Latest Odisha News

BREAKING NEWS

କାଶୀପୁରରେ ହଇଜା ସ୍ଥିତି ଅନୁଧ୍ୟାନ କଲେ କୋରାପୁଟ ସାଂସଦ

ରାୟଗଡ଼ା: କାଶୀପୁର ବ୍ଲକରେ କଲେରା ବ୍ୟାପି ଇତି ମଧ୍ୟରେ ୨୪ ଦିନ ବିତିବାକୁ ବସିଲାଣି । ତଥାପି ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନି । ପ୍ରତ୍ୟେକ ଦିନ ନୂଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଅନୁରୂପ ଭାବେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଆଜି କୋରାପୁଟ ସାଂସଦ ସପ୍ତଗିରି ଉଲାକା କାଶୀପୁର ବ୍ଲକ ଗସ୍ତ କରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । କାଶୀପୁର ବ୍ଲକର ବିଭିନ୍ନ ଗାଁରେ ଗତ ୨୪ ଦିନ ମଧ୍ୟରେ ହଇଜା ବ୍ୟାପି ସରକାରୀ ଭାବେ  ୧୦ ଜଣ ଏବଂ ବେସରକାରୀ ଭାବେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ୩୮୦ରୁ ଅଧିକ ଲୋକ ହଇଜାରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

କାଶୀପୁରର ଏଭଳି ସ୍ଥିତି ପାଇଁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ସାଂସଦଙ୍କ ନେତୃତ୍ବରେ ଜିଲ୍ଲା କଂଗ୍ରେସ କମିଟିର ଗୋଟିଏ ଟିମ୍ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ମୃତକଙ୍କ ପରିବାରକୁ ଭେଟି ରାସନ ସାମଗ୍ରୀ ଯୋଗାଇଛନ୍ତି । ଏଥିସହ ବିଭିନ୍ନ ମେଡିକାଲ ମାନଙ୍କରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କୁ ମଧ୍ୟ ଭେଟି ଆଲୋଚନା କରିଛନ୍ତି । ଉଲାକାଙ୍କ ନିଜ ବାସଭବନ ଠାରୁ ମାତ୍ର ୪୦ କିଲୋମିଟର ଦୂରରେ କାଶୀପୁର ବ୍ଲକରେ ହଇଜାରେ ୨୪ ଦିନ ମଧ୍ୟରେ ୧୩ ଜଣ ମୃତ୍ୟୁ ବରଣ କରିଛନ୍ତି । ଅଥଚ ସାଂସଦ ଏତେ ଦିନ ପରେ ବି ସଂସଦରେ ଏନେି ସ୍ୱର ନ ଉଠାଇବାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଟିକିରି ଗସ୍ତ ସମୟରେ ସାଂସଦ କହିଛନ୍ତି, ସରକାରଙ୍କ ଅପାରଗତା ଯୋଗୁଁ ଲୋକେ ଶୁଦ୍ଧ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି । କାଶୀପୁର ବ୍ଲକର ନୀରିହ ଆଦିବାସୀ ମାନେ ପ୍ରଥମେ ଝାଡ଼ାବାନ୍ତି ଓ ପରେ ହଇଜା ଆକ୍ରାନ୍ତ ହୋଇଛନ୍ତି । ପ୍ରତିବର୍ଷ ଏଭଳି ଘଟୁଛି । ହେଲେ ୮୦ ଦଶକରୁ ଏହି ବ୍ଲକ ପାଇଁ ସ୍ଵତନ୍ତ୍ର ଯୋଜନା ହେଉଥିବା ବେଳେ ଅର୍ଥର ଅଭାବ ନାହିଁ । ବ୍ଲକରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ତେଣୁ ପ୍ରତିବର୍ଷ ଏଠି ପୋକ ମାଛି ପରି ମରୁଛନ୍ତି ଲୋକ । ସେଥିପାଇଁ ସରକାର ଦାୟୀ ବୋଲି କହିଛନ୍ତି ସାଂସଦ ।

ତେବେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ଉଭୟ ସରକାରଙ୍କୁ ଦାବି କରିଛନ୍ତି । ମୃତ୍ୟୁକୁ ସେ ମନୁଷ୍ୟ କୃତ ବୋଲି କହିବା ସହ ଏଥିପାଇଁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦାୟୀ । ବିରୋଧରେ ସ୍ଵତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ଜଣା ପଡ଼ିବ । ସଂସଦର ମୌସୁମୀ ଅଧିବେଶନରେ ଏକଥାକୁ ସେ ସଂସଦରେ ଉଠାଇବେ ବୋଲି କହିଛନ୍ତି । ପ୍ରଶାସନର ସୂଚନା ମୁତାବକ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୧, ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୯ , ଉତ୍କଳ ଆଲୁମିନା ଉଷାପଡାରେ ୧୮ ଏବଂ ଟିକିରି ଉତ୍କଳ ହସ୍ପିଟାଲରେ ୧୪ ଜଣ ଏଭଳି ୫୨ ଜଣ ହାଇଜାରେ ଆକ୍ରାନ୍ତ ଆଜି ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.