ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି ।
ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।
ଛଉ ନାଟ: ଏହା ହେଉଛି ଏକ ଯୁଦ୍ଧଭିତ୍ତିକ ଭାରତୀୟ ନାଟ ଯାହା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ ଜନ୍ମଲାଭ କରିଛି ।ଏହା ମୁଖ୍ୟତଃ ତିନି ପ୍ରକାରର:
ମୟୂରଭଞ୍ଜ ଛଉ: ଏହା ମୟୂରଭଞ୍ଜରୁ ଜନ୍ମଲାଭ କରିଛି । ଏଥିରେ ନାଟ ସାଙ୍ଗରେ ତୁରୀ, ମାଦଳ ଓ ଅନ୍ୟାନ୍ୟ ବାଦ୍ୟୟନ୍ତ୍ରର ବାଦନ କରି ନାଚ ମାଧ୍ୟମରେ ଯୁଦ୍ଧର ବର୍ଣ୍ଣନା କରାଯାଇଥାଏ ।
ସଢ଼େଇକଳା ଛଉ: ଏହା ପୁରାତନ ଓଡ଼ିଶା ଓ ଏବେକାର ଝାଡ଼ଖଣ୍ଡର ସଢ଼େଇକଳାରେ ଦେଖିବାକୁ ମିଳେ ।
ପୁରୁଲିଆ ଛଉ: ଏହା ପଶ୍ଚିମବଙ୍ଗର ପୁରୁଲିଆ ଠାରେ ଦେଖିବାକୁ ମିଳେ। ଓଡ଼ିଆ ଭାଷାର ପ୍ରଖ୍ୟାତ ସାହିତ୍ୟିକ ଓ ଗବେଷକ ସୀତାକାନ୍ତ ମହାପାତ୍ରଙ୍କ ଅନୁସାରେ “ଛଉ” ଶବ୍ଦ ଓଡ଼ିଆ ଶବ୍ଦ “ଛାଉଣି”ରୁ ଆସିଅଛି ଯାହାର ଅର୍ଥ ସେନାଛାଉଣି ଓ ଏହା ରାଜାରାଜୁଡ଼ା ସମୟର ସେନାମାନଙ୍କ ଯୁଦ୍ଧ କଳାରୁ ଜନ୍ମ ନେଇଛି ।
ଛଉନାଚ ଚୈତ୍ର ମାସର ଶେଷ ଭାଗରେ ଅନୁଷ୍ଠିତ ହୁଏ । କୃଷିଭିତ୍ତିକ ସଭ୍ୟତାର ଏହା ପ୍ରଥମ ପର୍ବ । ପ୍ରାୟ ସବୁ ଲୋକନୃତ୍ୟ ପରି ଛଉରେ ମଧ୍ୟ ପ୍ରଥମେ ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରାଯାଏ । ପରେ ରଙ୍ଗ ବାଜା ବାଜେ । ମଞ୍ଚ ଉପରକୁ ଆସନ୍ତି ନଟ-ନଟୀ, ନାଟକ ବିଷୟରେ ସୂଚନା ଦିଅନ୍ତି ।
ହସ୍ତ ପଦ ଚାଳନାର ବିଭିନ୍ନ କୌଶଳ ହିଁ ଏହା ଦ୍ୱାରା ଶିକ୍ଷା କରାଯାଏ । ଛଉନାଚ ମୁଖ୍ୟତଃ ମୂକାଭିନୟ । ବଚିକ ଅଭିନୟ ନାହିଁ କହିଲେ ଚଳେ। କଳାକାର ମାନେ ଗୀତ ଗାଇବା ପରିବର୍ତ୍ତେ ନେପଥ୍ୟରୁ ଅନ୍ୟ କଳାକାର ଗୀତ ଗାଇଥାନ୍ତି ଓ ତାହାକୁ ଅନୁସରଣ କରି ଅଭିନେତା ଅଭିନୟ କଳା ଚାଲୁରଖିଥାଏ । ବର୍ତ୍ତମାନ ‘ଛଉନାଚ’ ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ମଧ୍ୟ ଲାଭ କରିଛି।
Comments are closed.