ପୁନେ: ଲୋହାଗଡ ଦୁର୍ଗ ହତ୍ୟା ମାମଲାର ଅଭିଯୁକ୍ତ ସିଆ ଗୋଏଲ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି।
ଜେରା ସମୟରେ ସିଆ ଗୋଏଲ ଦାବି କରିଛନ୍ତି ଯେ ପରିବାରକୁ ବିବାହ ଅଟକାଇବା ପାଇଁ କହିବା ଅପେକ୍ଷା ମଙ୍ଗେତର କେତନ ଅଗ୍ରୱାଲଙ୍କୁ ହତ୍ୟା କରିବା ସହଜ ଥିଲା। କାରଣ କେତନ ଅଗ୍ରୱାଲ ୱିଗ୍ ପିନ୍ଧୁଥିବାରୁ ସିଆ ତାଙ୍କୁ ପସନ୍ଦ କରୁନଥିଲେ।
ଯେତେବେଳେ ସିଆଙ୍କୁ ପଚରାଗଲା ଯେ ସେ ତାଙ୍କ ପରିବାରକୁ କାହିଁକି କହିନଥିଲେ ବିବାହ ଭାଙ୍ଗିବା ନେଇ। ଜବାବରେ ସିଆ କହିଥିଲେ ଯେ ସେ ପରିବାରର ସମ୍ମାନକୁ ଆଘାତ ଦେବାକୁ ଚାହାଁନ୍ତି ନାହିଁ।
ପୋଲିସ ଏହା ମଧ୍ୟ ଦାବି କରିଛି ଯେ ସିଆ ଗୋଏଲ କେତନ ଅଗ୍ରୱାଲଙ୍କୁ କହିଥିଲେ ଯେ ସେ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି ନାହିଁ କିନ୍ତୁ କେତନ ନିର୍ବନ୍ଧ ଭାଙ୍ଗିବାକୁ ମନା କରିଥିଲେ।
ଆହୁରି ମଧ୍ୟ ଅଭିଯୁକ୍ତ ନିଜ ପ୍ଲାନରେ ସଫଳ ହେବା ପୂର୍ବରୁ ହତ୍ୟା ପାଇଁ ଅନେକ ଚେଷ୍ଟା କରିଥିଲେ। ମେ ୩୧ ତାରିଖରେ, ସିଆ ଗୋୟଲ କେତନ ଅଗ୍ରୱାଲଙ୍କ ସହିତ ଲୋହାଗଡ଼ ଦୁର୍ଗକୁ ଯାଇଥିଲେ। ଜୁନ ୪ ତାରିଖରେ ଆଉ ଏକ ଯାତ୍ରା ଯୋଜନା କରାଯାଇଥିଲା କିନ୍ତୁ କେତନ ଅଗ୍ରୱାଲଙ୍କ ମାଆ ବିରୋଧ କରିବା ପରେ ଏହାକୁ ବାତିଲ କରାଯାଇଥିଲା। ସେହିପରି ଜୁନ ୧୪ ତାରିଖରେ ସିଆ ଗୋୟଲ କେତନ ଅଗ୍ରୱାଲଙ୍କୁ ଏକ ପାହାଡ଼ରୁ ଠେଲି ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଏକ ବୁଦାକୁ ଧରି ପକାଇବାରୁ ବଞ୍ଚି ଯାଇଥିଲେ। ଆଉ ସେ ଏହାକୁ ଏକ ଦୁର୍ଘଟଣା ବୋଲି ସଫେଇ ଦେଇଥିଲେ। ପୁଣି ଚାରି ଦିନ ପରେ ତାଙ୍କ ସହିତ ଦୁର୍ଗକୁ ଯାଇଥିଲେ। ଜୁନ ୧୮ ତାରିଖରେ, ସିଆ ଗୋୟଲ ଏବଂ ଚେତନ ଚୌଧୁରୀ ସେମାନଙ୍କର ଯୋଜନାରେ ସଫଳ ହୋଇଥିଲେ ବୋଲି ପୋଲିସ କହିଛି।
