Latest Odisha News

‘ରତ୍ନଭଣ୍ଡାର ଲୁଟ ହୋଇଛି ଜାଣି ସରକାର ମରାମତି କରୁନାହାନ୍ତି’

ପୁରୀ: ରତ୍ନ ଭଣ୍ଡାର ଲୁଟ ହୋଇଛି । ଏକଥା ସରକାର ଜାଣିଛନ୍ତି । ତେଣୁ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏମିତି କହି ସରକାରଙ୍କ ଉପରେ ବର୍ଷିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।

ପୁଣି ତେଜିଛି ରତ୍ନଭଣ୍ଡାର ପ୍ରସଙ୍ଗ। ଆସନ୍ତାକାଲି ହାଇକୋର୍ଟରେ ରତ୍ନଭଣ୍ଡାର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି  ହେବ। ଏହି ଶୁଣାଣି ଉପରେ ରହିଛି  କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ନଜର । ତେବେ ଶୁଣାଣି ପୂର୍ବରୁ ଆଜି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରି ଜଗନ୍ନାଥ ସେନା ବିକ୍ଷୋଭ ପ୍ରଦର୍ଶନ କରିଛି।

ଗତବର୍ଷ ଅକ୍ଟୋବର ମାସରେ ମାନ୍ୟବର ହାଇକୋର୍ଟ ରତ୍ନଭଣ୍ଡାର ଖୋଲିବା ନେଇ ଚାରି ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ  । ହେଲେ ଏଯାବତ କୌଣସି ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ସ୍ଥାନ ନପାଇବାରୁ ସତ୍ୟପାଠ ଦାଖଲକୁ ନେଇ ଆଶାଆଶଙ୍କା ଦେଖାଦେଇଛି ବୋଲି କହିଛନ୍ତି  ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ।  ଆସନ୍ତାକାଲି ରାଜ୍ୟ ସରକାର ରତ୍ନଭଣ୍ଡାର ସୁରକ୍ଷିତ ଅଛି ବୋଲି ସତ୍ୟପାଠ ହାଇକୋର୍ଟରେ ଦାଖଲ କରନ୍ତୁ ବୋଲି ଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି।

ସେପଟେ ଏଏସଆଇ ତରଫରୁ ୫ ମାସ ପୂର୍ବରୁ ରତ୍ନଭଣ୍ଡାର ଯାଞ୍ଚ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରାଯାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଚିଠିର କୌଣସି ଉତ୍ତର ନଦେବାରୁ ରତ୍ନ ଅଳଙ୍କାରର ସୁରକ୍ଷା ଉପରେ ମଧ୍ୟ ସେନାର ଆବାହକ ପ୍ରଶ୍ନ ଉଠାଇଛନ୍ତି। ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ୧୮ ମସିହାରେ  ୧୭ ଜଣିଆ ଟିମ ଆସିଥିଲେ । ରତ୍ନ ଭଣ୍ଡାର ଦେଖି ଏହା ଅସୁରକ୍ଷିତ ବୋଲି କହିଥିଲେ । ଏହାର ବିମ ଦୁର୍ବଳ ହୋଇ ଯାଇଥିବା ଉକ୍ତ ଟିମ କହିଥିଲେ । ତେବେ ଯଦି ରତ୍ନ ଭଣ୍ଡାର ଅସୁରକ୍ଷିତ ତେବେ ଏହାର ମରାମତି ଦାୟିତ୍ଠ କାହାର ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି, ୨୦୧୮ରୁ ୫ ବର୍ଷ ବିତିଗଲାଣି । ୫ଟି ବଜେଟ ଗଲାଣି । ହେଲେ ରତ୍ନ ଭଣ୍ଡାର ମରାମତି ପାଇଁ ସରକାର ଟଙ୍କାଟିଏ ଅନୁମୋଦନ କରିନାହାନ୍ତି । କାରଣ ସରକାର ରତ୍ନ ଭଣ୍ଡାର ଲୁଟ ହୋଇଥିବା ଜାଣି ଏହାର ମରାମତି କରୁନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.