Latest Odisha News

BREAKING NEWS

୪୫ ବର୍ଷ ପରେ ଭାରତରେ ‘କିସ୍’ ଠାରେ ଆୟୋଜିତ ହେବ ବିଶ୍ୱ ‘ନୃବିଜ୍ଞାନ କଂଗ୍ରେସ-୨୦୨୩’

ଭୁବନେଶ୍ୱର : କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉକ୍ରଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ହେବ ଇଣ୍ଟରନ୍ୟାସନାଲ ୟୁନିଅନ ଅଫ ଆନ୍ଥ୍ରୋପୋଲୋଜିକାଲ ଆଣ୍ଡ ଏଥନୋଲୋଜିକାଲ ସାଇନସେସ (ଆଇୟୁଏଇଏସ) ବିଶ୍ୱ କଂଗ୍ରେସ ୨୦୨୩ । ପ୍ରତି ପାଞ୍ଚବର୍ଷରେ ଥରେ ଏହି କଂଗ୍ରେସ ଆୟୋଜନ ହେଉଥିବା ବେଳେ ୨୦୨୩ ମସିହାରେ କିଟ ଓ କିସରେ ଏହା ଆୟୋଜିତ ହେବାକୁ ଯାଉଛି ବୋଲି ପ୍ରକାଶ କରିଛନ୍ତି କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।

ରବିବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମନ୍ତ ସୂଚନା ଦେଇ କହିଛନ୍ତି କିଟ ଓ କିସ ପକ୍ଷରୁ ଓଡ଼ିଶାରେ ବିଭିନ୍ନ ସମୟରେ ବହୁ ସମ୍ମାନଜନକ ରାଷ୍ଟ୍ରୀୟ ଓ ଅନ୍ତର୍ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଆୟୋଜନ କରି ରାଜ ତଥା ଦେଶକୁ ଗୌରବ ଆଣିଦେବା ସହ କିଟ ଓ କିସ ସମଗ୍ର ବିଶ୍ୱରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବିଶ୍ୱ ନୃବିଜ୍ଞାନ କଂଗ୍ରେସ ଆୟୋଜନ କରିବା ପାଇଁ ବିଶ୍ୱସ୍ତରରେ ବିଡିଂ କରାଯାଇଥାଏ । ବିଭିନ୍ନ ପର୍ଯ୍ୟାୟରେ ଏହି ବିଡିଂ କରାଯାଇଥାଏ । ନିକଟରେ ବ୍ରାଜିଲରେ ଗତ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଥିବା ବିଶ୍ୱ ନୃବିଜ୍ଞାନ କଂଗ୍ରେସ ଅବସରରେ ଅନୁଷ୍ଠିତ ଚୂଡାନ୍ତ ପର୍ଯ୍ୟାୟ ବିଡିଂରେ କ୍ରୋଏସିଆକୁ ବିପୁଳ ଭୋଟରେ ପଛରେ ପକାଇ କିସ ବିଶ୍ୱବିଦ୍ୟାଳୟ ଏହି ସମ୍ମାନଜନକ କଂଗ୍ରେସ ଆୟୋଜନ କରିବାର ସୁଯୋଗ ହାସଲ କରିଥିଲା । କିସ ବିଶ୍ୱବିଦ୍ୟାଳୟରେ ଏହି କଂଗ୍ରେସ କିପରି ଆୟୋଜନ କରାଯାଇପାରିବ ସେଥିନେଇ କିସ କର୍ତ୍ତୃପକ୍ଷଙ୍କ ସମେତ ଉକ୍ରଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଦ୍ୱୟ ବ୍ୟାବସ୍ଥାପକ ଉଦ୍ୟମ କରିଥିଲେ ।

୨୦୨୩ ଜାନୁଆରୀ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ କିଟ ଓ କିସରେ ଏହି ବିଶ୍ୱ ନୃବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଶ୍ୱର ୧୫୦ଟି ଦେଶରୁ ୧୦ହଜାରରୁ ଊଦ୍ଧ୍ୱର୍ ନୃତତ୍ୱବିତ, ଶିକ୍ଷାବିତ, ଗବେଷକ ଓ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱ ନୃବିଜ୍ଞାନ କଂଗ୍ରେସ ହେଉଛି ବିଶ୍ୱର ସବୁଠାରୁ ବଡ଼ ଓ ସର୍ବପୁରାତନ କଂଗ୍ରେସ । ଏଥିରେ ବିଶ୍ୱର ସର୍ବାଧିକ ନୃତତ୍ୱବିତ, ଗବେଷକ ଓ ଶିକ୍ଷାବିତଙ୍କ ସମାବେଶ ହୋଇଥାଏ । ଏହି କଂଗ୍ରେସ ଆୟୋଜନ ହେବା ଫଳରେ ଓଡ଼ିଶାର ଜନଜାତି ସଂସ୍କୃତି, ପରମ୍ପରା, ଚାଲିଚଳଣ ସଂପର୍କରେ ସମଗ୍ର ବିଶ୍ୱରେ ବ୍ୟାପକ ପ୍ରଚାର ଓ ପ୍ରସାର ହେବା ସହ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଘଟିବ ବୋଲି ଶ୍ରୀ ସାମନ୍ତ କହିଥିଲେ ।

ଏହି କଂଗ୍ରେସ କିପରି ଓଡ଼ିଶାରେ ଆୟୋଜନ ହୋଇପାରିବ ସେଥିପାଇଁ କିସ ପକ୍ଷରୁ ଗତ ୫ବର୍ଷ ଧରି ଉଦ୍ୟମ ହୋଇଆସୁଥିଲା ୨୦୧୪ରେ କିସ ଏହି ବିଡିଂରେ ଅଂଶଗ୍ରହଣ କରିଥିଲେ ମଧ୍ୟ ବ୍ରାଜିଲ ଏହି ସୁଯୋଗ ପାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଦୀର୍ଘ ୪୫ବର୍ଷ ପରେ ଭାରତରେ ଏହି କଂଗ୍ରେସ ଆୟୋଜନ ହେବାକୁ ଯାଉଛି । ୧୯୭୮ ମସିହାରେ ବିଶିଷ୍ଟ ନୃତତ୍ୱବିତ ପ୍ରଫେସର ଏଲ ପି ବିଦ୍ୟାର୍ଥୀଙ୍କ ନେତୃତ୍ୱରେ ଏହି କଂଗ୍ରେସ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ବିଶ୍ୱ ନୃବିଜ୍ଞାନ କଂଗ୍ରେସ ବ୍ୟତୀତ ମୁଖ୍ୟ କଂଗ୍ରେସ ଆୟୋଜନ ପୂର୍ବରୁ ଭାରତର ବିଭିନ୍ନ ସ୍ଥାନରେ କେତେକ ପ୍ରାକ ଓ ପରବର୍ତ୍ତୀ କଂଗ୍ରେସ ମଧ୍ୟ ଅନୁଷ୍ଠିତ ହେବ । କିସ ବିଶ୍ୱବିଦ୍ୟାଳୟର ନୃତତ୍ୱ ବିଭାଗ, ଉକ୍ରଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୃତତ୍ୱ ବିଭାଗ ଏବଂ ଭାରତୀୟ ନୃବିଜ୍ଞାନ ସଂଘ ମିଳିତ ଭାବେ ଏହି କଂଗ୍ରେସ ଆୟୋଜନ କରୁଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା ଓ କିସ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ।

Leave A Reply

Your email address will not be published.