‘Krida O Kridabit’: ପୁସ୍ତକର ପ୍ରତି ପୃଷ୍ଠାରେ ବଞ୍ଚିରହିବ ଅଶୋକ ମହାନ୍ତିଙ୍କ କ୍ରୀଡ଼ା ପ୍ରେମ, ‘କ୍ରୀଡ଼ା ଓ କ୍ରୀଡ଼ାବିତ୍’ ଲୋକାର୍ପିତ
ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ଜଗତର ଏକ ସ୍ମରଣୀୟ ଅଧ୍ୟାୟକୁ ପୁସ୍ତକ ମାଧ୍ୟମରେ ସାଇତି ରଖିବାର ବଡ ପ୍ରୟାସ। ପରଲୋକଗତ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତିଙ୍କ ଲିଖିତ ‘କ୍ରୀଡ଼ା ଓ କ୍ରୀଡ଼ାବିତ୍’ ପୁସ୍ତକ ଶନିବାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଭବ୍ୟ ଉତ୍ସବରେ ଲୋକାର୍ପିତ ହୋଇଛି।
ଟେନିସ ଅଡିଟୋରିୟମ୍ରେ ଆୟୋଜିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଭଳି ଏକ କ୍ରୀଡ଼ା ପୁସ୍ତକର ଲୋକାର୍ପଣ କାର୍ଯ୍ୟକ୍ରମରେ ଅତିଥି ହେବା ତାଙ୍କ ପାଇଁ ପ୍ରଥମ ଅନୁଭୂତି ବୋଲି କହିବା ସହ ‘କ୍ରୀଡ଼ା ଓ କ୍ରୀଡ଼ାବିତ୍’ରେ ଥିବା ତଥ୍ୟ କ୍ରୀଡ଼ାପ୍ରେମୀଙ୍କ ପାଇଁ ଉପାଦେୟ ହେବ ବୋଲି ସେ କହିଥିଲେ। ଏଥିସହିତ ପୁସ୍ତକଟିର ବ୍ୟାପକ ପ୍ରଚାର ଓ ବିତରଣ ପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ସମ୍ଭବ ସହଯୋଗ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ତେବେ ଅଶୋକ ମହାନ୍ତି ସ୍ମୃତି କମିଟି ଓ ଭୁବନେଶ୍ୱର କ୍ରୀଡ଼ା ସଂସଦର ମିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ଅଶୋକ ମହାନ୍ତିଙ୍କ ଓଡ଼ିଶା କ୍ରୀଡ଼ା ପ୍ରତି ଅବଦାନକୁ ସ୍ମରଣ କରାଯାଇଥିଲା। ବକ୍ତାମାନେ ତାଙ୍କ ସହ ବିତାଇଥିବା ସମୟ ଓ କ୍ରୀଡ଼ା କ୍ଷେତ୍ରରେ ତାଙ୍କ ଭୂମିକାର ମନେ ପକାଇଥିଲେ।
ଏହି ଅବସରରେ ଓଡ଼ିଶା ଅଲିମ୍ପିକ ସଂଘ ସଭାପତି ସମୀର ମହାନ୍ତି ପୁସ୍ତକର ପ୍ରଥମ ଗ୍ରାହକ ଭାବେ ଏହାକୁ କିଣି ରାଜ୍ୟର ଆଥଲେଟିକ୍ ସଂଘଗୁଡ଼ିକୁ ପଠାଇବା ନେଇ ଘୋଷଣା କରିଥିଲେ। ପୁସ୍ତକର ପ୍ରକାଶିକା ଲିଜାଶ୍ରୀ ବିଶୋୟୀଙ୍କୁ ସମ୍ମାନିତ କରାଯିବା ସହ ଅଶୋକ ମହାନ୍ତିଙ୍କ ଝିଅ ଅମ୍ରିତା ମହାନ୍ତି ଓ ଜ୍ୱାଇଁ ସଂଗ୍ରାମ ମହାନ୍ତିଙ୍କୁ ପ୍ରଥମ ପୁସ୍ତକ ଉପହାର ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବହୁ କ୍ରୀଡ଼ାବିତ୍, କୋଚ୍, କ୍ରୀଡ଼ା ସଂଗଠକ ଓ କ୍ରୀଡ଼ା ସାମ୍ବାଦିକ ଯୋଗଦେଇ ଅଶୋକ ମହାନ୍ତିଙ୍କ ସ୍ମୃତିକୁ ମନେ ପକାଇଥିଲେ।


Comments are closed.