ଭୁବନେଶ୍ୱର: ଯେଉଁ କେତେଜଣ ପ୍ରଥିତଯଶା କବି ଓ ଲେଖକ ମାନଙ୍କର ଶାଣିତ ସ୍ୱର ଓ ବଳିଷ୍ଠ ଲେଖନୀ ଚାଳନା ଅନେକଙ୍କୁ ମାତୃଭୂମି ଲାଗି ଲଢେଇ କରିବାକୁ ଶକ୍ତି ଯୋଗାଇଥିଲା ସେଥିମଧ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଅନ୍ୟତମ । ଆଜି କାନ୍ତକବିଙ୍କ କାଳଜୟୀ କବିତା ‘ବନ୍ଦେ ଉତ୍କଳ ଜନନୀ’ ସାରା ବିଶ୍ୱରେ ଥିବା ସମସ୍ତ ଓଡ଼ିଆ ମାନଙ୍କ ସହିତ ଖୁବ୍ ପରିଚିତ । ଏହି ଚିର ନମସ୍ୟ କବିଙ୍କ ଅନେକ ଲେଖାରେ ହିଁ ସେତେବେଳେ ଅଧିକାଂଶ ଯୁବକମାନଙ୍କୁ ଦେଶଲାଗି ପ୍ରାଣବଳୀ ଦେବାକୁ ଅନୁପ୍ରାଣିତ କରିଥିଲା ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ୯ ଡିସେମ୍ବର ୧୮୮୮ରେ ସେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ନେଇଥିଲେ । ଓଡ଼ିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ, ଉପନ୍ୟାସ, ବ୍ୟଙ୍ଗସାହିତ୍ୟ ଓ ଲାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଯେତେବେଳେ ଜଣେ ଯୁବକ ଥିଲେ ସେ ସେହି ସମୟରେ କାନ୍ତକବିଙ୍କ ଅନେକ ଲେଖାରେ ଅନୁପ୍ରାଣିତ ହୋଇଥିଲେ । ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଆନ୍ଦୋଳନକୁ ଅଧିକ ତୀବ୍ର କରିବା ସହିତ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଉଗ୍ର ଉତ୍କଳୀୟ ଜାତୀୟତା ଭାବ ସୃଷ୍ଟି କରିବା ନିମନ୍ତେ ଜାତୀୟ କବି ବାଂଛାନିଧି ମହାନ୍ତି ମଧ୍ୟ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ହାରମୋନିୟମ ସାହାଯ୍ୟରେ ଗାଁ ଗାଁରେ ବୁଲି ଗାଉଥିଲେ ।
୧୯୨୦-୨୧ର ଅସହଯୋଗ ଆନ୍ଦୋଳନ ଏବଂ୧୯୩୦ର ଲବଣ ସତ୍ୟାଗ୍ରହ କାନ୍ତକବିଙ୍କର ପରିବାର ଉପରେ ଏକ ଗଭୀର ପ୍ରଭାବ ପକାଇଥିଲା । ଏହି ସବୁ ଆନ୍ଦୋଳନର ସୂତ୍ରଧାର ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ ଲକ୍ଷ୍ମୀକାନ୍ତଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଦେଶପ୍ରେମରେ ବୁଡ଼େଇଦେଲା । ତାଙ୍କ ବାପା ଭାଗବତ ପ୍ରସାଦ, ଭଉଣୀ କୋକିଳା ଦେବୀ ଓ ଜାହ୍ନବି ଦେବୀ ଏବଂ ସାନଭାଇ କମଳାକାନ୍ତ ପ୍ରମୁଖ ୧୯୩୦ ମସିହାର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହରେ ପ୍ରତ୍ୟକ୍ଷ ଭାବରେ ଭାଗ ନେଇଥିଲେ । ଏପରିକି କାନ୍ତକବିଙ୍କର ବଡ଼ ପୁଅ ନିତ୍ୟାନନ୍ଦ ମହାପାତ୍ର ଏଥିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ସେହି ସମୟରେ ସାଧାରଣ ଜନତାଙ୍କୁ ଏହି ସବୁ ଆନ୍ଦୋଳନରେ ଯୋଗଦାନ ପାଇଁ ପ୍ରବର୍ତ୍ତେଇବା ପାଇଁ ଏବଂ ସେମାନଙ୍କୁ ଜାତୀୟତା ପ୍ରତି ଆକର୍ଷଣ କରିବା ପାଇଁ କାନ୍ତକବି ଶ୍ରୀ ମହାପାତ୍ର ନିଜର କଲମର ସାହାଯ୍ୟ ନେଇଥିଲେ ଏବଂ ଗଳ୍ପ, ଉପନ୍ୟାସ, ନାଟକ ଓ କବିତାମାନ ରଚନା କରି ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ବଢ଼ାଇବାରେ ଲାଗି ପଡ଼ିଲେ । କାନ୍ତକବିଙ୍କ ରଚିତ ଦେଶାତ୍ମବୋଧ କବିତା ମାନ ଲୋକମାନଙ୍କୁ ଏକଜୁଟ କରିବାରେ ସାହାଯ୍ୟ କଲା । ସେଥିପାଇଁ ସାଧାରଣ ଜନତାଙ୍କୁ ଇଂରେଜମାନଙ୍କ ବିରୋଧରେ ଲଢ଼ିବାକୁ ଏବଂ ସ୍ୱାଧୀନତା ପ୍ରାପ୍ତ କରିବାକୁ ସେ କବିତାକୁ ନିଜର ଅସ୍ତ୍ର ଭାବରେ ବ୍ୟବହାର କଲେ ।
ସେତେବେଳେ ଓଡ଼ିଆ ସାହିତ୍ୟରେ ସତ୍ୟବାଦୀ ଯୁଗ ଚାଲିଥିଲା । ନୀଳକଣ୍ଠ ଦାସ ଏବଂ ଗୋଦାବରୀଶ ମିଶ୍ରଙ୍କ ଭଳି ପଥ ପ୍ରଦର୍ଶକମାନେ ପୁରାତନ ଖ୍ୟାତି, ସମ୍ଭ୍ରାନ୍ତ ପୃଷ୍ଠଭୂମି ଏବଂ ପୂରାତନ ପରମ୍ପରାକୁ ନେଇ ଜାତୀୟତାର ବାର୍ତ୍ତା ପ୍ରଚାର କରୁଥିବା ବେଳେ ମହାତ୍ମା ଗାନ୍ଧୀଙ୍କର ନିତୀ ଏବଂ ଆଦର୍ଶ ଅସଂଖ୍ୟ ଜନସାଧାରଣଙ୍କୁ ଜାତୀୟତା ପ୍ରତି ଆକର୍ଷଣ କରୁଥିଲା । ସେହିମାନଙ୍କଠାରୁ ଲକ୍ଷ୍ମୀକାନ୍ତଙ୍କୁ ଅଧିକରୁ ଅଧିକ ଉତ୍ତମ ଏବଂ ଶକ୍ତିଶାଳୀ ଦେଶପ୍ରମୀ କବିତା ଲେଖିବାକୁ ପ୍ରେରଣା ମିଳିଥିଲା, ଯାହାକି ସମାଜର ତୃଣମୂଳ ସ୍ତରରେ ପହଞ୍ଚିପାରିଲା ।
