ଭୁବନେଶ୍ୱର: ପୁଣି ଜଣେ କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି । ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏକ ନିର୍ମାଣଧୀନ କୋଠା ତଳୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର କିଟ୍ ବିଶ୍ୱବିଦ୍ୟାଳୟରେ ବିଟେକ୍ ତୃତୀୟ ବର୍ଷରେ ପଢୁଥିଲେ। ଛାତ୍ରଙ୍କ ନାମ ଅର୍ଣ୍ଣବ ଗୋସ୍ୱାମୀ ଏବଂ ତାଙ୍କ ଘର ପଶ୍ଚିମବଙ୍ଗର ବାଁକୁରା ।
ସୂଚନାନୁସାରେ, ଗତକାଲି ରାତିରେ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲ ନିକଟରେ ନିର୍ମାଣାଧୀନ ସାତମହଲା କୋଠାରୁ ଡେଇଁ ଜୀବନ ହାରିଥିବା କୁହାଯାଉଛି। ତେବେ ଏହାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି।
ଖବରପାଇ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସପିଟାଲକୁ ପଠାଇଛି। ଏବେ ଅର୍ଣ୍ଣବଙ୍କ ମୃତଦେହ କ୍ୟାପିଟାଲ ହସପିଟାଲରେ ରହିଛି ଏବଂ ତାଙ୍କ ପରିବାର ସଦସ୍ୟ ଆସିବା ପରେ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂଚନା ଦେଇଛି।
ଅପମୃତ୍ୟୁ ମାମଲା ରୁଜୁ କରି ମଞ୍ଚେଶ୍ବର ପୋଲିସର ତଦନ୍ତ ଜାରି ରଖିଥିବା ବେଳେ ଅର୍ଣ୍ଣବଙ୍କ ମୃତ୍ୟୁ ନେଇ କିଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଏବେ ସାଧାରଣରେ ପ୍ରଶ୍ନ ଉଠୁଛି କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲ୍ରେ ରହି ଅର୍ଣ୍ଣବ ପାଠ ପଢୁଥିଲେ। ହଷ୍ଟେଲରୁ କେମିତି ଆସିଲେ ମଞ୍ଚେଶ୍ୱର ଏବଂ ନିର୍ମାଣଧିନ କୋଠାକୁ କାହିଁକି ଯାଇଥିଲେ । ସେଠାରେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା।
ସୂଚନାଥାଉକି, ନିକଟରେ କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା।
Comments are closed.