Latest Odisha News

BREAKING NEWS

କୁଆଁରୀଙ୍କ ପର୍ବ କୁମାର ପୂର୍ଣ୍ଣିମା; ଜାଣନ୍ତୁ ଏହାସହ ଜଡିତ ଇତିହାସ ଓ ପରମ୍ପରା

“କୁଆଁର ପୁନେଇ ଜହ୍ନଲୋ ଫୁଲ ବଉଳ ବେଣୀ । କୁଆଁରୀ ଝିଅଙ୍କ ଅପୂର୍ବ ଆନନ୍ଦ ପୁଚି ଖେଳିବାକୁ ମନଗୋ ଫୁଲ ବଉଳବେଣୀ”।।

କୁଆଁରୀ ଝିଅଙ୍କ ପର୍ବ କୁଆଁରପୁନେଇ । ଏହିଦିନ କୁଆଁରୀ ମାନେ ସଜବାଜ ହୋଇ ହାତରେ ପୂଜାଥାଳି ଧରି ଚାନ୍ଦ ବନ୍ଦେଇବାକୁ ଅଗଣାରେ ଏକାଠି ହୋଇଥାନ୍ତି । ଲୋକକଥା ଅନୁଯାୟୀ ଏହି ପୂଜା କୁଆଁରୀ ଝିଅମାନେ ନିଷ୍ଠାର ସହ କଲେ ତାଙ୍କୁ ଚାନ୍ଦପରି ସୁନ୍ଦର ଓ ଶୀତଳ( ସ୍ୱଭାବର ରାଗି ନୁହେଁ) ବର ମିଳିଥାଏ ।

ହିନ୍ଦୁଶାସ୍ତ୍ର ଅନୁସାରେ ଆଶ୍ୱିନ ମାସ ପୂର୍ଣ୍ଣିମାରେ ମହାଦେବଙ୍କ ପୁତ୍ର କୁମାର କାର୍ତ୍ତିକେୟଙ୍କ ଜନ୍ମ ହୋଇଥିବା କାରଣରୁ ଏହି ଦିନକୁ ତାଙ୍କର ଜନ୍ମ ଦିବସ ରୂପେ ପାଳନ କରାଯାଏ । କୁମାର, କୁମାରୀଙ୍କ ପୂଜା ପରମ୍ପରା ଏହି ପର୍ବର ମୂଳ ଲକ୍ଷ୍ୟ ।

ଆଶ୍ୱିନ ମାସ ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ବୋଲି କୁହାଯାଇଥାଏ । କୁମାର ପୂର୍ଣ୍ଣିମାର ଅନ୍ୟନାମ ‘କୌମୁଦି ପୂର୍ଣ୍ଣିମା’ ରହିଥିବା ଅନେକ କହନ୍ତି ।

ଆଶ୍ୱିନ ମାସ ଏକ ପବିତ୍ର ମାସ ବର୍ଷାୠତୁ ଧରାପୃଷ୍ଠରୁ ବିଦାୟ ନେଇଛି । ଶରତଋତୁ ଆଗମନରେ ପୃଥିବୀ ମାତା ଉଲ୍ଲସିତା ହୋଇଛି । କବିଙ୍କ ଭାଷାରେ –
” ଉପଗତ ହେଲା ଧାରାରେ ରମ୍ୟ ଶରଦ କାଳ, ବରଷାର ବଳ ହଟିଲା ନଭ ହେଲା ନିର୍ମଳ ।”

ଆକାଶ ସ୍ୱଚ୍ଛ, ନିର୍ମଳ । ଲତାରେ ଜହ୍ନି ଫୁଲ ହସୁଛି । ରାତିରେ ଜହ୍ନର ଧବଳ ଜ୍ୟୋସ୍ନା । କୁମାରୀମାନଙ୍କର ଜହ୍ନି ଓଷା ଗୀତ ‘ଜହ୍ନି ଫୁଲ ଠୋ ଠୋ, କାକୁଡି ଫୁଲ ଠୋ ଠୋ’ , ଗ୍ରାମ୍ୟ ପରିବେଶକୁ ଆନନ୍ଦ ମୁଖରିତ କରିଥାଏ । ଦଶହରା ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମାର ଉତ୍ସବ ପାଳନ କରାଯାଏ । ଏହି ଦିନ ମାନଙ୍କରେ ତାସ ଖେଳ, ପଇସା ଖେଳ, କଉଡ଼ି ଖେଳ ଆଦି ଚାଲିଥାଏ । ପୂର୍ଣ୍ଣମୀ ଦିନ ତାସଖେଳ ବା ପଇସା ଖେଳରେ ହାରିଲେ ଆଗାମୀ ବର୍ଷ ଭଲରେ କଟିବ ବୋଲି ବିଶ୍ୱାସ ରହିଛି ।

