Latest Odisha News

BREAKING NEWS

ସ୍ୱାବଲମ୍ବୀ ହେଉଛନ୍ତି ଗାଁର ଝିଅ: ‘ଲକ୍ଷପତି ଦିଦି’ ଯୋଜନାରେ ଓଡ଼ିଶାର ମହିଳାଙ୍କ ନୂଆ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଗ୍ରାମାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ମହିଳାମାନେ ‘ଲକ୍ଷପତି ଦିଦି’ ଯୋଜନା ଜରିଆରେ ସ୍ୱାବଲମ୍ବୀ ହେବାର ନୂଆ ଅଧ୍ୟାୟ ଲେଖୁଛନ୍ତି। ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶା ଜୀବିକା ମିଶନ (ଓଏଲଏମ) ମାଧ୍ୟମରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି, ଯାହା ମହିଳାଙ୍କୁ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ସଶକ୍ତ କରୁଛି।

ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳାଙ୍କୁ ଉଦ୍ୟୋଗୀ କରିବା ଓ ଦକ୍ଷତା ବିକାଶ ତାଲିମ ମାଧ୍ୟମରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା। ଏହାର ଅଂଶ ଭାବେ, ଯୋଗ୍ୟ ମହିଳାମାନେ ନିଜ ବ୍ୟବସାୟ ବୃଦ୍ଧି ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧ ହାରରେ ଋଣ ପାଉଛନ୍ତି। ସିଲେଇ କାମରୁ ଆରମ୍ଭ କରି ଉତ୍ପାଦନ କ୍ଷେତ୍ର ପର୍ଯ୍ୟନ୍ତ, ଏହି ମହିଳାମାନେ କେବଳ ନିଜ ଗୋଡ଼ରେ ଛିଡ଼ା ହେଉନାହାନ୍ତି, ବରଂ ନିଜ ପରିବାର ଓ ସମାଜ ପାଇଁ ଉଦାହରଣ ସାଜୁଛନ୍ତି।

ଏହି ଯୋଜନାରୁ ଉପକୃତ ହୋଇଥିବା କିଛି ମହିଳା ନିଜର ସଫଳତାର କାହାଣୀ ବାଣ୍ଟିଛନ୍ତି। ରିହାନା ବେଗମ କହିଛନ୍ତି, “ମୁଁ ମୋ ଏସଏଚଜି ମାଧ୍ୟମରେ ଋଣ ନେଇ ଏକ ସିଲେଇ ମେସିନ କିଣିଥିଲି। ଆଜି ମୁଁ କପଡ଼ା ସିଲେଇ କରି ରୋଜଗାର କରୁଛି ଓ ଅନ୍ୟ ମହିଳାଙ୍କୁ ମଧ୍ୟ ସିଲେଇ ଶିଖାଉଛି। ‘ଲକ୍ଷପତି ଦିଦି’ ହେବା ମୋ ଆତ୍ମବିଶ୍ୱାସକୁ ବଢ଼ାଇଛି। ମୋ ସ୍ୱପ୍ନକୁ ସମର୍ଥନ କରିଥିବା ସରକାରଙ୍କୁ ଧନ୍ୟବାଦ।”

ସେହିପରି ମଧୁସ୍ମିତା ସାହୁ ନିଜର ଜୀବନକୁ ବଦଳାଇବା ପାଇଁ ଏକ କାଗଜ ପ୍ଲେଟ ତିଆରି ବ୍ୟବସାୟ ଆରମ୍ଭ କରିଛନ୍ତି। ସେ କହିଛନ୍ତି, “ସରକାରଙ୍କ ସହାୟତା ପାଇ ମୁଁ ମୋ ଏସଏଚଜି ମାଧ୍ୟମରେ ଏହି ବ୍ୟବସାୟ ଶୁଭାରମ୍ଭ କରିଥିଲି। ଆଜି ମୁଁ କେବଳ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ନୁହେଁ, ଅନ୍ୟମାନଙ୍କୁ ରୋଜଗାରର ସୁଯୋଗ ମଧ୍ୟ ଦେଉଛି। ‘ଲକ୍ଷ୍ପତି ଦିଦି’ ହେବା ମୋ ପାଇଁ ଗର୍ବର ବିଷୟ।”

ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏହି ଲକ୍ଷପତି ଦିଦି ଯୋଜନା ଆରମ୍ଭ ହୋଇଛି । ଯାହା ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ଥିଲା । ମହିଳା ସଶକ୍ତିକରଣ ଜରିଆରେ ସାରା ଦେଶରେ ଭୋଟ୍ ବ୍ୟାଙ୍କ ଗୋଟାଉଥିବା ବିଜେପି ବିଭିନ୍ନ ରାଜ୍ୟରେ ଏହିପରି ଯୋଜନା କରିଛି । କିନ୍ତୁ ଓଡ଼ିଶାରେ ଖୁବ କମ୍ ଦିନରେ ସଫଳତା ପାଇଥିବା କୁହାଯାଉଛି ।

Comments are closed.