Latest Odisha News

BREAKING NEWS

କୋହଲିଙ୍କ ନଜର ଏହି ୮ ରେକର୍ଡ ଉପରେ

ଚେନ୍ନାଇ: ବାଂଲାଦେଶ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୮ଟି ରେକର୍ଡ ଭଙ୍ଗ କରିବା ଲକ୍ଷ୍ୟରେ ରହିଛନ୍ତି । ସେ ୫୮ ରନ କଲେ ଆନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଦ୍ରୁତ ୨୭୦୦୦ ରନ ସଂଗ୍ରହରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭଙ୍ଗ କରିବେ । ସଚିନ ୬୨୩ ଇନିଂସରେ ଏହା ହାସଲ କରିଥିବା ବେଳେ କୋହଲି ୫୯୧ ଇନିଂସରେ ୨୯୯୪୨ ରନ କରିଛନ୍ତି । ସେହିପରି ୧୧ ରନ କଲେ ଘରୋଇ ପରିବେଶରେ ୧୨୦୦୦ ରନ କ୍ଲବରେ ସାମିଲ ହେବେ । କୋହଲି ଟେଷ୍ଟରେ ୧୧୩ଟି ମ୍ୟାଚ ଖେଳି ୧୯୧ ଇନିଂସରେ ୮୮୪୮ ରନ କରିଛନ୍ତି । ସେ ଏହି ସିରିଜରେ ୧୫୨ ରନ ସଂଗ୍ରହ କଲେ ଟେଷ୍ଟରେ ୯୦୦୦ ରନ କରିବାରେ ୪ର୍ଥ ବ୍ୟାଟ୍ସମ୍ୟାନ ହେବେ ।

ଟେଷ୍ଟରେ ସେ ଏ ପର୍ଯ୍ୟନ୍ତ ୨୯ ଶତକ ମାରିଛନ୍ତି । ଆଉ ଗୋଟିଏ ଶତକ ହାସଲ କଲେ ମହାନ କ୍ରିକେଟର ଡନ ବ୍ରାଡମ୍ୟାନଙ୍କ ରେକର୍ଡ ଭଙ୍ଗ କରିବେ । ୩୦ ଶତକ ହାସଲ କରି ସେ ମାଥ୍ୟୁ ହେଡେନ, ଶିବନାରାୟଣ ଚନ୍ଦରପାଲଙ୍କ ସହ ସମକକ୍ଷ ହେବେ । ସେହିପରି ୧୭୯ ରନ ସଂଗ୍ରହ କଲେ ଘରୋଇ ପରିବେଶରେ ସର୍ବାଧିକ ରନ ସଂଗ୍ରହରେ ବ୍ରାଡମ୍ୟାନଙ୍କୁ ପଛରେ ପକାଇବେ । ଜୋ ରୁଟଙ୍କୁ ଅତିକ୍ରମ କରିବା ପାଇଁ କୋହଲି ୧୩୫ ରନ ଆବଶ୍ୟକ କରୁଛନ୍ତି । ସମ୍ପୂର୍ଣ୍ଣ ସିରିଜରେ ୩ଟି ଅର୍ଦ୍ଧଶତକ ହାସଲ କଲେ ଘରୋଇ ପରିବେଶରେ ୧୦୦ ଥର ପଚାଶରୁ ଊର୍ଦ୍ଧ୍ୱ ସ୍କୋର କରିବା ଖାସ କ୍ଲବରେ ସାମିଲ ହେବେ ।

Leave A Reply

Your email address will not be published.