Latest Odisha News

BREAKING NEWS

ପେଷାରେ ସେ ରିକ୍ସା ଚାଳକ, ନିଶା ତାଙ୍କର କବିତା ରଚନା; ଜାଣନ୍ତୁ ଏହି ରିକ୍ସାବାଲା କବିଙ୍କୁ

ଯାଜପୁର: ନିଶା ଆଗରେ ହାର ମାନିଛି ଦାରିଦ୍ର‌୍ୟତା । ପେଷା ସିନା ରିକ୍ସା ଚଳାଇବା ହେଲେ ନିଶା ତାଙ୍କର କବିତା ରଚନା କରିବା । ଏ ବ୍ୟକ୍ତି ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା କୋରାଇ ବ୍ଲକ କୋରାବନ୍ଦି ଗାଁର କୈଳାସ ପାତ୍ର । ସ୍ଥାନୀୟ ଅଂଚଳରେ ରିକ୍ସାବାଲା କବି ନାମରେ ସେ ବେଶ ପରିଚିତ । ରିକ୍ସା ଚଳାଇ ସେ ନିଜ ପରିବାରର ଗୁଜୁରାଣ ମେଂଟାନ୍ତି । ତାଙ୍କର ୬ ପ୍ରାଣି କୁଟମ୍ବ କେବଳ ଏହି ରିକସା ଉପରେ ନିର୍ଭର କରନ୍ତି । ରିକସା ଚାଳନାରୁ ଯାହା କିଛି ମିଳେ ସେଥିରେ ପରିବାର ଚଳାଇବା କଷ୍ଟ । କିନ୍ତୁ ଏତେ କଷ୍ଟ ଭିତରେ ମଧ୍ୟ ସାହିତ୍ୟ ରଚନା ପାଇଁ କେବେବି ଅଟକି ଯାଇନି ତାଙ୍କ କଲମର ମୁନ ।

ଆଜିକୁ ୨୦ ବର୍ଷ ଧରି ନିରନ୍ତର କବିତା ଓ ଜଣାଣ ରଚନା କରିବାରେ ଲାଗିଛନ୍ତି ସେ । ମା ଦାନ୍ତକାଠି ବିକି ତାଙ୍କୁ ପାଠ ପଢାଇଥିଲେ । ପାଖ ସ୍କୁଲରେ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପାଠ ପଢ଼ାରେ ଡୋରୀ ବନ୍ଧା ହୋଇଥିଲା । ପରେ ପରିବାର ଚଳାଇବା ପାଇଁ ସେ ରିକ୍ସା ଚଳାଇବା ଆରମ୍ଭ କରିଥିଲେ । କିନ୍ତୁ ତାଙ୍କ ନିଶା ଥିଲା କବିତା ଲେଖିବା । ତେଣୁ ରିକ୍ସା ଚଳାଇବା ସହ ଆଜି ପର୍ଯ୍ୟନ୍ତ ୫ ହଜାରରୁ ଉର୍ଦ୍ଧ କବିତା ଓ ଜଣାଣ ରଚନା କରି ରାଜ୍ୟର ପ୍ରତିଷ୍ଠିତ ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ବେଶ ପ୍ରଶଂସା ସାଉଂଟିପାରିଛନ୍ତି । ଏଥିସହିତ ଆକାଶବାଣୀ ଓ ଦୂରଦର୍ଶନରେ ମଧ୍ୟ ନିଜର ସୃଜନଶକ୍ତିର ପରିପ୍ରକାଶ କରିଛନ୍ତି । କୈଳାସଙ୍କ ଏଭଳି ନିଶା ପାଇଁ ପରିବାର ଲୋକେ ମଧ୍ୟ ବେଶ ସହଯୋଗ କରିଛନ୍ତି ।

କୈଳାସ ରିକ୍ସା ଚଳାଇ ନିଜର ପରିବାରର ପେଟ ପୋଶୁଥିଲେ । ହେଲେ କୋରୋନା ଜନିତ ଲକଡାଉନ ଯୋଗୁଁ ଏବେ ଘୋର ଆର୍ଥିକ ସଂକଟରେ ଗତି କରୁଛନ୍ତି ସେ । ଏଭଳି ପରିସ୍ଥିତିର ବି ସେ ଛାଡି ନାହାନ୍ତି କବିତା ଲେଖା । ନିଜର ଏକ କବିତା ସଂକଳନ ବା ବହି ପ୍ରକାଶ କରିବା ପାଇଁ ସେ ଉଦ୍ୟମ ଆରମ୍ଭ କରିଥିଲେ ହେଁ ଅର୍ଥ ଅଭାବ ଯୋଗୁଁ ଏହା ଅଧାରେ ରହିଯାଇଛି । ସେପଟେ କୈଳାସ ଙ୍କ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଥିବା ଏଭଳି ଭଲପାଇବା ପାଇଁ ତାଙ୍କ ଗ୍ରାମବାସୀ ଓ ପଡୋଶୀ ବେଶ ଗର୍ବ ଅନୁଭବ କରନ୍ତି । ଆଗାମୀ ଦିନରେ ଅଧିକରୁ ଅଧିକ ଶିଶୁ କବିତା ଓ ଜଣାଣ ରଚନା କରି ଓଡିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

ଆଗକୁ ବିଭିନ୍ନ କବିତା ସଂକଳନ କରି ଓଡିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବାକୁ କୈଳାସ ପଣ କରିଛନ୍ତି ।

Leave A Reply

Your email address will not be published.