Latest Odisha News

ଓଡିଶା ଉପକୂଳରୁ ଶକ୍ତିଶାଳୀ ‘ବ୍ରହ୍ମୋସ୍’ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥାନ (ଡିଆରଡ଼ିଓ) ଦ୍ୱାରା ସୋମବାର ଦିନ ଓଡିଶା ଉପକୂଳରୁ ଭୁପୃଷ୍ଠରୁ ଭୁପୃଷ୍ଠକୁ ବ୍ରହ୍ମୋସ୍ ମିସାଇଲର ସଫଳ ଉତକ୍ଷେପଣ କରାଯାଇଛି ।

ଏହାଦ୍ୱାରା କିଛି ସେକେଣ୍ଡରେ ହିଁ ଶତ୍ରୁ ଶିବିରକୁ ଧ୍ୱଂସ କରି ହେବ । ଏହାପୂର୍ବରୁ ଡିଆରଡିଓ ପକ୍ଷରୁ ଆନ୍ଧ୍ରପ୍ରଦେଶର କୁର୍ନୁଲଠାରେ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା ।

ଏହି କ୍ଷେପଣାସ୍ତ୍ରରେ ଭାରତୀୟ କ୍ଷେପଣ ପଦ୍ଧତି, ଏୟାରଫ୍ରେମ, ଇନ୍ଧନ ଯୋଗାଣ ତଥା ଅନ୍ୟାନ୍ୟ ପ୍ରମୁଖ ସ୍ୱଦେଶୀ ସରଞ୍ଜାମ ଓ ଜ୍ଞାନକୌଶଳ ଉପଯୋଗ କରାଯାଇଛି । ଡିଆରଡିଓ ଏବଂ ବ୍ରହ୍ମୋସ ଏରୋସ୍ପେସ ଦ୍ୱାରା ମିଳିତ ଭାବେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ୨୯୦ କିମି ରେଞ୍ଜରେ ଏହା ନିଜର ସମ୍ପୂର୍ଣ୍ଣ ଲକ୍ଷ୍ୟଭେଦ କ୍ଷମତା ହାସଲ କରିଥିଲା ।

ସମ୍ପୂର୍ଣ୍ଣ ସ୍ୱଦେଶୀ ସରଞ୍ଜାମ ଉପଯୋଗ କରାଯାଇ ଏହି ଦୁର୍ଭେଦ୍ୟ କ୍ଷେପଣାସ୍ତ୍ର ବିକଶିତ ହୋଇଛି । ଫଳରେ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତା ଆହୁରି ସୁଦୃଢ଼ ହୋଇଛି । ଏହା ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ମେକ ଇନ ଇଣ୍ଡିଆ ଅଭିଯାନକୁ ମଧ୍ୟ ପ୍ରୋତ୍ସାହିତ କରିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବ୍ରହ୍ମୋସର ସଫଳ ପରୀକ୍ଷଣ ଲାଗି ଡିଆରଡିଓ, ବ୍ରହ୍ମୋସ ଏବଂ ଏଥିରେ ଯୋଗଦାନ ଦେଇଥିବା ଉଦ୍ୟୋଗ ଟିମ୍କୁ ଅଭିନନ୍ଦନ ଜଣାଇଥିଲେ ।

ପ୍ରତିରକ୍ଷା ମନ୍ତ୍ରଣାଳୟର ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ଜୀ. ସତୀଶ ରେଡ୍ଡୀ ମଧ୍ୟ ଏହି ସଫଳ ପରୀକ୍ଷଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ବ୍ରହ୍ମୋସ ମହାନିଦେ୍ର୍ଧଶକ ଡ. ସୁଧୀର କୁମାର ମିଶ୍ର, ଡିଆରଡିଏଲ ନିଦେ୍ର୍ଧଶକ ଡ. ଦଶରଥ ରାମ ଏବଂ ଆଇଟିଆର ନିଦେ୍ର୍ଧଶକ ଡ. ବିକେ ଦାସ ପରୀକ୍ଷଣ ସ୍ଥଳରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ଅଭିଯାନରେ ସମନ୍ୱୟ ପ୍ରତିଷ୍ଠା କରିଥିଲେ । ଭାରତର ମେକ ଇନ ଇଣ୍ଡିଆ କ୍ଷମତା ବୃଦ୍ଧି ଦିଗରେ ଏହା ଏକ ଐତିହାସିକ ଉପଲବ୍ଧି ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଭାରତ ଓ ରୁଷ ଦ୍ୱାରା ମିଳିତ ଭାବେ ବିକଶିତ ବ୍ରହ୍ମୋସ କ୍ଷେପଣାସ୍ତ୍ର ଭାରତୀୟ ସଶସ୍ତ୍ର ସେନାବାହିନୀର ସମସ୍ତ ତିନୋଟି ସେବାରେ ଉପଯୋଗ ହୋଇଛି ।

Leave A Reply

Your email address will not be published.