Latest Odisha News

BREAKING NEWS

ସୀମାନ୍ତବାସୀ ଉତ୍ସାହିତ; କୋଟିଆ ରଥଯାତ୍ରାରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀଙ୍କ ସହ ୫ମନ୍ତ୍ରୀ

କୋରାପୁଟ:ସୀମାନ୍ତ କୋଟିଆରେ ରଥ ଟାଣିଲେ ଉପମୁଖ୍ୟମନ୍ତ୍ରୀଙ୍କ ସହ ୫ ମନ୍ତ୍ରୀ । କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତରେ ରଥଟଣା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ସିଂଦେଓ ଅନ୍ୟ ମନ୍ତ୍ରୀ, ଏମ୍‌ପି ଓ ବିଧାୟକମାନେ ରଥ ଟାଣି ଅଙ୍ଗନଓ୍ବାଡି କେନ୍ଦ୍ରର ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ।

ରାଜନୈତିକ ମତଭେଦକୁ ଭୁଲି ଉଭୟ ଶାସକ ଓ ବିରୋଧୀ ମିଶି ବିବାଦୀୟ କୋଟିଆରେ ରଥ ଟାଣିନେବା ସହ ଭକ୍ତିଭାବରେ ବିଭୋର ହୋଇଛନ୍ତି । କେବଳ ଶାସକଦଳର ମନ୍ତ୍ରୀ ନୁହଁନ୍ତି କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପାରମ୍ପରିକ ନୃତ୍ୟ, ଗୀତ ମାଧ୍ୟମରେ ଅତିଥି ମାନଙ୍କୁ ସ୍ବାଗତ କରିଛନ୍ତି କୋଟିଆ ଅଞ୍ଚଳବାସୀ ।

୩ ଠାକୁରଙ୍କ ପହଣ୍ଡିରେ ଅଂଶଗ୍ରହଣ କରିଥିଲେ। ସମସ୍ତେ କୋଟିଆ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ। ଥାନା ନିକଟରେ ନବନିର୍ମିତ ଗେଷ୍ଟ ହାଉସ୍‌ ଉଦ୍‌ଘାଟନ କରିଥିଲେ।

ଏଥିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସମେତ ରାଜସ୍ବ ଓ ବିପର୍ଯ୍ୟସ୍ତ ମନ୍ତ୍ରୀ ସୁରେଶ ପୂଜାରୀ, ବାଣିଜ୍ୟ ପରିବହନ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କୋରାପୁଟ ଏମ୍‌ପି ସପ୍ତଗିରି ଉଲକା, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ୍‌, କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲାପାଳ ଭି.କୀର୍ତ୍ତି ୱାସନ ଓ ଜିଲା ଏସ୍‌ପି ରୋହିତ ଭର୍ମା ପ୍ରମୁଖ ଯୋଗଦେଇଥିଲେ।

ତେବେ କୋଟିଆ ଅଞ୍ଚଳରେ ଏକା ସାଙ୍ଗରେ ରାଜ୍ୟ ସରକାରଙ୍କ ୫ଜଣ ମନ୍ତ୍ରୀଙ୍କ ସହ ବିରୋଧୀ ଦଳଙ୍କ ଏକତା ପଡ଼ୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଦୃଢତାର ବାର୍ତ୍ତା ଦେଇଛି । ନଜରରେ ରହିଛି ଆନ୍ଧ୍ର ସରକାର ଏହି ଅଞ୍ଚଳକୁ ନିଜ ଦଖଲକୁ ନେବାକୁ ଚକ୍ରାନ୍ତ କରିଆସୁଛନ୍ତି ।

ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ, ଦଳମତ ନିର୍ବିଶେଷରେ କୋଟିଆ ପାଇଁ ସମସ୍ତେ ଏକ ହୋଇ ଲଢ଼ିବୁ ବୋଲି ନେତା, ମନ୍ତ୍ରୀମାନେ ଗୋଟିଏ ସ୍ବରରେ କହିଛନ୍ତି । ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି ।

Comments are closed.