Latest Odisha News

BREAKING NEWS

ଜାଣନ୍ତୁ, ଆଠଗଡ଼ର ମା’ ଭଟ୍ଟାରିକା ମନ୍ଦିର ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର: ଭଟ୍ଟାରିକା ମନ୍ଦିର ଓଡ଼ିଶାର କଟକର ଆଠଗଡ଼ଠାରେ ବଡ଼ମ୍ବା ବ୍ଳକର ଶଶାଙ୍ଗ ଗ୍ରାମରେ ରହିଛି। ଏହା ହେଉଛି ହିନ୍ଦୁ ଦେବୀ ‘ମା ଭଟ୍ଟାରିକା’ଙ୍କର ମନ୍ଦିର ।ଏହା ମହାନଦୀ କୂଳରେ ଅବସ୍ଥିତ । ଏହି ପୀଠରେ ମାଙ୍କୁ ଷୋଡ଼ଶୀ ଭାବେ କଳ୍ପନା କରାଯାଇଛି ।

କିମ୍ବଦନ୍ତୀ…

ଇତିହାସ ଅନୁଯାୟୀ ପୁରୀ ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ହଟ୍ଟ ଓ ମଲ୍ଲ ନାମକ ଦୁଇଭାଇ ଏଠାରେ ଶଙ୍କ ଓ ମହୁରୀ ନାମକ ଦୁଇ ଗ୍ରାମ ବସାଇଥିଲେ । କାଳକ୍ରମେ ଏହି ଦୁଇଗାଁ ମିଶି ଏବେ ଶଙ୍ଖାମେରି ହୋଇଛି । ଦୁଇଭାଇ ନିଜର ଗଡ଼ ତିଆରି କରିବା ନିମନ୍ତେ ସ୍ଥାନ ସନ୍ଧାନ କଲାବେଳେ, ଗୋଟିଏ ଶବରଙ୍କ ଦଖଲରେ ଥିବା ଗୋଟିଏ ଜାଗାରେ ଅଲୌକିକ ଘଟଣା ଦେଖି ଜାଣିଲେ ଯେ ତାହା ହିଁ ବୀରମାଟି, ଗଡ଼ ନିର୍ମାଣ ନିମନ୍ତେ ଉପଯୁକ୍ତ ସ୍ଥାନ । କିନ୍ତୁ ଶବର ନିଜର ଆସ୍ଥାନ ଖାଲି କରିବାକୁ ପ୍ରସ୍ତୁତ ନଥିଲେ ।

ତେଣୁ ଦୁଇଭାଇ ଯୁଦ୍ଧ କଲେ, ଯୁଦ୍ଧରେ ଶବରଙ୍କ ମୃତ୍ୟୁ ପରେ ଶବରୀଙ୍କ ସହ ମଧ୍ୟ ଯୁଦ୍ଧ କଲେ । ଶବରୀ ମଧ୍ୟ ହାରିଲେ, ମୃତ୍ୟୁ ପୂର୍ବରୁ ସେ ଦୁଇଭାଇଙ୍କୁ ଖାରୋଡ଼ର ମହାକାଳୀ ଓ ମାଭଟ୍ଟାରିକାଙ୍କୁ ପୂଜା କରିବାକୁ ଉପଦେଶ ଦେଲେ । ଏହା ପରେ ଦୁଇଭାଇ ସେଠରେ ମାଙ୍କ ମନ୍ଦିର ନିର୍ମାଣ କରିଥିଲେ । ଭଟ୍ଟାରିକାଙ୍କ ଏକ ନାମ ବୃହଦମ୍ବା, ଅନୁସାରେ ସେମାନେ ନିଜର ରାଜ୍ୟକୁ ନାମିତ କରିଥିଲେ, ପରେ ତାହା ଅପଭ୍ରଂଶ ହୋଇ ବଡ଼ମ୍ବା ହୋଇଅଛି ।

ଏହି ଦେବୀପୀଠ ଶାକ୍ତ ଓ ଶୈବ ଧର୍ମର ସମ୍ମିଳିତ ଉପାସନା କ୍ଷେତ୍ରରୂପେ ବିଦିତ । ରାଜା ପର୍ଶୁରାମ ନିଜ ତୀରମୁନରେ ପ୍ରସ୍ତର ଖୋଦେଇ କରି ଶକ୍ତିସ୍ଵରୂପିଣୀ ମହାମାୟା ମା’ଭଟ୍ଟାରିକାଙ୍କ ମୂର୍ତ୍ତି ଗଢି ପୂଜା କରିଥିଲେ, ତେଣୁ ଏହି ଶକ୍ତିପୀଠକୁ ପର୍ଶୁରାମପୀଠ କୁହାଯାଏ ଏବଂ ମା’ଙ୍କୁ ଭକ୍ତମାନେ ଅଭୟ ବରଦାୟିନୀଭାବେ ପୂଜାକରିଥା’ନ୍ତି । କିମ୍ବଦନ୍ତୀ ଅନୁସାରେ, ପୃଥିବୀକୁ କ୍ଷତ୍ରିୟଶୂନ୍ୟ କରିବା ନିମନ୍ତେ ପର୍ଶୁରାମ ମା ଭଟ୍ଟାରିକାଙ୍କୁ ପ୍ରାର୍ଥନା କରି ତାଙ୍କଠାରୁ ବରଲାଭ କରିଥିଲେ । ବିଷ୍ଣୁକଳା ପ୍ରାପ୍ତି ପାଇଁ ମା ତାଙ୍କୁ କଣ୍ଟିଲୋର ପଦ୍ମକ୍ଷେତ୍ରରେ ନୀଳମାଧବଙ୍କୁ ପୂଜା କରିବାଲାଗି ଉପଦେଶ ଦେବା ସହ ସହସ୍ରାର୍ଜୁନ ନିଧନ ନିମନ୍ତେ ଦିବ୍ୟାସ୍ତ୍ର ପ୍ରଦାନ କରିଥିଲେ । ପୁରାଣ ଅନୁସାରେ ପର୍ଶୁରାମ ସହସ୍ରାର୍ଜୁନଙ୍କ ଠାରୁ ପରାଜିତ ହେଲାପରେ ମା ଦୁର୍ଗାଙ୍କୁ ପୂଜା କରିବା ପରେ ସେ ପର୍ଶୁରାମଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ବିଜେ ହୋଇ ତାଙ୍କୁ ରକ୍ଷା କରିଥିଲେ ।ଏଠାରେ ଦେବୀଙ୍କୁ ରନ୍ଧା ମାଛଭୋଗ ଅର୍ପଣ କରାଯାଇଥାଏ ।

Leave A Reply

Your email address will not be published.