ପାଟନା: ପାଟନାରେ ବିରୋଧୀଙ୍କ ମହାମେଳି ଗତକାଲି ଶେଷ ହୋଇଛି । ୧୬ଟି ଦଳର ୩୦ରୁ ଅଧିକ ନେତା ଏଥିରେ ସାମିଲ ହୋଇଥିଲେ । ପରବର୍ତ୍ତୀ ବୈଠକ ଜୁଲାଇ ୧୦ରୁ ୧୨ ମଧ୍ୟରେ ସିମଲାରେ ହେବ ବୋଲି ସ୍ଥିର ହୋଇଛି । ବୈଠକରେ ମୁଖ୍ୟ ପ୍ରସଙ୍ଗ ଉପରେ ବେଶ ସରଗରମ ଆଲୋଚନା ହେବା ସହ ଥଟ୍ଟାମଜା ବି ହୋଇଥିଲା ।
ରାଷ୍ଟ୍ରୀୟ ଜନତା ଦଳମ ମୁଖ୍ୟ ଲାଲୁ ଯାଦବ ଶୁକ୍ରବାର ତାଙ୍କର ଚରାଚରିତ ମଜାଳିଆ ଢଙ୍ଗରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ରାହଲ ଗାନ୍ଧୀଙ୍କୁ ଥଟ୍ଟା କରିଥିଲେ । କହିଥିଲେ, ତୁମେ ବିବାହ କର, ଆମେ ସବୁ ବରଯାତ୍ରୀରେ ଯିବୁ । ଲାଲୁଙ୍କ ଏହି କଥା ଶୁଣି ସମୂହ ହସରେ ହାଲକା ହୋଇଥିଲା ବୈଠକର ଗମ୍ଭୀର ପରିବେଶ ।
ଲାଲୁଙ୍କ କଥାର ଚମତ୍କାର ଉତ୍ତର ବି ରଖିଥିଲେ ରାହୁଲ । ରାହୁଲ କହିଥିଲେ , ଆପଣ କହିଲେ ମାନେ ବାହାଘର ହୋଇଯିବ ।
ବିରୋଧୀ ଦଳ ବୈଠକ ପରେ ଲାଲୁ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାକୁ ଭୂରି ପ୍ରଶଂସା କରିଥିଲେ । ସେତିକି ନୁହେଁ, ଲୋକସଭାରେ ରାହୁଲ ଉଠାଇଥିବା ଅଦାନି ପ୍ରସଙ୍ଗକୁ ନେଇ ମଧ୍ୟ ଲାଲୁ ତାଙ୍କର ପ୍ରଶଂସା କରିଥିଲେ । କହିଥିଲେ, ଆପଣ ଲୋକସଭାରେ ଭଲ କାମ କରିଛନ୍ତି । ପୁଣି ରାହୁଲଙ୍କ ଦାଢିକୁ ଇସାରା କରି କହିଥିଲେ,‘ ଆପଣ ବୁଲୁଥିଲେ, ଦାଢି ବଢାଇ ଦେଲେ । ହେଲେ ଆଉ ବଢାନ୍ତୁନି । ଆପଣ ଆମର ପରାମର୍ଶ ମାନୁ ନାହାନ୍ତି । ବାହା ହେଉ ନାହାନ୍ତି । ଏବେ ବି ସମୟ ଯାଇନି । ଆପଣ ବିବାହ କରନ୍ତୁ । ଆମେ ସବୁ ବରଯାତ୍ରୀରେ ଯିବୁ ।’
ସେ ଆହୁରି କହିଥିଲେ, ‘ଆପଣଙ୍କ ମମ୍ମି (ସୋନିଆ ଗାନ୍ଧୀ) କହୁଥିଲେ, ଆପଣ ତାଙ୍କ କଥା ମାନୁ ନାହାନ୍ତି । ହେଲେ ଆପଣ ବିବାହ କରି ନିଅନ୍ତୁ ’ ଲାଲୁଙ୍କ ଏପରି ମଜାଳିଆ କଥା ଶୁଣି ଉପସ୍ଥିତ ସବୁ ନେତା ଖୁବ ଜୋରରେ ହସି ଉଠିଥିଲେ ।
Comments are closed.