Latest Odisha News

BREAKING NEWS

କଥା ରଖିଲେ ବର୍ଷା, ରେକର୍ଡ ହେଲା ନମିତାଙ୍କ ପ୍ରଥମ ଗୀତ

ଭୁବନେଶ୍ୱର: କଥା ଦେଇ କଥା ରଖିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଶେଷରେ କୋରାପୁଟର ସିଙ୍ଗିଙ୍ଗ ସେନ୍‌ସେସନ୍ ନମିତା ମେଲେକାଙ୍କ ପୂରଣ ହେଲା ସ୍ୱପ୍ନ । ରେକର୍ଡ ହେଲା ତାଙ୍କ ପ୍ରଥମ ଗୀତ । କୋରାପୁଟର ଆଦିବାସୀ ଝିଅ ନମିତା  ମେଲେକାଙ୍କ ଗୀତକୁ ନେଇ ଏବେ ଗାଁରୁ ସହର ସବୁଠି ଚର୍ଚ୍ଚା | ନିଜ କୁଇ ଭାଷା ସହ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଗୀତ ଗାଇ ସୋସିଆଲ ମିଡ଼ିଆରେ ସେ ଚର୍ଚ୍ଚାରେ ରହିଛନ୍ତି |

ନମିତାଙ୍କ ଯାଦୁକରୀ କଣ୍ଠ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଶେଷ ପ୍ରଭାବିତ କରିଥିଲା ଏବଂ ସେ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଘୋଷଣା କରିଥିଲେ | ବର୍ଷା ନିଜର କଥା ରଖିଛନ୍ତି | ଆଉ ନମିତାଙ୍କ  ସ୍ବପ୍ନ ପୂରଣ ହୋଇଛି | ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ  ଆନନ୍ଦଙ୍କ ତତ୍ତ୍ୱାବଧାନରେ ନମିତା ଆଜି ନିଜର ପ୍ରଥମ ଗୀତ ରେକର୍ଡ କରିଛନ୍ତି | ଏହି ଗୀତର ଗୀତିକାର ହେଲେ ସ୍ବନାମଧନ୍ୟ ଗୀତିକାର ବିଜୟ ମଲ୍ଲ।

ନମିତା ଯେଉଁ ଗୀତରେ କଣ୍ଠଦାନ କରିଛନ୍ତି, ତାହା ଏକ ଜଗନ୍ନାଥ ଭଜନ। ଏହାର ଟ୍ୟାଗଲାଇନ୍ ହେଲା –ନିନୁନା, ଜିଉତି ଜୀବନ… (ଯାହାର ଓଡ଼ିଆରେ ଭାବାର୍ଥ ହେଲା- ତୁ ମୋର ଜୀବର ଜୀବନ)। ଏହା ଉଭୟ ଓଡ଼ିଆ ଏବଂ କୁଇ ଭାଷାରେ ରଚିତ ହୋଇଛି। ଏହି ଗୀତର ଅବଧି ପ୍ରାୟ ସାଢେ ୪ ମିନିଟ୍ ବୋଲି ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦ ସୂଚନା ଦେଇଛନ୍ତି। ଏହି ଗୀତଟି ବର୍ଷା ପ୍ରିୟଦର୍ଶିନୀଙ୍କ ୟୁଟ୍ୟୁବ୍ ଚାନେଲରେ ରିଲିଜ୍ ହେବ ବୋଲି ସଙ୍ଗୀତକାର କହିଛନ୍ତି। ଏହି ଗୀତ ରେକର୍ଡିଂ ସମୟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଗୀତିକାର ବିଜୟ ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.