Latest Odisha News

କାହିଁକି ଧରାପଡୁନି ବହରାଇଚରେ ଆତଙ୍କ ଖେଳାଇଥିବା ଗଧିଆ ? 

ବାହରାଇଚ୍: ଉତ୍ତରପ୍ରଦେଶର ବାହରାଇଚ୍ ଜିଲ୍ଲାରେ ମଣିଷଖିଆ ଗଧିଆକୁ ଧରିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ୍ ଚାଲିଛି। କାରଣ ବନ୍ୟଜନ୍ତୁ ଅଧିକାରୀ ଏବଂ ଜଙ୍ଗଲ ଅଧିକାରୀମାନେ ଗଧିଆକୁ ଧରିବା ପାଇଁ ପ୍ରୟାସ ଚଳାଇଛନ୍ତି।

ବନ ବିଭାଗର ଜେନେରାଲ ମ୍ୟାନେଜର ସଞ୍ଜୟ ପାଠକ କହିଛନ୍ତି ଯେ ସର୍ଚ୍ଚ ଅପରେସନରେ ଡ୍ରୋନ୍ ମଧ୍ୟ ବ୍ୟବହାର କରାଯାଉଛି। ନିର୍ଦ୍ଦିଷ୍ଟ ଭାବରେ, ଗଧିଆର ଗତିବିଧି ଉପରେ ନଜର ରଖିବା ପାଇଁ ଥର୍ମାଲ୍ ଡ୍ରୋନ୍ ନିୟୋଜିତ ହେଉଛି। ଏପରିକି ତା’ର ପାଦ ଚିହ୍ନକୁ ଚିହ୍ନଟ କରାଯାଇ ତଲାସି କରାଯାଉଛି।

ଗଧିଆକୁ ଧରିବା ଏତେ କଷ୍ଟକର କାହିଁକି?

ୱାଇଲ୍ଡ ଲାଇଫ୍ ଏକ୍ସପର୍ଟ ସିଦ୍ଧାର୍ଥ ସିଂ କହିଛନ୍ତି ଯେ ଗଧିଆମାନେ ବହୁତ ଚତୁର ପ୍ରାଣୀ ଏବଂ ସେମାନଙ୍କର ପାରସ୍ପରିକ ଯୋଗାଯୋଗ ବହୁତ ଶକ୍ତିଶାଳୀ। ସେମାନେ ସାମାନ୍ୟ ଶବ୍ଦ ବି ଜାଣିପାରନ୍ତି। ସବୁଠାରୁ ବଡ କଥା ହେଉଛି ତାଙ୍କର ଉଚ୍ଚତା ବହୁତ କମ୍ ଥାଏ। ସେମାନେ କ୍ଷେତରେ ଲୁଚିଲୁଚି ଚାଲନ୍ତି ଏବଂ ସହଜରେ ଦେଖାଯାଆନ୍ତି ନାହିଁ। ସେଥିପାଇଁ ସେମାନଙ୍କୁ ଧରିବା ଏକ ବଡ ଚ୍ୟାଲେଞ୍ଜ। ସେ କହିଛନ୍ତି ଯେ ଗଧିଆର ପ୍ରତ୍ୟେକ ଦଳ ମଧ୍ଯରେ ଏକ ଆଲଫା ଗଧିଆ ରହିଥାଏ, ଯିଏ ସମସ୍ତଙ୍କୁ ଲିଡ୍ କରି ଆଗକୁ ନେଇଥାଏ। ଯେ ପର୍ଯ୍ୟନ୍ତ ସେ ଧରା ନପଡିଛି ସେ ପର୍ଯ୍ୟନ୍ତ ପୂରା ଦଳକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଥାଏ। ବାହରାଇଚ କ୍ଷେତ୍ରରେ, ବୋଧହୁଏ ଆଲଫା ଗଧିଆକୁ ଧରାଯାଇ ନାହିଁ। ସେଥିପାଇଁ ସେମାନଙ୍କର ଆକ୍ରମଣ ଏବେବି ଜାରି ରହିଛି।

ଉଲ୍ଲେଖଯୋଗ୍ୟ, ବାହରାଇଚରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ଜୀବନ ନେଇ ସାରିଲେଣି। ଏମାନଙ୍କ ମଧ୍ୟରେ ୮ ଜଣ ଶିଶୁ ରହିଛନ୍ତି। ଅତିକମରେ ୨୫ ଜଣ ଆହତ ହୋଇଛନ୍ତି। ବହରାଇଚର ଅତି କମରେ ୫୦ଟି ଗାଁରେ ଗଧିଆଙ୍କ ଆତଙ୍କ ଖେଳିଯାଇଛି।

Comments are closed.