ସିଡନୀ: ନଭେମ୍ବର ୨୨ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଆରମ୍ଭ ହେବ । ଏଥି ପାଇଁ ଭାରତୀୟ ଟିମରେ ଅଷ୍ଟ୍ରେଲିଆରେ ପଂହଚିଛନ୍ତ । ଏହି ସିରିଜରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । କୋହଲି ଏଠାରେ ପଂହଚିବା ପରେ ସ୍ଥାନୀୟ ଗଣମାଧ୍ୟମରେ ତାଙ୍କ ଚର୍ଚ୍ଚା ଜୋର ଧରିଛି । ଦି ରିଟର୍ଣ୍ଣ ଅଫ ଦି କିଙ୍ଗ ଟାଇଟଲ ସହ ଦି ୱେଷ୍ଟ ଅଷ୍ଟ୍ରେଲିଆ ପ୍ରଥମ ପୃଷ୍ଠାରେ ଖବର ପ୍ରକାଶ କରିଛି । ଏହାର ପର ପୃଷ୍ଠାରେ ହୋଲି କୋହଲି( ପବିତ୍ର କୋହଲି) ଲେଖା ହୋଇଛି ।
କିଙ୍ଗ ତାଙ୍କ ବିଦାୟୀ ସିରିଜରେ ସାରା ବିଶ୍ୱରେ ଚହଳ ପକାଇବାକୁ ଯାଉଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ଦି ଟେଲିଗ୍ରାଫ ଏହି ସିରିଜକୁ ଯୁଗର ଶ୍ରେଷ୍ଠ ମୁକାବିଲା ଭାବେ ବିବେଚନା କରିଛି । ହେରାଲ୍ଡସନ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି କୋହଲି ଏହା ଶେଷ ଅଷ୍ଟ୍ରେଲିଆ ଗସ୍ତ । ସେ ଏହାକୁ ନିଶ୍ଚିତ ଭାବେ ସ୍ମରଣୀୟ କରିବାକୁ ଚାହିଁବେ । କୋହଲିଙ୍କ ବ୍ୟତୀତ ଯଶସ୍ୱୀ ଜୈସୱାଲଙ୍କୁ ନୂଆ ରାଜା ଆଖ୍ୟା ଦେଇ ଷ୍ଟୋରୀ ପ୍ରକାଶ କରିଛି ।
ଚଳିତ ବର୍ଷ କୋହଲିଙ୍କ ୩ଟି ଯାକ ଫର୍ମାଟରେ ପ୍ରଦର୍ଶନ ସେଭଳି ପ୍ରଶଂସନୀୟ ହୋଇ ନାହିଁ । ସେ ୧୯ଟି ମ୍ୟାଚର ୨୫ ଇନିଂସରେ ୨୦.୩୩ ଆଭରେଜରେ ୪୮୮ ରନ ସଂଗ୍ରହ କରିଛନ୍ତି । ଏଥିରେ ୨ଟି ଅର୍ଦ୍ଧଶତକ ସାମିଲ । କୋହଲି ଟେଷ୍ଟ କ୍ରିକେଟରେ ୫ଟି ମ୍ୟାଚର ୧୦ଟି ଇନିଂସରେ ୧୯୨ ରନ କରିଛନ୍ତି । କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବଦା ଭଲ ପ୍ରଦର୍ଶନ କରିଛନ୍ତି । ସେ ୨୫ ଟେଷ୍ଟରେ ୨୦୦୦ରୁ ଅଧିକ ରନ କରିଛନ୍ତି । ଏଥର ମଧ୍ୟ ସେ ସମାଲୋଚକଙ୍କ ମୁହଁ ବନ୍ଦ କରିବେ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି ।
Comments are closed.