ଲକ୍ଷ୍ମୀକାନ୍ତଙ୍କର କବିତାଗୁଡ଼ିକ ଛୋଟ ହୋଇଥିଲେ ମଧ୍ୟ ଦେଶାତ୍ମବୋଧ ବଢ଼ାଇବାରେ ଶକ୍ତିଶାଳୀ ଥିଲା । ଓଡ଼ିଆ ଜାତି ମଧ୍ୟରେ ନିକୃଷ୍ଟତାକୁ ଦୂର କରି ଦୃଢ଼ ଆତ୍ମବିଶ୍ୱାସ ଜଗାଇବା ଏହି କବିତା ଗୁଡ଼ିକ ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଓଡ଼ିଆମାନଙ୍କର ହଜିଯାଇଥିବା ଖ୍ୟାତି ଏବଂ ପୁରାତନ ପରମ୍ପରାକୁ ଫେରି ପାଇବା ତଥା ମାତୃଭୂମି ଏବଂ ମାତୄଭାଷା ପ୍ରତି ପ୍ରେମ ଓ ଭକ୍ତି ଜାଗ୍ରତ କରିବା ଏହି କବିତା ମାନଙ୍କର ଅନ୍ୟ ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା । ମାତୃଭୂମିର ସେବା କରିବା ପାଇଁ ଦୁଇଟି ମୁଖ୍ୟ ଅସ୍ତ୍ର ହେଉଛି ତ୍ୟାଗ ଏବଂ ସମର୍ପଣ ଭାବ । ଏହି କଥା ସେ ନିଜର ୧୧ ନଂ କବିତା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇଥିଲେ । ସେହି ସମୟରେ ପ୍ରେଦେଶ କଂଗ୍ରେସର ଜିଲ୍ଲାସ୍ତରୀୟ ସମ୍ମିଳନୀ ଭଦ୍ରକରେ ଅନୁଷ୍ଠିତ ହୋଇଥିଲା । ସେଠାରେ ପାଖାଆଖର ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କ ସହ ଦୃଢ଼ବିଶ୍ୱାସୀ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ । ଏହି ସଭାର ପ୍ରାରମ୍ଭ ସଙ୍ଗୀତ ଭାବରେ କାନ୍ତକବିଙ୍କର ରହି କବିତାଟି ଗାନ କରାଗଲା ଏବଂ ସମସ୍ତଙ୍କୁ ମୋହିତ କରିଦେଲା । ଏହି ହୃଦୟସ୍ପର୍ଶୀ କବିତାଟି ଉପସ୍ଥିତ ସମସ୍ତ ଶ୍ରୋତାମଣ୍ଡଳୀକୁ ଜାତୀୟତା ପ୍ରେମରେ ଭାବପ୍ରବଣ କରିଦେଲା । ଶାନ୍ତ ଏବଂ ଗମ୍ଭୀର ପଡ଼ିଥିବା ସଭାଟି ହଠାତ୍ ମନ୍ତ୍ରମୁଗ୍ଧ ହୋଇଉଠିଲା । ପ୍ରସିଦ୍ଧ କଂଗ୍ରେସ ନେତା ଉତ୍କଳମଣି ଗୋପବନ୍ଧୁ ଦାସ ମଧ୍ୟ ସେହି ସଭାରେ ଉପସ୍ଥିତ ଥିଲେ । ସେ ଅନୁଗ୍ରହ ହୃଦୟର ସହ ମଞ୍ଚ ଉପରୁ ତଳକୁ ଆସିଲେ ଏବଂ ଲକ୍ଷ୍ମୀକାନ୍ତଙ୍କୁ ପ୍ରଶଂସା କରି କହିଲେ, “ଅହାଃ କେତେ ସୁନ୍ଦର କବିତାଟିଏ ରଚନା କରିଛ ଲକ୍ଷ୍ମୀକାନ୍ତ ।” ଉତ୍କଳମଣିଙ୍କର ଏହି ପଦିଏ ପ୍ରଶଂସାର ବାଣୀ ସେହି କବିତାର ଚୁମ୍ବକୀୟ ଆକର୍ଷଣକୁ ଉଦ୍ଦଜୀବିତ କରୁଥିଲା । ଏହା ଦେଶପ୍ରେମ ଜଗାଇବା ସହ ଅନେକଙ୍କ ହୃଦୟରେ ଏକ ଉଦ୍ଦୀପନା ସୃଷ୍ଟି କଲା । ମାତୃଭୂମି ପାଇଁ କିଛି କରିବା ପାଇଁ ହୃଦୟରୁ ଆପେ ଆପେ ଦେଶପ୍ରେମ ଜାଗ୍ରତ ହେଲା । ତାଙ୍କର ଆର୍ୟ୍ୟବାହିନୀ କବିତାରେ ଏହିଭଳି ଦେଶପ୍ରେମ ଲେଖା ରହିଛି, ଯାହାକି ଓଡ଼ିଶାର ଆତ୍ମଶକ୍ତିକୁ ପ୍ରତିଫଳିତ କରିଥିଲା ।
