Latest Odisha News

BREAKING NEWS

ଦାନ୍ତ ଡାକ୍ତରରୁ ମୁଖ୍ୟମନ୍ତ୍ରୀ ଯାତ୍ରା: ଜାଣିଛନ୍ତି ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଏସବୁ କଥା?

ଅଗରରାଲା: ଆଜି ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ମାଣିକ ଶାହା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ । ତେବେ ଶାହା ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ମୋଦିଙ୍କ ବ୍ୟତୀତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ । ତେବେ ଜଣେ ଡେଣ୍ଟିଷ୍ଟ ଭାବରେ ଜଣାଶୁଣା ମାଣିକଙ୍କୁ ୨୦୨୨ ମସିହାରେ ପ୍ରଥମ ଥର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।

ଏହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ମାଣିକ ଛଅ ବର୍ଷ ପୂର୍ବେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ଆଉ ଏତେ ଶୀଘ୍ର ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ କେହି ଚିନ୍ତା କରିନଥିଲେ । ୨୦୧୬ରେ ବିଜେପିରେ ଯୋଗ ଦେବା ପରେ ୨୦୧୮ ନିର୍ବାଚନରେ ଯେତେବେଳେ ତ୍ରିପୁରାରେ ଥିବା ଵାମ ଦଳର ସରକାରକୁ ହଟାଇ ବିଜେପି ଜିତିଥିଲା, ଏହା ପଛରେ ମାଣିକଙ୍କର ହାତ ଥିବାର କୁହାଯାଏ । ୨୦୧୮ରେ, ବିଜେପି ସରକାର ଗଠନ କରାଯାଇଥିଲା ଏବଂ ବିପ୍ଳବ ଦେବ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେତେବେଳେ ବିପ୍ଳବ ଦେବ ତ୍ରିପୁରା ବିଜେପିର ସଭାପତି ମଧ୍ୟ ଥିଲେ ।

ବିପ୍ଳବ ମୁଖ୍ୟମନ୍ତ୍ରୀ ହେବା ପରେ ୨୦୨୦ରେ ମାଣିକ ଶାହା ବିଜେପି ରାଜ୍ୟ ସଭାପତି ହୋଇଥିଲେ । ସେ ପ୍ରଥମେ ବିଜେପିର ସଂଗଠନ ମଜବୁତ କରିବା କାର୍ଯ୍ୟ ଆରମ୍ଭ କରିଥିଲେ | ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିବା ମାଣିକ ଶାହା ବୃତ୍ତି ଅନୁଯାୟୀ ଜଣେ ଦନ୍ତ ଚିକିତ୍ସକ । ସେ ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ କଲେଜରେ ପାଠ ପଢ଼ିଛନ୍ତି । ସେ ମଧ୍ୟ ଜଣେ ଖେଳାଳି । ସେ ମଧ୍ୟ ତ୍ରିପୁରା କ୍ରିକେଟ ଆସୋସିଏସନର ସଭାପତି ଥିଲେ ।

Leave A Reply

Your email address will not be published.