କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତୀ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏହାର ଫାଇନାଲ ମ୍ୟାଚ ମେ ୨୫ରେ ଖେଳାଯିବ । ତେବେ ଏହା ପୂର୍ବରୁ ୧୮ତମ ସଂସ୍କରଣର କାର୍ଯ୍ୟସୂଚୀରେ ସୁରକ୍ଷା ଦୃଷ୍ଟିକୋଣରୁ ସାମାନ୍ୟ ପରିବର୍ତନ କରାଯାଇଛି । ଏପ୍ରିଲ ୬ରେ କୋଲକାତା ନାଇଟ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସ ମଧ୍ୟରେ ଇଡେନଗାର୍ଡେନରେ ମ୍ୟାଚ ଖେଳାଯିବାକୁ ସ୍ଥିର ହୋଇଥିଲା । ଏବେ ଏହି ମ୍ୟାଚକୁ କୋଲକତା ବଦଳରେ ଗୌହାଟୀରେ ଆୟୋଜିତ କରାଯିବ । ରାମନବମୀ ଯୋଗୁ ସ୍ଥାନୀୟ ପୋଲିସ ଏହି ମ୍ୟାଚରେ ଆବଶ୍ୟକ ସୁରକ୍ଷା ଯୋଗାଇବା ନେଇ ଅକ୍ଷମତା ପ୍ରକାଶ କରିଥିଲା ।
ଗତ ସଂସ୍କରଣରେ ମଧ୍ୟ ସମାନ ଅସୁବିଧା ସୃଷ୍ଟି ହୋଇଥିଲା । ଏଥର ଆଇପିଏଲରେ ଓଭରାଲ ୧୨ଟି ଡବଲ ହେଡର ମୁକାବିଲା ଖେଳାଯିବ । ୬୨ଟି ମ୍ୟାଚ ସନ୍ଧ୍ୟା ବେଳେ ଓ ଦ୍ୱିପ୍ରହରରେ ୧୨ଟି ମ୍ୟାଚ ଖେଳାଯିବ । ୧୦ଟି ଟିମକୁ ନେଇ ମୋଟ ୭୪ ମ୍ୟାଚ ଖେଳାଯିବ । ୧୩ଟି ଭେନ୍ୟୁରେ ଏହି ସବୁ ମୁକାବିଲା ଆୟୋଜିତ ହେବ ।