କାନ୍ତକବିଙ୍କ ରଚିଚ ଏହି ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଓଡ଼ିଶା ବିଧାନସଭାରେ ୧୯୯୪ ମସିହାରୁ ଉଦଯାପନୀ ସଂଗୀତ ଭାବେ ବୋଲାଯାଉଛି । ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ବାଚସ୍ପତି ଯୁଧିଷ୍ଠିର ଦାସ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରିଥିଲେ । ଜାତୀୟ ସଙ୍ଗୀତ ଜନଗଣ ମନ ଅଧିନାୟକ ଅଧିବେଶନ ଆରମ୍ଭରେ ଏବଂ ଶେଷରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ ଗାୟନ ହୋଇଥାଏ ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ଖୁବ୍ ଭଲ ପାଉଥିଲେ । ପ୍ରତ୍ୟେକ ସଭା ଶେଷରେ ବିଜୁ ବାବୁ କହୁଥିଲେ । ‘ବନ୍ଦେ ଉତ୍କଳ ଜନନୀ’ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଯେଉଁ କେତୋଟି ଉଗ୍ର ଜାତୀୟତାବାଦ ଉଦ୍ରେକକାରୀ ଦେଶାତ୍ମକବୋଧ ଗୀତ ଗୁଡ଼ିକ ରଚନା ରହିଛି ସେଥିମଧ୍ୟରେ କୋଟି କୋଟି କଣ୍ଠେ ଆଜି, ଉଠୁରେ ଗମ୍ଭୀର ବାଜି, ଉତ୍କଳର ଜୟଗୀତି, ଉନ୍ମାଦନା ଭରା, କମ୍ପି ଉଠୁ ଶୈଳରାଜି ସରାଗର ଧରା, ମୋର ଉତ୍କଳ ଜନନୀ, ଉଡ଼ାଇ ନଶାଣ ବଜାଇ ଭେରି, ଜଗାଇ ପୁଲକ କମ୍ପି, ମନ୍ତ୍ରପୁତ ଅନଳ ଭେଦି ପ୍ରଭୃତି ସଙ୍ଗୀତ ।
୧୯୦୮ ମସିହା ପୁରୀ ଉତ୍କଳ ସମ୍ମିଳନୀରେ କାନ୍ତକବି ପ୍ରଥମେ ସଭାରେ ଏହି ‘ବନ୍ଦେ ଉତ୍କଳ ଜନନୀ’ ଗୀତ ପରିବେଷଣ କରିଥିଲେ । ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୨୦ ବର୍ଷ ।
କାନ୍ତକବି ଲକ୍ଷ୍ମୀକାନ୍ତଙ୍କର ବିୟୋଗ ୧୯୫୩ ମସିହା ଫେବୃଆରୀ ୨୪ ତାରିଖରେ ହୋଇଥିଲା । ଆଜି କେବଳ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ନୁହେଁ ଅନେକ କାଳଜୟୀ ରଚନା ଲାଗି କାନ୍ତକବି ଆଜି ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟ କନ୍ଦରରେ ଅମର ହୋଇ ରହିଛନ୍ତି ।
Comments are closed.