Latest Odisha News

BREAKING NEWS

୧୫୦ ବ୍ଲକରେ ଖୋଲିବ ଶ୍ରମ କାର୍ଯ୍ୟାଳୟ: ଶ୍ରମ ମନ୍ତ୍ରୀ

ବ୍ରହ୍ମପୁର : ଶ୍ରମିକମାନଙ୍କ ପାଖରେ ସରକାରୀ ଯୋଜନା ଓ ସେବା ଯୋଗାଇବା ଦିଗରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଏହି କ୍ରମରେ ଆଗାମୀ ଦିନରେ ରାଜ୍ୟର ୧୫୦ଟି ବ୍ଲକରେ ସହକାରୀ ଶ୍ରମ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ । ଜଣେ ସହକାରୀ ଶ୍ରମ ଅଧିକାରୀ ନିୟୋଜିତ ରହିବ । ଏହି କାର୍ଯ୍ୟାଳୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡ଼ିଓ)ଙ୍କ ଅଧିନରେ କାର୍ଯ୍ୟ କରିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗୀୟ ମନ୍ତ୍ରୀ ଶ୍ରୀକାନ୍ତ ସାହୁ।

ଶନିବାର ବ୍ରହ୍ମପୁର ସର୍କିଟ ହାଉସ୍‌ ପରିସରରେ ଗଞ୍ଜାମ ଜିଲା ଶ୍ରମ ବିଭାଗୀୟ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ସାହୁ ଉପରୋକ୍ତ ସୂଚନା ପ୍ରଦାନ କରିଛନ୍ତି।
ମନ୍ତ୍ରୀ ସାହୁ କହିଥିଲେ ଯେ, ନୂତନ ସହକାରୀ ଶ୍ରମ କାର୍ଯ୍ୟାଳୟଗୁଡ଼ିକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡ଼ିଓ)ଙ୍କ ଅଧିନରେ କାର୍ଯ୍ୟ କରିବ । ଶ୍ରମ ଅଧିକାରୀମାନେ ଦୈନିକ ସମସ୍ତ ପ୍ରକାର ରିପୋର୍ଟଙ୍କୁ ପ୍ରଦାନ କରିବେ ।

ବ୍ଲକ ସ୍ତରରେ ସରକାରଙ୍କ ଅନ୍ୟ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଯେମିତି ବିଡ଼ିଓଙ୍କ ଉପରେ ନ୍ୟସ୍ତ ରହିଛି, ଶ୍ରମ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ଅନୁରୂପ ଭାବେ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ ସାହୁ ପ୍ରକାଶ କରିଛନ୍ତି । ସେ ଆହୁରୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଶ୍ରମିକ ମାନଙ୍କର ଉନ୍ନତି ଦିଗରେ ଯଥେଷ୍ଟ ଧ୍ୟାନ ଦେଉଛନ୍ତି।

ଶ୍ରମ ବିଭାଗ ଯେପରି ଲୋକଙ୍କ ନିକଟତର ହେବ, ସେଥି ସକାଶେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ୩୫୦୦ କୋଟି ଟଙ୍କା ନିର୍ମାଣ ଶ୍ରମିକ ସହାୟତା ରାଶି ପ୍ରଦାନ କରାଯାଇଛି । ଆଗାମୀ ଦିନରେ ୮୦୦ କୋଟି ଟଙ୍କା ବଣ୍ଟନ କରାଯିବ। ଗଞ୍ଜାମ ଜିଲାର ଅନେକ କୁଶଳୀ ଶ୍ରମିକ ସୁରଟରେ କରୁଛନ୍ତି । ଏଣୁ ସୁରଟରେ ଏକ ଶ୍ରମ ବିଭାଗର କାର୍ୟ୍ୟାଳୟ ସ୍ଥାପନ ନିମିତ୍ତ ପତ୍ରାଳପ ଚାଲିଛି। ସେଠାରୁ ଅନୁମତି ପତ୍ର ହସ୍ତଗତ ହେବା ପରେ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ।

