ଓଡ଼ିଶା ସମ୍ବାଦ ବ୍ୟୁରୋ: ଉତ୍ତର ଭାରତର ଅନେକ ଅଞ୍ଚଳରେ ଦୀର୍ଘ କିଛି ଦିନ ଧରି ବର୍ଷାର ପ୍ରକୋପ ଲାଗି ରହିଛି। ହିମାଚଳ ପ୍ରଦେଶରେ ପ୍ରକୃତି ପୁଣି ତାଣ୍ଡବ ଦେଖାଇଛି। ସୋମବାର କୁଲ୍ଲୁ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଲଗାଣ ବର୍ଷା ସାଙ୍ଗକୁ ବାଦଲ ଫଟା ବର୍ଷା ଯୋଗୁଁ ହିମାଚଳ ପ୍ରଦେଶର କୁଲ୍ଲୁ ସର୍ବାଧିକ ପ୍ରଭାବିତ ହୋଇଛି। ପାହାଡ କିମ୍ବା ସମତଳ ହେଉ, ସତେ ଯେପରି ସବୁଆଡେ ହଇଚଇ ସୃଷ୍ଟି କରିଛି।
ହିମାଚଳ ପ୍ରଦେଶର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥାନ କୁଲ୍ଲୁରେ ବାଦଲ ଫଟା ବର୍ଷା ସବୁକିଛି ନଷ୍ଟ କରିଦେଇଛି। ସୂଚନାନୁସାରେ, ସୋମବାର ସକାଳେ କୁଲ୍ଲୁ ଜିଲ୍ଲାର ନିଓଲି ଡ୍ରେନ୍ ନିକଟରେ ବାଦଲ ଫଟା ବର୍ଷା ହୋଇଥିଲା। ଫଳରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ଏବଂ ଯାନବାହାନ ଚଳାଚଳ ଠପ୍ ହୋଇଗଲା। ବର୍ତ୍ତମାନ ବନ୍ୟା ଯୋଗୁଁ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଏହି ପରି ଘଟଣା କୁଲୁରେ କ୍ରମାଗତ ଭାବରେ ରେକର୍ଡ ସୃଷ୍ଟି କରିଛି। ଲଗାତାର ବର୍ଷା, ନଦୀରେ ଜଳ ବୃଦ୍ଧି ଯୋଗୁଁ ଏପର୍ଯ୍ୟନ୍ତ ଏଠାରେ ୧୮ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏଥିରେ ସାମିଲ ଅଛନ୍ତି ଶ୍ରୀଖଣ୍ଡ ମହାଦେବଙ୍କ ଯାତ୍ରାରେ ଯାଉଥିବା ୮ ଶ୍ରଦ୍ଧାଳୁ।
ହିମାଚଳ ପ୍ରଦେଶର ଡିଜିପି ସଞ୍ଜୟ କୁଣ୍ଡୁଙ୍କ ଅନୁଯାୟୀ କୁଲ୍ଲୁର ବନ୍ୟା ପ୍ରଭାବିତ ଅଞ୍ଚଳରୁ ଏପର୍ଯ୍ୟନ୍ତ ୭୦,୦୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥିମଧ୍ୟରୁ ପ୍ରାୟ ୨୯ ଟି ଦେଶର ୬୮୭ ପର୍ଯ୍ୟଟକ ସାମିଲ ଥିଲେ। ଏବେବି ସର୍ଚ୍ଚ ଅପରେସନ କରି ବିଭିନ୍ନ ସ୍ଥାନରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଥାଉକି ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରୁ ୪୦୦ରୁ ଅଧିକ ଲୋକେ ଇସ୍ରାଇଲ, ଋଷର ୧୦୦ ପର୍ଯ୍ୟଟକ, ଆମେରିକାର ୪୦ ପର୍ଯ୍ୟଟକ ମଧ୍ୟ ଏଥିରେ ସାମିଲ ଅଛନ୍ତି। ଅନ୍ୟ ଦେଶର ନାଗରିକମାନଙ୍କୁ କୁଲ୍ଲୁରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।
Comments are closed.