Latest Odisha News

BREAKING NEWS

ଚାଇନାର ଉହାନରୁ କରୋନା ଉତ୍ପତ୍ତି ହୋଇଥିବାର ପ୍ରତ୍ୟକ୍ଷ ପ୍ରମାଣ ନାହିଁ: ଆମେରିକା

ନୂଆଦିଲ୍ଲୀ: ଶୁକ୍ରବାର ଆମେରିକାର ଗୁଇନ୍ଦା ସଂସ୍ଥାର ରିପୋର୍ଟରେ କୁହାଯାଇଛି ଯେ ସେମାନେ ଚାଇନାର ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ କୋଭିଡ୍-୧୯ ମହାମାରୀ ଉତ୍ପତ୍ତି ହୋଇଥିବାର ବା ସୃଷ୍ଟି ହୋଇଥିବାର କୌଣସି ପ୍ରତ୍ୟକ୍ଷ ପ୍ରମାଣ ପାଇନାହାନ୍ତି।

ତଥାପି, ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ (ଓଡିଏନ୍ଆଇ)ର ଚାରି ପୃଷ୍ଠା ସମ୍ବଳିତ ଏହି ରିପୋର୍ଟରେ କୁହାଯାଇଛି ଯେ ଆମେରିକାର ଗୁଇନ୍ଦା ସମୁଦାୟ ଏଯାଏଁ ଏହି ସମ୍ଭାବନାକୁ ଏଡ଼ାଇ ଦେଇପାରିବେ ନାହିଁ ଯେ ଏହି ଭାଇରସ୍ କୌଣସି ପରୀକ୍ଷାଗାରରୁ ଆସିଛି ଏବଂ ସେମାନେ ଏହି ମହାମାରୀର ଉତ୍ପତ୍ତିର କାରଣ ଖୋଜିବାରେ ସକ୍ଷମ ହୋଇନାହାନ୍ତି।

ଏନେଇ ଓଡିଏନ୍ଆଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି, କୋଭିଡ୍-୧୯ ମହାମାରୀର ସଠିକ୍ ଉତ୍ପତ୍ତି ନିର୍ଦ୍ଧାରଣ କରିବାରେ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ଏବଂ ଅନ୍ୟ ଏକ ଏଜେନ୍ସି ଅସମର୍ଥ, ଯେହେତୁ ଉଭୟ (ପ୍ରାକୃତିକ ଏବଂ ପ୍ରୟୋଗଶାଳା) କଳ୍ପନାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଅନୁମାନ ଉପରେ ନିର୍ଭର କରନ୍ତି କିମ୍ବା ପରସ୍ପର ବିରୋଧୀ ରିପୋର୍ଟ ସହିତ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଉହାନ ଇନଷ୍ଟିଚ୍ୟୁଟରେ କରୋନା ଭାଇରସ୍ ଉପରେ “ବିସ୍ତୃତ କାର୍ଯ୍ୟ” କରାଯାଇଥିବା ବେଳେ ଆମେରିକୀୟ ଏଜେନ୍ସିମାନେ ମହାମାରୀର ଉତ୍ପତ୍ତିର ପ୍ରମାଣ ପାଇନାହାନ୍ତି।

୨୦୧୯ ଶେଷ ଭାଗରେ ଉହାନରେ ପ୍ରଥମେ ଜଣେ ମଣିଷ କୋଭିଡରେ ଆକ୍ରାନ୍ତ ହେବା ପରେ ଚାଇନାରୁ କରୋନା ବ୍ୟାପିଥିବା ବିତର୍କ ଜାରି ରହିଛି। ଯେଉଁଥିରେ ଆମେରିକା, ଭାରତ ସମେତ ଅନ୍ୟ ଦେଶ ବିତର୍କରେ ସାମିଲ ହୋଇଛନ୍ତି।

ମାର୍ଚ୍ଚ ମାସରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମହାମାରୀର ଉତ୍ପତ୍ତି ସମ୍ବନ୍ଧୀୟ ତଥ୍ୟକୁ ସାର୍ବଜନୀନ କରିବା ପାଇଁ ଏକ ବିଲରେ ସ୍ୱାକ୍ଷର କରିଥିଲେ।

Leave A Reply

Your email address will not be published.