Latest Odisha News

BREAKING NEWS

ରତ୍ନସିଂହାସନରେ ଶ୍ରୀଜଗନ୍ନାଥ: ଜାଣନ୍ତୁ, କାହିଁକି ଦର୍ଶନ କଲେ ଧୋଇଯାଏ ସବୁ ପାପ !

ପୁରୀ: ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କଲେ ସବୁ ଜନ୍ମର ପାପ ଧୋଇ ହୋଇଯାଏ । ସେଥିପାଇଁ ପୁରୀକୁ ଭକ୍ତ ଓ ଶ୍ରଦ୍ଧାଳୁ ମାଡି ଆସିଥାନ୍ତି । ଆସନ୍ତୁ ଜାଣିବା ଆଶ୍ଚର୍ଯ୍ୟଜନକ ରତ୍ନ ସିଂହାସନ ସମ୍ପର୍କରେ କିଛି ରୋଚକ ତଥ୍ୟ ।

ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁସାରେ ବଡ ଦେଉଳର ପ୍ଲଟ ନଂ ୧ରେ ରତ୍ନବେଦୀ ବା ରତ୍ନମଣ୍ଡପ ବା ରତ୍ନସିଂହାସନ ଅବସ୍ଥିତ । ଏହି ସିଂହାସନରେ ଚତୁର୍ଦ୍ଧାମୂର୍ତି ବ୍ୟତୀତ ଅନ୍ୟ ଦେବାଦେବୀମାନେ ମଧ୍ୟ ବିରାଜମାନ କରନ୍ତି । ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ମୂଖ୍ୟ ଠାକୁର । ସୁଦର୍ଶନ, ମଦନମୋହନ (ଅଷ୍ଟଧାତୁ ପ୍ରତିମା), ଶ୍ରୀଦେବୀ (ସୁନା ମୂର୍ତ୍ତି) ଓ ଭୂଦେବୀ (ରୂପା ମୂର୍ତ୍ତି) । ମଦନ ମୋହନଙ୍କୁ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା କୁହାଯାଏ ।

ଶ୍ରୀମନ୍ଦିର ଗର୍ଭଗୃହରେ ଏହା ଅବସ୍ଥାପିତ । ଗର୍ଭ ଗୃହର ଆକାର ଉଭୟ ଲମ୍ବ ଏବଂ ପ୍ରସ୍ଥରେ ୩୦ ଫୁଟ ଲେଖାଏଁ ଓ ଉଚ୍ଚତା ୪୮ ଫୁଟ । ଏହା ମଧ୍ୟରେ ପ୍ରତିଷ୍ଠିତ ରତ୍ନ ସିଂହାସନର ଦୈର୍ଘ୍ୟ ୧୬ ଫୁଟ, ପ୍ରସ୍ଥ ୧୩ଫୁଟ ଓ ୪ଫୁଟ ଉଚ୍ଚତା । ଏହା ଉପରେ କାଷ୍ଠ ନିର୍ମିତ କନକ ମୁଣ୍ଡି ରହିଛି । ଜଗମୋହନର ଉଚ୍ଚତା ୧୦୦ ଫୁଟ । କନକ ମୁଣ୍ଡିର ତଳେ ଏକ ବିରାଟ ଚାନ୍ଦୁଆ ଆବରଣ ରହିଛି । ଏହି ରତ୍ନବେଦୀ ଉପରେ ତିନୋଟି କଳା ମୁଗୁନି ପ୍ରସ୍ତରର ଚକା ରହିଛି, ଯାହା ଉପରେ ଚତୁର୍ଦ୍ଧା ଦାରୁମୂର୍ତି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଅଧିଷ୍ଠିତ ହୋଇଛନ୍ତି । ଚତୁର୍ଦ୍ଧା ମୂର୍ତ୍ତିଙ୍କ ସହ ନୀଳମାଧବ ଏବଂ ଶ୍ରୀଦେବୀ (ଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୁର୍ତି) ଓ ଭୂଦେବୀ (ସରସ୍ୱତୀଙ୍କର ରୂପା ମୂର୍ତି) ମଧ୍ୟ ରତ୍ନସିଂହାସନସୀନ ।

ଏହି ସିଂହାସନ ଚାରିପଟେ ପରିକ୍ରମା କରିବା ପାଇଁ ବାଟ ରହିଛି । ପରଂବ୍ରହ୍ମରୂପୀ ଶ୍ରୀବିଗ୍ରହମାନେ ଏହି ମଣ୍ଡପ ବା ବେଦୀରେ ଅବସ୍ଥାନ କରୁଥିବାରୁ ଏହା ଅତ୍ୟନ୍ତ ପବିତ୍ରମୟ ତଥା ବ୍ରହ୍ମଶିଳାମୟ ହୋଇଛି ।

ସିଂହାସନ ଚାରିପଟେ ଲକ୍ଷ ଲକ୍ଷ ଶାଳଗ୍ରାମ ପୋତା ହୋଇ ରହିଛି ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ।

ସେଥିପାଇଁ ଅନେକ ପୁରୀ ବାସିନ୍ଦା ଏହା ଚାରିପଟେ ପରିକ୍ରମା କରିବାକୁ ପସନ୍ଦ କରି ନ ଥାନ୍ତି । ଏହା ଶାଳଗ୍ରାମଙ୍କୁ ଅପମାନ ବୋଲି ସେମାନେ ମନେ କରନ୍ତି । ଏହି ଜନଶ୍ରୁତି ସମ୍ପର୍କରେ କୌଣସି ଗବେଷକ ସ୍ପଷ୍ଟ ମତ ପୋଷଣ କରିନାହାନ୍ତି ।

Leave A Reply

Your email address will not be published.