ହାମିଲଟନ: ନ୍ୟୁଜିଲାଣ୍ଡର ପୂର୍ବତନ ପେସ ବୋଲର ଡଗ ବ୍ରେସୱେଲ କୋକେନ ସେବନ କରିଥିବା ନେଇ ଏକ ମାସ ବାସନ୍ଦ ହୋଇଛନ୍ତି । ୩୪ ବର୍ଷୀୟ ଏହି ବୋଲର ଘରୋଇ ଟି୨୦ ମ୍ୟାଚରେ ସେଂଟ୍ରାଲ ଡିଷ୍ଟ୍ରିକ୍ଟ ପକ୍ଷରୁ ଖେଳୁଥିଲେ । ୱେଲିଂଟନ ବିପକ୍ଷ ମ୍ୟାଚ ପୂର୍ବରୁ ସେ ଏହି ନିଶାଦ୍ରବ୍ୟ ସେବନ କରିଥିବା ପ୍ରମାଣିତ ହୋଇଥିଲା । ଅବଶ୍ୟ ବ୍ରେସୱେଲ ୨ଟି ୱିକେଟ ନେବା ସହ ୧୧ ବଲରୁ ୩୦ ରନ କରିଥିଲେ । ଦି ସ୍ପୋର୍ଟ ଇଟିଂଗ୍ରିଟି କମିଶନ ବ୍ରେସୱେଲ କୋକେନ ସେବନ କରିଥିବା ସ୍ପଷ୍ଟ କରିଛନ୍ତି । ପ୍ରଥମେ ୩ ମାସ ବାସନ୍ଦ କରାଯାଇଥିଲେ ମଧ୍ୟ ପରେ ଏହାକୁ କମାଇ ୧ ମାସ କରାଯାଇଥିଲା ।
ବ୍ରେସୱେଲ ସମ୍ପୂର୍ଣ୍ଣ ଭାବେ ଭୁଲ କରୁଥିବାରୁ ନ୍ୟୁଜିଲାଣ୍ଡ କ୍ରିକେଟ କୌଣସି ପ୍ରକାରର ସହଯୋଗ କରିବ ନାହିଁ ସ୍ପଷ୍ଟ କରିଦେଇଛି । ବ୍ରେସୱେଲ ପ୍ରଦର୍ଶନ ଅପେକ୍ଷା ଅଧିକାଂଶ ସମୟ ବିବାଦରେ ରହିଥାନ୍ତି । ୨୦୧୦ ଓ ୨୦୧୭ରେ ମଦ୍ୟପାନ କରି ଡ୍ରାଇଭିଂ କରିବା ନେଇ ସେ ଦଣ୍ଡିତ ହୋଇଥିଲେ । ସେ ନ୍ୟୁଜିଲାଣ୍ଡ ପକ୍ଷରୁ ୨୮ ଟେଷ୍ଟ, ୨୧ ଦିନିକିଆ ଓ ୨୦ଟି ଟି୨୦ ମ୍ୟାଚ ଖେଳିଛନ୍ତି । ସେ ୨୦୧୧ରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ ।