Latest Odisha News

BREAKING NEWS

ଭାବର ଠାକୁର ସେ କାଳିଆ ସାଆନ୍ତ; ଜାଣନ୍ତୁ ମହାପ୍ରଭୁଙ୍କ ଅଦ୍ଭୁତ ଲୀଳା

ଭୁବନେଶ୍ୱର: ଘୋଷଯାତ୍ରା ହେଉଛି ପୁରୀ ତଥା ଦେଶ ବିଦେଶରେ ପାଳିତ ହେଉଥିବା ଏକ ଅନନ୍ୟ ପର୍ବ । ଏହା ଆଷାଢ ଶୁକ୍ଲ ଦ୍ୱିତୀୟା ତିଥିରେ ଧୁମଧାମରେ ପାଳିତ ହୋଇଥାଏ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରସିଦ୍ଧ ରଥଯାତ୍ରା ବିଶ୍ବବ୍ୟାପୀ ପରିବ୍ୟାପ୍ତ, କୁହାଯାଏ ଏହି ସମୟରେ ଭାବର ଠାକୁର କିଛିଦିନ ପାଇଁ ନିଜର କର୍ମସ୍ଥଳୀରୁ ବିରତି ନେଇ ଚାଲିଆସନ୍ତି ଭକ୍ତଙ୍କ ଗହଣରେ ବଡଦାଣ୍ଡକୁ । ଘୋଷ ଯାତ୍ରାରେ ନିଜ ଭକ୍ତମାନଙ୍କୁ ଦେଖାଦେବା ସହ ମାଉସୀ ମା’ ଘରକୁ ଯିବାରେ ଏତେ ବିଭୋର ଯେ କଳା ଠାକୁର, ନିଜ ସହଧର୍ମିଣୀ ଲକ୍ଷ୍ମୀ ଠାକୁରାଣୀଙ୍କୁ ମଧ୍ୟ ନିଜ ସହିତ ନେବାକୁ ଭୁଲି ଯାଇଥାଆନ୍ତି ।

ରଥ ଯାତ୍ରା ଦିନ ନୀତି ନିର୍ଘଣ୍ଟ ଅନୁଯାୟୀ ମହାପ୍ରଭୁମାନଙ୍କର ପହଣ୍ଡି ବିଜେ ହୋଇଥାଏ । ଆକ୍ଷରିକ ଅର୍ଥରେ ଗୋଟିଏ ଗୋଟିଏ ପାଦ ପକାଇ ଚାଲିବାକୁ ପହଣ୍ଡି ବିଜେ କୁହାଯାଏ । କୁହାଯାଏ ଭାବର ଠାକୁର ସତରେ କୁଆଡେ ଭାରି ମନୁଆ । ରଥ ଯାତ୍ରା ଦିନ ଠାକୁର ମାନଙ୍କର ମଙ୍ଗଳ ଆଳତି, ଅବକାଶ, ଖେଚେଡି ଭୋଗ, ମଙ୍ଗଳାପର୍ଣ ଆଦି ନୀତି ସରିଲା ପରେ ଯାଇ ଶ୍ରୀଜିଉ ମାନେ ପହଣ୍ଡି ବିଜେ କରିଥାଆନ୍ତି ।

ଏହାପରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରା ରୀତିନୀତି ଅନୁଷ୍ଠିତ ହେବା ପରେ ଯାଇ ରଥରୁ ଚାରମାର ଖୋଲାଯାଇଥାଏ । ଏଥିସହିତ ସାରଥୀ ଓ ଅଶ୍ୱରୁ ଦଉଡି କଢାଯାଇଥାଏ । ଯାହାଫଳରେ ରଥକୁ ଟଣାଯାଇପାରିବ ।
କିଛି ସମୟର ବ୍ୟବଧାନ ପରେ ତିନି ରଥ ବଡ ଦାଣ୍ଡରେ ଭକ୍ତ ଗହଣରେ ଝୁଲି ଝୁଲି ଆଗକୁ ଆଗକୁ ମାଡି ଚାଲିଥାଆନ୍ତି । ଏହାପରେ ପରେ ଘଣ୍ଟଘଣ୍ଟା ବାଦ୍ୟରେ ବଡଦାଣ୍ଡରୁ ଗୁଣ୍ଡିଚା ରାଣୀଙ୍କ ମନ୍ଦିରରେ ପହଞ୍ଚିଥାନ୍ତି ଶ୍ରୀଜିଉ ।

