Latest Odisha News

BREAKING NEWS

କୋଲକାତା ହରର…ବଢିଲା ତାତି

କୋଲକାତା: ପଶ୍ଚିମବଙ୍ଗ ସରକାରୀ ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା। ସାମନାକୁ ଆସିଛି ଭୟଙ୍କର ଅପରାଧର ଛାତିଥରା କାହାଣୀ । ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜ ହଷ୍ଟେଲରେ ଘଟଣା ଘଟିଛି । ଗତ ଗୁରୁବାର ରାତ୍ରୀଭୋଜନ ପରେ ପିଜି ଦ୍ବିତୀୟ ବର୍ଷର ମେଡିକାଲ ଛାତ୍ରୀ ତୃତୀୟ ମହଲାରେ ରହିଥିବା ସେମିନାର ହଲକୁ ପଢିବାକୁ ଯାଇଥିଲେ । ହେଲେ କିଏ ଜାଣିଥିଲା, ସେଠି ଅପେକ୍ଷା କରି ବସିଛି କାଳ ରାତି । କିଏ ଜାଣିଥିଲା ବାପା ମାଆଙ୍କ ଗେହ୍ଲା ଝିଅ ସେଠୁ ଆଉ ଫେରିବନି । ଶୁକ୍ରବାର ସକାଳେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା, ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

କୋଲକାତାର ଏହି ଛାତିଥରା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ପୋଲିସ ଘଟଣାରେ ଦୁଷ୍କର୍ମ ଓ ହତ୍ୟା ମାମଲା ଦର୍ଜ କରିଛି । ସିସିଟିଭି ଫୁଟେଜ ଆଧାରରେ ଅସ୍ଥାୟୀ କର୍ମଚାରୀ ସଂଜୟ ରାୟଙ୍କୁ ଗିରଫ କରାଯାଇଛି । ମାଜିଷ୍ଟ୍ରେଟଙ୍କ ସାମନାରେ ଅଟୋପସି କରାଯାଇଥିବା ବେଳେ ଏହାର ଭିଡିଓଗ୍ରାଫି କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୀଡ଼ିତାଙ୍କ ବାପା ମାଆଙ୍କ ସହ କଥା ହୋଇଛନ୍ତି । ମାମଲାର ତଦନ୍ତ ପାଇଁ ପଶ୍ଚିମବଙ୍ଗ ପୋଲିସ ଏସଆଇଟି ଗଠନ କରିଛି । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରେ ଟ୍ରେନି ଡାକ୍ତରଙ୍କୁ ଯୌନ ଉତ୍ପୀଡନ କରାଯାଇଥିବା ଜଣାପଡିଛି । ରାତି ୩ଟାରୁ ସକାଳ ୬ଟା ମଧ୍ୟରେ ଅପରାଧ ହୋଇଥିବା ପୋଲିସ କହିଛି ।

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ମମତା ବାନାର୍ଜୀଙ୍କ ସରକାର ମାମଲାକୁ ଗୁରୁତ୍ବର ସହ ନେଉନଥିବା ନେଇ ସେ ସମାଲୋଚନା କରିଛନ୍ତି । ନିରପେକ୍ଷ ତଦନ୍ତ ଦାବିରେ ବିଭିନ୍ନ ଛାତ୍ର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

Comments are closed.