ଓଡ଼ିଶାକୁ ୨୦୨୫ ମସିହା ସୁଦ୍ଧା ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯିବ। ଏଥି ସକାଶେ ସଚେତନତା ଓ ଚଢ଼ାଉ କାର୍ଯ୍ୟକୁ ବ୍ୟାପକ କରାଯାଉଛି । ଶ୍ରମିକମାନେ ପରିଚୟ ପତ୍ର ପାଇବା ଦିଗରେ ଦେଖା ଯାଉଥିବା ବ୍ୟବସ୍ଥାର ସରଳୀକରଣ କରାଯିବ। ପରିଚୟ ପତ୍ର ଆବଣ୍ଟନ ଓ ଶ୍ରମିକ ମାନଙ୍କର ସହାୟତା ପ୍ରଦାନ ପାଇଁ ମେଳ ଆୟୋଜନ କରିବାକୁ ଅଧିକାରୀଙ୍କୁ ମନ୍ତ୍ରୀ ସାହୁ ନିର୍ଦେଶ ଦେଇଥିଲେ । ୨୦୧୦ ମସିହା ଠାରୁ ନିର୍ମାଣ ଶ୍ରମିକ ବୋର୍ଡ ଗଠନ ହୋଇଛି ।

ଶ୍ରମିକଙ୍କୁ ସମସ୍ତ ପ୍ରକାର ସହାୟତା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୀଧାସଳଖ ପଠାଯାଉଛି ବୋଲି ଯୁଗ୍ମ ଶ୍ରମ ଆୟୁକ୍ତ ଦୀପ୍ତି ରଞ୍ଜନ ମହାନ୍ତି ସୂଚନା ଦେଇଥିଲେ । କେଉଁ ମାନଙ୍କୁ ସଂଗଠିତ ଶ୍ରମିକ କିମ୍ବା ନିର୍ମାଣ ଶ୍ରମିକ, କେଉଁ ମାନଙ୍କୁ ଅଣ ସଂଗଠିତ ଶ୍ରମିକ ଭାବେ ଗ୍ରହଣ କରାଯିବ, ସେନେଇ ସର୍ବସାଧାରଣରେ ସୂଚନା ପ୍ରକାଶ କରିବା ସହ ବ୍ୟାପକ ସଚେତନତା ଉପରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଗୁରୁତ୍ବାରୋପ କରିଥିଲେ ।

ଗତ ମେ’ ପହିଲାରେ ବିଶ୍ବ ଶ୍ରମିକ ଦିବସ ଠାରୁ ନୂଆ ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ଶ୍ରମିକମାନେ ପଞ୍ଜିକରଣ ପାଇଁ ଉକ୍ତ ପୋର୍ଟାଲର ବ୍ୟବହାର କରିପାରିବେ । ଅସୁବିଧା ସ୍ଥଳେ ହେଲ୍ପ ଡେସ୍କ କରି ପଞ୍ଜିକରଣ ବ୍ୟବସ୍ଥା କୁ ସରଳୀକରଣ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ବ୍ରହ୍ମପୁର ଠାରେ ଲେବର କୋର୍ଟ ପ୍ରତିଷ୍ଠା ପାଇଁ ଦାବି ରଖିଥିଲେ । ଫଳରେ ସୁଦୂର ଜୟପୁରକୁ ନଯାଇ ଗଞ୍ଜାମ ଜିଲାର ଶ୍ରମିକମାନେ ଯେମିତି ଏଠାରେ ସୁବିଧା ପାଇପାରିବେ, ସେଥିପ୍ରତି ବିଧାୟକ ଗୁରୁତ୍ବ ଦେଇଥିଲେ ।

ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଶ୍ରମିକ ମାନଙ୍କ ଆସୁବିଧା ଓ ପଞ୍ଜିକରଣ ଦିଗରେ ଶ୍ରମିକ ମାନଙ୍କର ଅସୁବିଧା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ ଆସିକାକୁ ଭିନ୍ନ ଏକ ଶ୍ରମ ଜିଲା ଭାବେ ଘୋଷଣା କରାଯାଇ କାର୍ଯ୍ୟାଳୟ ଖୋଲିବାକୁ ଦାବି ରଖିଥିଲେ ।

ଆସିକା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଛତ୍ରପୁର ଶ୍ରମ ଜିଲାର ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗାଇପାଇ, ବ୍ରହ୍ମପୁର ଶ୍ରମ ଜିଲାର ଶ୍ରମ ଅଧିକାରୀ ବାବୁଲାଲ ପାତ୍ର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ଶ୍ରମ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.