ମୁମ୍ବାଇ: ଆଇପିଏଲ ୨୦୨୫ ମେଗା ନିଲାମରେ ଆଫଗାନିସ୍ତାନର ଯୁବ ଲେଗ ସ୍ପିନର ଆଲା ଗଜନାଫରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୪.୮୦ କୋଟିରେ ଦଳରେ ନେଇଛି । ଏହି ୧୮ ବର୍ଷୀୟ ସ୍ପିନରଙ୍କୁ ନେବା ପାଇଁ କୋଲକାତା ନାଇଟ ରାଇଡର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ମୁମ୍ବାଇ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳି ନ ଥିଲା । ଗଜନାଫରଙ୍କ ବେସ ପ୍ରାଇସ ୫୦ ଲକ୍ଷ ରହିଥିଲା । ତାଙ୍କ ବୋଲିଂରେ ବିବିଧତା ଥିବାରୁ ମୁମ୍ବାଇ ଅନ୍ୟମାନଙ୍କ ଅପେକ୍ଷା ତାଙ୍କୁ ଗୁରୁତ୍ୱ ଦେଇଛି ।
ଗତ ଆଇପିଏଲରେ ଗଜନାଫର କେକେଆର ଟିମ ସହିତ ରହିଥିଲେ ମଧ୍ୟ ଗୋଟିଏ ହେଲେ ମ୍ୟାଚ ଖେଳିବାକୁ ସୁଯୋଗ ପାଇ ନ ଥିଲେ । କର୍ଣ ଶର୍ମାଙ୍କ ପରେ ମୁମ୍ବାଇ ଦ୍ୱିତୀୟ ଲେଗସ୍ପିନର ଭାବେ ଗଜନାଫରଙ୍କୁ ଦଳରେ ସାମିଲ କରିଛି । କର୍ଣଙ୍କୁ ମୁମ୍ବାଇ ତାଙ୍କ ବେସ ପ୍ରାଇସ ୫୦ ଲକ୍ଷରେ ନେଇଥିଲା । ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜରେ ଆଫଗାନିସ୍ତାନ ପକ୍ଷରୁ ଏହି ଯୁବ ଲେଗ ସ୍ପିନର ଚମତ୍କାର ପ୍ରଦର୍ଶନ କରିଥିଲେ ।
ଏହା ପୂର୍ବରୁ ଏମର୍ଜିଂ ଏସିଆ କପରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଆଫଗାନିସ୍ତାନ ଚାମ୍ପିୟନ ହୋଇଥିଲା । ଭାରତର ଅଭିଷେକ ଶର୍ମା ଓ ପ୍ରଭସିମ୍ରନ ସିଂଙ୍କ ପରି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ସେ ଆଉଟ କରିଥିଲେ ।