ନୂଆଦିଲ୍ଲୀ: ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ରେ ଆଲୋଚନା କରିଛନ୍ତି। ଉଭୟ ନେତା ଭାରତ-ଆମେରିକା ବ୍ୟାପକ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବା ନେଇ ଚର୍ଚ୍ଚା କରିଥିବା ମୋଦୀ ‘ଏକ୍ସ’ରେ ସୂଚନା ଦେଇଛନ୍ତି।
ତେବେ ଦୁଇ ନେତାଙ୍କ ଏହି ଆଲୋଚନା ପରେ ଭାରତ-ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନାକୁ ନେଇ ଆଶା ବଢ଼ିଛି। ଯଦିଓ ଫୋନ୍ କଥାବାର୍ତ୍ତାରେ ବାଣିଜ୍ୟ ଡିଲ୍ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଘୋଷଣା ହୋଇନାହିଁ, ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବା ନେଇ ଆଲୋଚନା ହୋଇଥିବାରୁ ଟ୍ରେଡ୍ ଡିଲ୍ ନେଇ ନୂଆ ଆଶା ସୃଷ୍ଟି ହୋଇଛି।
ମୋଦୀ କହିଛନ୍ତି, ଜେଡି ଭାନ୍ସଙ୍କ ସହ ଆଲୋଚନା ସମୟରେ ଭାରତ ଓ ଆମେରିକା ମଧ୍ୟରେ ବ୍ୟାପକ ବିଶ୍ୱ ରଣନୈତିକ ସହଭାଗିତାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବାର ଉପାୟ ନେଇ ଚର୍ଚ୍ଚା ହୋଇଛି। ଏହା ସହ ଜେଡି ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସଙ୍କୁ ପୁଅ ସନ୍ତାନ ଜନ୍ମ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ସମଗ୍ର ପରିବାରକୁ ମଧ୍ୟ ଶୁଭକାମନା ଜଣାଇଛନ୍ତି।
ଏପଟେ ଦୁଇ ନେତାଙ୍କ ମଧ୍ୟରେ ଏହି ଆଲୋଚନା ଏଭଳି ଏକ ସମୟରେ ହୋଇଛି, ଯେତେବେଳେ ରୁଷିଆରୁ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକାର ସମ୍ଭାବ୍ୟ ଅତିରିକ୍ତ ଶୁଳ୍କକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଆମେରିକୀୟ ସିନେଟ୍ରେ ରୁଷିଆ ଓ ଇରାନ୍ ବିରୋଧରେ କଠୋର କଟକଣା ସମ୍ପର୍କିତ ବିଲ୍ ପାରିତ ହୋଇଛି। ଏହି ବିଲ୍ ଆଇନରେ ପରିଣତ ହେଲେ ରୁଷିଆରୁ ତୈଳ କିଣୁଥିବା ପ୍ରମୁଖ ଦେଶଗୁଡ଼ିକର ସାମଗ୍ରୀ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗିପାରେ।
ଏଭଳି ସମ୍ବେଦନଶୀଳ ସମୟରେ ମୋଦୀ-ଭାନ୍ସଙ୍କ ଫୋନ୍ କଥାବାର୍ତ୍ତା ହୋଇଥିବାରୁ ଏହାକୁ ନେଇ କୂଟନୈତିକ ଓ ବାଣିଜ୍ୟିକ ମହଲରେ ଚର୍ଚ୍ଚା ବଢ଼ିଛି। ୨୦୨୨ରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ପରେ ବିଶ୍ୱ ବଜାରରେ ଅସ୍ଥିରତା ମଧ୍ୟରେ ଭାରତ ନିଜ ଶକ୍ତି ଆବଶ୍ୟକତା ପୂରଣ ପାଇଁ ରିହାତି ଦରରେ ରୁଷିଆରୁ ଅଧିକ ପରିମାଣର ଅଶୋଧିତ ତୈଳ କିଣିଆସୁଛି। ଏପରି ସ୍ଥିତିରେ ଜେଡି ଭାନ୍ସ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଲୋଚନାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।


Comments are closed.