କୋଲକାତା: ଆଇପିଏଲ ମିନି ନିଲାମରେ କୋଲକାତା ନାଇଟ ରାଇଡର୍ସକୁ ଆଉ ଜଣେ ରହସ୍ୟମୟ ସ୍ପିନର ମିଳିଛନ୍ତି । ୨୨ ବର୍ଷୀୟ ଦକ୍ଷ କାମରାଙ୍କୁ କେକେଆର ୩୦ ଲକ୍ଷ ଟଙ୍କାରେ ଦଳରେ ନେଇଛି । ତାଙ୍କ ବୋଲିଂ ଆକ୍ସନ ଦଳର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତିଙ୍କ ସହ ମେଳ ଖାଉଛି । ବରୁଣ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଏବେ ବିଶ୍ୱର ଶ୍ରେଷ୍ଠ ଟି୨୦ ବୋଲର ସାଜିଛନ୍ତି । ହରିୟାଣାର ୨୩ ବର୍ଷରୁ କମ ଟିମରେ ଖେଳୁଥିବା ଦକ୍ଷ କାମରା ତାଙ୍କ ବୋଲିଂ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ।
ଏହା ବ୍ୟତୀତ ସେ ଭଲ ବ୍ୟାଟିଂ କରିବା ସହ ବଡ ଶଟ ଖେଳିବା ଦକ୍ଷତା ରଖିଛନ୍ତି । କାମରା ଏବେ ୪ ପ୍ରକାର ସ୍ପିନ ବୋଲିଂ କରୁଛନ୍ତି । ଏହା ମଧ୍ୟରେ କ୍ୟାରେମ ବଲ, ଗୁଗଲୀ, ସ୍ଲାଇଡର ଓ ନିଜର ସ୍ୱତନ୍ତ୍ର ରହସ୍ୟମୟ ବଲ ସାମିଲ । କ୍ରମାଗତ ଟେନିସ ବଲ କ୍ରିକେଟ ଖେଳିବା ଯୋଗୁ ତାଙ୍କର ବଲ ଉପରେ ଭଲ ନିୟନ୍ତ୍ରଣ ରହୁଛି । ଆଇପିଏଲରେ ଖେଳିବା ପରେ ନିଶ୍ଚିତ ଭାବେ ତାଙ୍କ ବୋଲିଂ ଦକ୍ଷତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।