Latest Odisha News

ମନମୋହୁଛି କୋଣାର୍କ ମହୋତ୍ସବ; ବାଲିନିଜ୍ ଓ ଓଡିଶୀ ନୃତ୍ୟରେ ଝୁମିଲେ ଦର୍ଶକ

କୋଣାର୍କ: ଓଡିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଇଣ୍ଡୋନେସିଆର ବାଲିନିଜ୍ ନୃତ୍ୟ ଓ ଶାସ୍ତ୍ରୀୟ ଓଡିଶୀ ନୃତ୍ୟରେ ପୁରାଣର କଥାବସ୍ତୁ ଦର୍ଶକଙ୍କୁ ବିମୋହିତ କରିଛି ।

ଇଣ୍ଡୋନେସିଆର ସୁପ୍ରସିଦ୍ଧ ବାଲିନିଜ୍ ନୃତ୍ୟରେ ରାମାୟଣ ମହାକାବ୍ୟ ଆଧାରିତ ସୀତା ହରଣ ପ୍ରସଙ୍ଗକୁ ଶିଳ୍ପୀଗଣ ମଞ୍ଚାୟିତ କରିଥିଲେ । ସୁବର୍ଣ୍ଣ ହରିଣୀ ପଛରେ ଶ୍ରୀରାମଙ୍କ ଅନୁଧାବନ, ଲକ୍ଷ୍ମଙ୍କର ଜ୍ୟେଷ୍ଠ ଭ୍ରାତାଙ୍କୁ ସହାୟତା ଦେବା ପାଇଁ ପ୍ରସ୍ଥାନ, ଦଶାନନଙ୍କ ସୀତା ହରଣ ଜଟାୟୁଙ୍କ ପ୍ରତିରୋଧ ସହ ରାବଣଙ୍କ ଦ୍ୱାରା ନିଧନର ପ୍ରତିଟି କଥା ବସ୍ତୁକୁ ଚିତ୍ରିତ କରିଥିଲେ ଇଣ୍ଡୋନେସିଆ ଶିଳ୍ପୀ ।

ବାଲିନିଜ୍ ନୃତ୍ୟର ଦ୍ୱିତୀୟ ପ୍ରସ୍ତୁତିରେ ରହିଥିଲା ସମସାମୟିକ ସେଲଟ୍ ସେଗାରା ଯାହା ବାଲିଦ୍ୱିପକୁ ଆସୁଥିବା ଅତିଥିଙ୍କ ସମ୍ମାନରେ ସ୍ୱାଗତ ନୃତ୍ୟ ଭାବେ ପରିବେଶିତ ହୋଇଥାଏ । ଓଡିଶା ସହ ବାଣିଜ୍ୟିକ ସମ୍ପର୍କ ଓ ଭାରତ ସହ ସାଂସ୍କୃତିକ ସମ୍ପର୍କରେ ଅନୁବନ୍ଧିତ ଇଣ୍ଡୋନେସିଆର ଏହି ନୃତ୍ୟ ଦର୍ଶକଙ୍କୁ ହଜିଲା ଦିନର ଗୈାରବମୟ ଗାଥାକୁ ମନେ ପକେଇ ଦେଇଥିଲା ।

ଦ୍ୱିତୀୟ ଚରଣରେ ଗୁରୁ ଆଲୋକା କାନୁନଗୋଙ୍କ ସଂରଚନାରେ ସିଂଜନ୍ ନୃତ୍ୟାଳୟ କୋଲକତାର ଶିଳ୍ପୀମାନେ ଓଡିଶୀ ନୃତ୍ୟ ପରଶି ଦେଇଥିଲେ । ସୂର୍ଯ୍ୟ ସ୍ତୃତିରୁ ଆରମ୍ଭ ହୋଇଥିଲା ଓଡିଶୀ ଶିଳ୍ପୀଙ୍କ ପରିବେଷଣ ।

ବ୍ରହ୍ମା-ବିଷ୍ଣୁ ଓ ମହେଶ୍ୱରଙ୍କ ସୂରୁପ-ଆଦିତ୍ୟଙ୍କ ଉପାସନା ପରେ ପରେ ଶୁଦ୍ଧ ନୃତ୍ୟ ପଲ୍ଲବୀକୁ ପ୍ରସ୍ତୁତ କରିଥିଲେ ଓଡିଶୀ ନୃତ୍ୟ ଶିଳ୍ପୀ ଯାହା ରାଗ ମାନ ସମାହାର ଆଧାରରେ ସଂରଚିତ ହୋଇଥିଲା । ଅନ୍ତିମ ପ୍ରସ୍ତୁତିରେ ଦେବୀ ଆରାଧନା ସମ୍ବଳିତ ଦଶମହାବିଦ୍ୟାକୁ ନୃତ୍ୟାର୍ଯ୍ୟ ଭାବେ ଭେଟି ଦେଇଥିଲେ ସିଂଜନ୍ ନୃତ୍ୟାଳୟର ଶିଳ୍ପୀ ।

ସେହିପରି ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବରେ ଶିଳ୍ପୀଙ୍କ କଳା ଚାତୁରୀକୁ ଦେଖିବା ପାଇଁ ଚନ୍ଦ୍ରଭାଗା ବେଳାଭୁମୀରେ ପର୍ଯ୍ୟଟକଙ୍କ ବେଶ ଭିଡ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.