Latest Odisha News

BREAKING NEWS

ଶ୍ରୀମନ୍ଦିର ବେଢାରେ ସୂର୍ଯ୍ୟ ମନ୍ଦିର; କାହିଁକି ଏଠାରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୁଏ, ଜାଣନ୍ତୁ…

ପୁରୀ: ମହାନ ହିନ୍ଦୁଧର୍ମରେ ସୂର୍ଯ୍ୟଦେବଙ୍କୁ ଶ୍ରଦ୍ଧାଳୁମାନେ ଆଦିତ୍ୟ ନାରାୟଣ ଭାବେ ପୂଜା କରିଥାଆନ୍ତି । ଲୋକକଥା ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବର୍ତ୍ତମାନର ପୁରୀ ଶ୍ରୀମନ୍ଦିରସ୍ଥିତ ସୂର୍ଯ୍ୟନାରାୟଣ ମନ୍ଦିର ଧର୍ମଦେବତାଙ୍କ ସକାଶେ ନିର୍ମାଣ କରାଯାଇଥିଲା । ନବଗ୍ରହ ମନ୍ଦିର ନିକଟରେ ଏହା ଅବସ୍ଥିତ । ମାତ୍ର ଏବେ ବୈବାହିକ ନିର୍ବନ୍ଧ କାର୍ଯ୍ୟ ଏଠାରେ କରାଯାଉଛି ।

ଏଠାରେ ନିର୍ବନ୍ଧ କଲେ ସମ୍ପର୍କ ଜନ୍ମ ଜନ୍ମାନ୍ତରକୁ ନିବୀଡ ରୁହେ ବୋଲି କୁହାଯାଏ । ଏଥିପାଇଁ ଏଠାକୁ ବହୁ ଦୂର ଦୂରାନ୍ତରରୁ ଭକ୍ତ ତଥା ଶ୍ରଦ୍ଧାଳୁମାନେ ଆସୁଛନ୍ତି । ଏହାକୁ ଇନ୍ଦ୍ର ମନ୍ଦିର ଓ ସୂର୍ଯ୍ୟ-ଚନ୍ଦ୍ର ମନ୍ଦିର ମଧ୍ୟ କୁହାଯାଏ ।

ଭୋଇ ବଂଶର ରାଜା ନରସିଂହ ଦେବ ୧୬୨୨-୧୬୪୪ ଖ୍ରୀଷ୍ଟାବ୍ଦ ମଧ୍ୟରେ କୋଣାର୍କରୁ ଚନ୍ଦ୍ର-ସୂର୍ଯ୍ୟଙ୍କୁ ଆଣି ଏଠାରେ ସଂସ୍ଥାପନା କରିଥିବା ମାଦଳା ପାଞ୍ଜିରୁ ଜଣାଯାଇଛି । ୧୬୨୮ ମାର୍ଚ୍ଚ ୧୭ରେ ଗଜପତି ନରସିଂହ ଦେବ କୋଣାର୍କ ମନ୍ଦିରରୁ ଉପରୋକ୍ତ ଦେବଙ୍କୁ ଇନ୍ଦ୍ରଙ୍କ ମନ୍ଦିରରେ ସ୍ଥାପନ କରାଇଥିଲେ । ବିମାନ, ଜଗମୋହନ ଓ ନାଟ ମନ୍ଦିରରେ ମନ୍ଦିରଟି ବିଭକ୍ତ । ଉଚ୍ଚତା ୬୩ ଫୁଟ ।

ଶ୍ରୀମନ୍ଦିର ପରେ ଏହି ମନ୍ଦିରଟି ଅନ୍ୟାନ୍ୟ ମନ୍ଦିର ଅପେକ୍ଷା ବଡ । ସୂର୍ଯ୍ୟନାରାୟଣ ମଣି ବିଗ୍ରହର ଠିକ୍ ପଛ ପାଖରେ ଅର୍ଦ୍ଧ ଭଗ୍ନ ଇନ୍ଦ୍ରଙ୍କର ବିଗ୍ରହ ଥିବା ଜଣାଯାଏ । ଜଗମୋହନ ମଧ୍ୟ ଭାଗରେ ଏକ ରଥାକୃତି କାଷ୍ଠ ସିଂହାସନରେ ଧାତୁ ନିର୍ମିତ ସୂର୍ଯ୍ୟ ପ୍ରତିମାଙ୍କର ଚଳନ୍ତି ବିଗ୍ରହ ଓ ବାମ ଭାଗରେ ଛାୟା ବିଗ୍ରହ ବା ଚନ୍ଦ୍ର ବିଗ୍ରହ ରହିଛି । ତିନି ମୁଣ୍ଡ, ଗୋଡ, ପାଂଚ ହାତ ମଣି ବିଗ୍ରହ “ଜ୍ୱର ଦେବତା’’ ରହିଛନ୍ତି । ରଥ ଉପରେ ପଦ୍ମ ମାଧବ ବିଗ୍ରହ ରଥାସୀନ ।

Leave A Reply

Your email address will not be published.