ଆଡପ ମଣ୍ଡପ- ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରିବିଗ୍ରହ ମାନେ ଯେଉଁ ସ୍ଥାନରେ ଏକ ସପ୍ତାହ ଧରି ଅବସ୍ଥାନ କରନ୍ତି, ତାହା ଆଡପ ମଣ୍ଡପ ନାମରେ ଜଣାଶୁଣା । ପୁରାଣରେ ଏହି ବୈଦିକ୍ ଯଜ୍ଞ ବେଦି ତଥା ମହାବେଦି ଭାବେ ଉଲ୍ଲେଖ କରାଯାଇଛି । ଆଡପ ମଣ୍ଡପରେ ଅଧିଷ୍ଠିତ ପ୍ରତିମା ଗୁଡିକୁ ଦର୍ଶନ ସହିତ ଅବଢା ସେବନ ଭକ୍ତମାନଙ୍କ ପାଇଁ ଏକ ନିଆରା ଅନୁଭବର କଥା! ଏ କଥା ସ୍ୱତନ୍ତ୍ର ଆଲୋଚନାର କଥା ଯେ:- “ଗୁଣ୍ଡିଚା ରାଣୀ’’ ଇତିହାସ ବା କିମ୍ବଦନ୍ତି, କାହାଣୀ କି କଳ୍ପନା ତାହା ଭିନ୍ନ କଥା; ଗୁଣ୍ଡିଚା ଯାତ ପାଇଁ ବ୍ୟାକୁଳ ଭକ୍ତଗଣ ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ । ବିଶ୍ୱାସ ହିଁ ସେମାନଙ୍କ ସଂସ୍କୃତି ନିଶାର ମୂଳ ଗଣ୍ଠି, ସେ ଯାହା ହେଉ ଏହି ଯାତ୍ରା କାହିଁ କେଉଁ କାଳରୁ ଗଡିଆସିଥିବା ପରମ୍ପରାର-ପୁଞ୍ଜି । ମହାପ୍ରଭୁ ଆଡପ ମଣ୍ଟପ ରେ ଅବସ୍ଥାନ କରୁଥିବା ସମୟରେ ଶ୍ରୀବିଗ୍ରହ ମାନଙ୍କ ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟ ଦାୟକ ଅଟେ । କୁହାଯାଏ ଭକ୍ତ ଭାବଗ୍ରାହୀଙ୍କୁ ନୀଳାଚଳରେ ଦଶବର୍ଷ ପୂଜା କଲେ ଯେଉଁ ଫଳ ମିଳେ, ଆଡପ ମଣ୍ଡପର ଗୋଟିଏ ଦିନ ଦର୍ଶନରେ ସେତିକି ପୁଣ୍ୟ ମିଳେ ।

ହେଲେ ସେଠାରେ କିଛି ଦିନର ରହଣୀ ପରେ କଳା ସାଆନ୍ତ ପୁଣି ତାଙ୍କର ଲୀଳାଖେଳା ଆରମ୍ଭ କରିଦିଅନ୍ତି ।

ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବୁଲି ଯାଇଥିବାରୁ ପ୍ରଚଣ୍ଡ କ୍ରୋଧିତ ହୋଇ ଉଠନ୍ତି ମାଆ ଲକ୍ଷ୍ମୀ । ମହାପ୍ରଭୁଙ୍କୁ ପାନେ ଚଖାଇବା ପାଇଁ ରାଗ ତମ ତମ ଲକ୍ଷ୍ମୀ ଠାକୁରାଣୀ ବାହାରି ପଡନ୍ତି ଗୁଣ୍ଡିଚା ମନ୍ଦିର ଆଡେ । ପରେ ଅଭିମାନୀ ମହାଲକ୍ଷ୍ମୀ କାହାକୁ କିଛି ନକହି ରଥ କାଠ ଭାଙ୍ଗି ପକାନ୍ତି । ଏହିକଥା ଜାଣିବା ପରେ ଦାରୁ ବ୍ରହ୍ମଙ୍କ ବାହୁଡା ଯାତ୍ରା ଆରମ୍ଭ ହୋଇଥାଏ।

Leave A Reply

Your email address will not be published.