ଭୁବନେଶ୍ୱର: ଓଡ଼ିଶାର ଲୋକ କଳା ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି ।
ଆମ ରାଜ୍ୟର ଲୋକକଳା ବିବିଧ ଏବଂ ଆକର୍ଷଣୀୟ। ଓଡ଼ିଶାରେ ବିଭିନ୍ନ ପ୍ରକାରର ଲୋକକଳା ରହିଛି। ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ‘ଭାରତ ଲୀଳା’ ଅନ୍ୟତମ। ଭାରତ ଲୀଳା ମୁଖ୍ୟତଃ ମହାଭାରତ ଉପରେ ପର୍ଯ୍ୟବେସିତ। ବିଶେଷକରି ଏହି ଲୋକକଳାରେ ପ୍ରହରୀ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି। ‘ଭାରତ ଲୀଳା’ରେ ହାସ୍ୟରସ, ମନୋରଞ୍ଜନ ଏବଂ ପୌରାଣିକ ତଥ୍ୟ ଭରପୂର ମାତ୍ରାରେ ରହିଛି।
ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣୀ ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି ।
ଆଜି ଆମେ ଆପଣଙ୍କୁ ଜଣାଇବୁ ଆମ ରାଜ୍ୟର ଅନ୍ୟତମ ଲୋକ ନୃତ୍ୟ ‘ଭାରତ ଲୀଳା’ ସମ୍ପର୍କରେ..
ଜନପ୍ରିୟ ଲୋକ ନାଟକ ହିସାବରେ ଓଡ଼ିଆ ଲୀଳାର ସ୍ଥାନ ଖୁବ୍ ଉଚ୍ଚରେ। ପରଂବ୍ରହ୍ମ ଭଗବାନଙ୍କ ବିଭିନ୍ନ ଅବତାର ଅଲୌକିକ ଘଟଣାକୁ ଉପଜିବ୍ୟ କରି ଯେଉଁ ଲାଳିତ୍ୟପୂର୍ଣ୍ଣ ସଙ୍ଗୀତମୟ ତଥା ରସମୟ ଅଭିନୟୋପଯୋଗୀ ରଚନା ସୃଷ୍ଟି ହୁଏ ତାହା ଲୀଳା ନାମରେ ଜଣା।
ଲୀଳା ଗୁଡିକ ଛନ୍ଦ ଯୁକ୍ତ କାବ୍ୟ ବା ଗୀତ ଗୁଣ ରୂପେ ଗ୍ରହଣ କରାଯାଏ। ମୁଖ୍ୟତଃ ୨ ଆରାଧ୍ୟ ଦେବତା କୃଷ୍ଣ ଏବଂ ରାମଙ୍କ କୌତୁକ ପୂର୍ଣ୍ଣ ଜୀବନବୃତ୍ତାନ୍ତ ଭିତ୍ତି କରି ଓଡ଼ିଆ ଲୀଳା ସମୃଦ୍ଧ। ଲୀଳା (ରାଧାପ୍ରେମ ଲୀଳା, ରାମ ଲୀଳା, କୃଷ୍ଣ ଲୀଳା, ଗୋପ ଲୀଳା, ଭାରତ ଲୀଳା) ଆଦି ପ୍ରମୁଖ।
ଗଞ୍ଜାମ ଜିଲ୍ଲାର ଭାରତ ଲୀଳା ଏକ ଅତ୍ୟନ୍ତ ଲୋକପ୍ରିୟ ଲୀଳା ମଧ୍ୟରୁ ଅନ୍ୟତମ । ଏଥିରେ ଅର୍ଜୁନ-ସୁଭଦ୍ରାଙ୍କ ମିଳନର କାହାଣୀ ଅଭିନୀତ ହୁଏ । ଏଯାବତ ଗଞ୍ଜାମରେ ଭାରତ ଲୀଳା ଗ୍ରାମାଞ୍ଚଳରେ ପର୍ବପର୍ବାଣି ସମୟରେ ଅନୁଷ୍ଠିରତ ହୁଏ ।
Comments are closed.