ଶ୍ରୀନଗର: ଜମ୍ମୁର କିସ୍ତୱାଡରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଆଉ ଏକ ଏନକାଉଣ୍ଟର ହୋଇଛି । ଏହି ଏନକାଉଣ୍ଟର କିସ୍ତୱାଡର ଡୋଲଗାମ ଅଞ୍ଚଳରେ ଘଟିଛି, ଯେଉଁଠାରୁ ଆତଙ୍କବାଦୀମାନେ ଜାନୁଆରୀ ୧୮, ୨୨ ଏବଂ ୨୪ ତାରିଖରେ ପଳାଇ ଯାଇଥିଲେ । ହେଲେ ଭାରତୀୟ ସେନା ଏବଂ ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) କିସ୍ତୱାଡରେ ବର୍ତ୍ତମାନ ଦୁଇ କିମ୍ବା ତିନି ଜଣ ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି । ସେମାନେ ସମସ୍ତେ ଜୈଶ-ଏ-ମହମ୍ମଦର ସଦସ୍ୟ ବୋଲପି ଜଣାପଡିଛି ।
ଜାନୁଆରୀ ୨୯ ତାରିଖରେ, ଦେଶ ବିରୋଧୀ ଲୋକମାନଙ୍କ ଦ୍ୱାରା ଇଣ୍ଟରନେଟ୍ ସେବାର ଅପବ୍ୟବହାର ଯୋଗୁଁ ଗୃହ ବିଭାଗ କିସ୍ତୱାଡ ଜିଲ୍ଲାର ତିନୋଟି ଅଞ୍ଚଳରେ ୨ଜି, ୩ଜି, ୪ଜି ଏବଂ ୫ଜି ମୋବାଇଲ୍ ଡାଟା ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା ।
ଜାନୁଆରୀ ୨୫ ତାରିଖରେ, ଅଧିକାରୀମାନେ ସୂଚନା ଦେଇଥିଲେ ଯେ, ରବିବାର ବିଳମ୍ବିତ ରାତିରେ ଜମ୍ମୁ ଏବଂ କାଶ୍ମୀରର କିସ୍ତୱାଡ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା । ଗତ ସପ୍ତାହରେ ପାର୍ବତ୍ୟ ଜିଲ୍ଲାର ଚତରୁ ଅଞ୍ଚଳରେ ଏହା ତୃତୀୟ ଏନକାଉଣ୍ଟର ଥିଲା । ଅଞ୍ଚଳରେ ପ୍ରବଳ ତୁଷାରପାତ ସତ୍ତ୍ୱେ ସେନା ଏବଂ ପୋଲିସ ଜୈଶ-ଏ-ମହମ୍ମଦର ୩ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀର ସନ୍ଧାନ ଜାରି ରଖିଥିଲେ ।
ରାତି ପ୍ରାୟ ୧୦ଟା ୨୦ ସମୟରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ସେନା ଏବଂ ପୋଲିସର ଏକ ମିଳିତ ସର୍ଚ୍ଚ ପାର୍ଟି ଜନସିର-କଣ୍ଡିୱାର ଜଙ୍ଗଲ ଅଞ୍ଚଳରେ ଏକ ଅପରେସନ୍ କରୁଥିବା ସମୟରେ ଏହି ଏନକାଉଣ୍ଟର ଘଟିଥିଲା । ଅଧିକାରୀମାନେ ସେହି ସମୟରେ ସୂଚନା ଦେଇଥିଲେ ଯେ, ସୁରକ୍ଷା ବାହିନୀ ପାଲଟା ଗୁଳି ଚଳାଇଥିଲେ । ପରିସ୍ଥିତି ବିଗିଡ଼ିବା ସହିତ, ମଝିରେ ମଝିରେ ଗୁଳି ବିନିମୟ ହେଉଥିବାର ସୂଚନା ମିଳିଛି ।