Latest Odisha News

BREAKING NEWS

କ’ଣ ହେବ ଭାଗ ଚାଷୀଙ୍କ ଭାଗ୍ୟ? ମନ୍ତ୍ରୀ କହିଲେ ମିଳିବନି କ୍ଷତି ପୂରଣ…

ଭୁବନେଶ୍ୱର: ଭାଗ ଚାଷୀଙ୍କୁ ମିଳିବନି କ୍ଷତିପୂରଣ। ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ବାବଦ ସହାୟତା ରାଶି କେବଳ ମୂଳ ଚାଷୀଙ୍କୁ ହିଁ ମିଳିବ। ଏମିତି କିଛି ସ୍ପଷ୍ଟ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ମୂଳ ଚାଷୀ ଭାଗ ଚାଷୀଙ୍କ ସହ କଥା ହୋଇ କ୍ଷତି ପୂରଣ ରାଶି ଆବଣ୍ଟନ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।

ତେବେ ଗତ ବର୍ଷ ଡ଼ିସେମ୍ବରରେ ଅଦିନିଆ ବର୍ଷା ଚାଷୀକୂଳର ବର୍ଷକର ଦାନ ମାରିଥିବା ବେଳେ କ୍ଷୟକ୍ଷତି ଅନୁଧ୍ୟାନ ବାବଦ ମୋଟ ୬ ଲକ୍ଷ ୬୬ ହଜାର ୭୨୦ ଚାଷୀ ଚିହ୍ନଟ ହୋଇଛନ୍ତି। ହେଲେ ସେଥି ମଧ୍ୟରୁ ଭାଗଚାଷୀ କିମ୍ବା ଭୂମିହୀନ ଚିହ୍ନଟ ହୋଇନାହାନ୍ତି। ଏଥିସହିତ ସରକାରୀ ସହୟତା ଭାଗଚାଷୀଙ୍କ ପାଇଁ ନଥିବା ଏକପ୍ରକାର ସ୍ପଷ୍ଟ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ଭାଗଚାଷୀଙ୍କୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିୟମ ନାହିଁ। ତେଣୁ ମୂଳ ଜମି ମାଲିକ ଓ ଭାଗଚାଷୀ ନିଜ ନିଜ ଭିତରେ ଆଲୋଚନା କରି କ୍ଷତିପୂରଣ ରାଶି ବାଣ୍ଟିନେବାକୁ ପରାମର୍ଶ ଦେଇଛନ୍ତି।

ସେପଟେ ରାଜସ୍ବ ମନ୍ତ୍ରୀଙ୍କ ଏପରି ବୟାନକୁ ନେଇ ଏବେ ସରକାରଙ୍କୁ ଘେରିଛି ବିଜେଡ଼ି। ନୂଆ ସରକାର ଭାଗଚାଷୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ନକରି, ହାତ ଛାଡ଼ିଦେଇଛନ୍ତ ବୋଲି କହି ସମାଲୋଚନା କରିଛି। ଏନେଇ ବିଜେଡି ବିଧାୟକ ଶାରଦା ଜେନା କହିଛନ୍ତି, ବିରୋଧୀ ଆସନରେ ଥିଲାବେଳେ ବିଜେପିର ସ୍ୱର ଗୋଟିଏ ଆଉ ସରକାରକୁ ଆସିଲେ ସ୍ୱର ଆଉଗୋଟିଏ। ପୂର୍ବରୁ ଭାଗଚାଷୀଙ୍କ ପାଇଁ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଥିଲା। ଅଧିକାରୀଙ୍କୁ ଲଗାଇ ଫିଜିକାଲ ଭେରିଫିକସନ୍‌ ପରେ ଭାଗଚାଷୀଙ୍କୁ ସହାୟତା ପ୍ରଦାନ କରିବାର ଥିଲା। ହେଲେ ଭାଗଚାଷୀଙ୍କ ହାତ ଛାଡ଼ିଦେଇ ସରକାର ନିଜର ଅସଲ ଚରିତ୍ର ଦେଖାଇଛନ୍ତି ବୋଲି ସେ କହିଛନ୍ତି।

Comments are closed.