Latest Odisha News

BREAKING NEWS

ଶ୍ରେଣୀ ୫ଟାକୁ ଶିକ୍ଷକ ୨ଜଣ; ବାରଣ୍ଡାରେ ଭାଗ ହୋଇ ପଢୁଛନ୍ତି ଛାତ୍ରଛାତ୍ରୀ

ନୂଆପଡା(ଦେବାନନ୍ଦ ତାଣ୍ଡି): ସଭିଏଁ ପଢିବେ, ସଭିଏଁ ବଢିବେ । ଏଇ କଥା ତ ଆମେ ସମସ୍ତେ ଶୁଣିଥିବୁ । କିନ୍ତୁ ସବୁ ଶ୍ରେଣୀର ପିଲା ଏକାଠି ପଢିବୁ ଆଉ ବଢିବୁ ବୋଲି କେଉଁଠି ଶୁଣିଛନ୍ତି କି? କିନ୍ତୁ ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ କର୍ଲାକୋଟ ଗ୍ରାମ ପଞ୍ଚାୟତ ର ବନ୍ଦପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏସବୁ ଚଳେ । କହିବାର ଅର୍ଥ ହେଉଛି, ଗୋଟିଏ ଶ୍ରେଣୀରେ ପାଞ୍ଚଟା ଶ୍ରେଣୀର ପିଲା ।

ଗୋଟିଏ ପଟେ କଳାପଟାରେ ପଢାଉଛନ୍ତି ପ୍ରଧାନ ଶିକ୍ଷକ । ଅନ୍ୟପଟେ ସହକାରୀ ଶିକ୍ଷୟତ୍ରୀ । ଏପରିସ୍ଥଳେ ପିଲାମାନେ କେତେ ପାଠ ଶୁଣୁଥିବେ, ଆଉ ବୁଝୁଥିବେ ତାହା ଅନୁମାନ କରିହେଉଛି । ବାରଣ୍ଡାରେ ବି ବସି ପାଠପଢା ଚାଲିଛି । ୨୦୧୨ରୁ ତିଆରୀ ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ କ୍ଲାସ ରହିଛି । ୫୮ ଛାତ୍ରଛାତ୍ରୀଙ୍କୁ ଜଣେ ପ୍ରଧାନ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ । ଅଫିସରେ ଗଦା ହୋଇଛି ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ । ଅନ୍ୟ ଅସୁବିଧା କହିଲେ ନସରେ ।

ସରକାର ଶିକ୍ଷାର ବିକାଶ ପାଇଁ ଅନେକ ପ୍ରକାର ପଦକ୍ଷେପ ହାତକୁ ନେଉଥିବା କହୁଛନ୍ତି। ଶିକ୍ଷା ଅଧିକାର ଆଇନ ଅନୁସାରେ ମଧ୍ୟ ଉପଯୁକ୍ତ ସୁବିଧା କରିବାର ବ୍ୟବସ୍ଥା ରହିଛି । ଏହି ବିଦ୍ୟାଳୟରେ କିନ୍ତୁ ଏସବୁର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଅଭିଯୋଗକୁ ଶୁଣୁନି ପ୍ରଶାସନ । ଜିଲ୍ଲା ଶିକ୍ଷା ବିଭାଗ ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଦଳିତ ଅଧିକାର ମଞ୍ଚ ସହ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି । ଜିଲ୍ଲାପାଳଙ୍କୁ ଜଣାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ବୋଡେ଼ନ ବିଡିଓ ।

ଶ୍ରେଣୀ ଗୃହ ଓ ଶିକ୍ଷକ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଛାତ୍ରଛାତ୍ରୀ ଙ୍କୁ ଉତ୍ତମ ପ୍ରାଥମିକ ଶିକ୍ଷା ଯୋଗାଇଦେବା ଜରୁରୀ ହୋଇ ପଡ଼ିଛି । ନଚେତ ଆଗାମୀ ଦିନରେ ସ୍କୁଲ ସମସ୍ୟା କୁ ନେଇ ଜନ ଆନ୍ଦୋଳନ କୁ ଏଡାଇ ଦିଆଯାଇ ପାରିବ ନାହିଁ ।

Leave A Reply

Your email address will not be published.