ଧାର୍ମିକ ସାମାଜିକ ଭାବଧାରା ପରିପୂର୍ଣ୍ଣ ଏ ପୂର୍ଣ୍ଣିମା । ଏହିଦିନ କୁମାରୀମାନେ ମାସବ୍ୟାପୀ କରିଆସୁଥିବା ଜହ୍ନିଓଷାର ଉଦଯାପନ କରନ୍ତି । ନାଚ,ଗୀତ, ମଉଜ, ମଜଲିସରେ ଏହି ଉତ୍ସବ ଅଧିକ ମନୋରମ ଓ ଆକର୍ଷଣୀୟ ହୋଇଉଠେ ।

ଏହିଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ପାଳିତ ହୋଇଥାଏ । ବିଶ୍ୱାସ ରହିଛି ପୂର୍ଣ୍ଣିମା ରାତିରେ ମହାଲକ୍ଷ୍ମୀ ଘରଘର ବୁଲି ପଚାରନ୍ତି- କିଏ ଉଜାଗର ଅଛି ? ଶୋଇବା ପୁଅର ଭାଗ ନଥିବା ନ୍ୟାୟରେ ଯେଉଁମାନେ ଉଜାଗର ନଥାନ୍ତି, ସେମାନେ ମା’ଙ୍କ ବରଦାନରୁ ବଞ୍ଚିତ୍ ହୁଅନ୍ତି ।

ଇତିହାସ କହେ- କନ୍ୟା କୁମାରୀ ଠାରୁ କାମକ୍ଷା ଯାଏଁ ଦକ୍ଷିଣ ଓ ପୂର୍ବ ଭାରତରେ କୁମାରୀ ପୂଜାର ପରମ୍ପରା ଅଷ୍ଟମ ଶତାବ୍ଦୀରୁ ରହି ଆସିଛି । ‘କୁମାରୀ ତନ୍ତ୍ର’ ଅନୁସାରେ ତନ୍ତ୍ରିକମାନେ ଅବିବାହିତ ବା କୁମାରୀ କନ୍ୟାମାନଙ୍କୁ ପୂଜା କରି ସିଦ୍ଧି ଲାଭ କରିଥିଲେ । କ୍ରମଶଃ ଦେଶରେ କୁମାରୀ ପୂଜା ପାଳନ ହେଉଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହା ସାମାଜିକ ପରମ୍ପରାରେ ପରିଣତ ହୋଇଗଲା।

ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଥାଏ । କଟକ, ପୁରୀ, ବାଲେଶ୍ୱର ପ୍ରଭୃତି ଅଞ୍ଚଳରେ ଗୋଟିଏ ପ୍ରକାର, ପଶ୍ଚିମ ଓଡ଼ିଶାରେ ଗୋଟିଏ ରୀତି ଓ ଗଞ୍ଜାମ ସମେତ କେତେକ ସ୍ଥାନରେ ଅନ୍ୟ ପ୍ରକାରେ ପାଳନ ହୁଏ ।

ଏହିଦିନ କୁମାରୀ ମାନେ ସକାଳୁ ଉଠି ସ୍ନାନ କରି ନୂଆବସ୍ତ୍ର ପରିଧାନ ପୂର୍ବକ ସୂର୍ଯ୍ୟ ପୂଜା କରନ୍ତି। କାକୁଡି କଷି, ଜହ୍ନି କଷି ପ୍ରଭୃତି ଫଳକୁ ଚଉଁରା ମୂଳକୁ ନେଇ ପିଢ଼ା ଉପରେ ରଖାଯାଏ ଓ ହଳଦୀ ପାଣି ଢଳାଯାଏ । ସାତ ଆଞ୍ଜୁଳା ଧରି ସାତଥର ସୂର୍ଯ୍ୟଙ୍କୁ ଅର୍ପଣ କରିବାର ବିଧି ରହିଛି ।

ସନ୍ଧ୍ୟା ସମୟରେ ଯେତେବେଳେ ଆକାଶରେ ଜହ୍ନ ଉଇଁ ଏହାର ଧବଳ ଜ୍ୟୋସ୍ନାରେ ପୃଥିବୀକୁ ଉଲ୍ଲସିତ କରିଥାଏ, ସେତେବେଳେ କୁଆଁରୀମାନେ ହାତରେ ପୂଜା ଥାଳି ଧରି ଲାଗିପଡନ୍ତି ଚାନ୍ଦ ବନ୍ଦାପନାରେ । ଲିଆ, କଦଳୀ, ଛେନା ଚକଟି ସେଥିରେ ଚାନ୍ଦ କରି ପୂଜା କରିଥାନ୍ତି । ପୂଜା ଶେଷ ପରେ ସମସ୍ତେ ସେଇଟାକୁ ବାଣ୍ଟି କୁଣ୍ଟି ଖାଆନ୍ତି । ମନ ଆନନ୍ଦରେ ପୁଚି ଖେଳି ଗୀତ ଗାଇଥାନ୍ତି ।

ସେହିପରି ପଶ୍ଚିମ ଓଡ଼ିଶାରେ କୁମାର ପୂର୍ଣ୍ଣିମାର ପୂର୍ବଦିନ ଓ ପୂର୍ଣ୍ଣିମା ଦିନ ଗାଈ ମାନଙ୍କର ‘ବଏଲ ଯାତ୍ରା’ ଅନୁଷ୍ଠିତ ହୁଏ ।

Comments are closed.