବୋଧ ଯୋଗୁଁ ସମ୍ଭବ ହୋଇଥାଏ । ଜ୍ଞାନ ବିତରଣ କରିବା ସହ କର୍ମ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବା, ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଏବଂ ଦେଶ ଗଠନରେ କିଟ୍‍ ଓ କିସ୍‍ର ଅବଦାନ ରହିଆସିଛି ।

ଭାରତର ଖାଦ୍ୟ ସୁରକ୍ଷା ଆଇନ୍‍, ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ମଧ୍ୟାହ୍ନ ଭୋଜନ ବାବଦରେ ଉଲ୍ଲେଖକରି ସେ କହିଲେ, ଏହି ସବୁ ବ୍ୟବସ୍ଥା ଭାରତରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ଦିଗରେ ଜୀବନରେଖା ଭାବେ ପ୍ରମାଣିତ ହୋଇଛି । ଏହା ସମଗ୍ର ବିଶ୍ୱ ପାଇଁ ଉଦାହରଣ ପାଲଟିଛି । ଶ୍ରୀ ସାମନ୍ତ ସ୍ୱାଗତ ଭାଷଣରେ କହିଲେ, କିଟ୍‍ ଓ କିସ୍‍ ହେଉଛି ଦୁଇଟି ସାମାଜିକ ଦାୟିତ୍ୱବୋଧ ଉପରେ ପର୍ଯ୍ୟବେସିତ ଅନୁଷ୍ଠାନ । ଏହି ଦୁଇ ଅନୁଷ୍ଠାନ ଅଧିକାଂଶ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିଆସୁଛନ୍ତି ।

ଆଜି ଏହା ୬୫ଟି ଦେଶର ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିପାରିଥିବା ବେଳେ କିଟ୍‍ର ପୁରାତନ ଛାତ୍ରଛାତ୍ରୀମାନେ ୭୦ଟି ଦେଶରେ କାର୍ଯ୍ୟ କରୁଛନ୍ତି । କିଟ୍‍ର ସଂସ୍କୃତି ଛାତ୍ରଛାତ୍ରୀଙ୍କୁ ବିଶ୍ୱ ନାଗରିକ ଭାବେ ଗଢ଼ି ତୋଳିଥାଏ ବୋଲି ସେ କହିଥିଲେ । ଏହି ଅବସରରେ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଓ କିସ୍‍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏଥିରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଭାରତ ମୁଖ୍ୟ ପାରାଜୁଲି ସ୍ୱାକ୍ଷର କରିଥିବା ବେଳେ କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

Comments are closed.