Latest Odisha News

ରାଜଧାନୀରେ ଆରମ୍ଭ ହେଲା ଲେନ ଡ୍ରାଇଭ, ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜଧାନୀରେ ଟ୍ରାଫିକ୍‌ ଜାମ୍‌ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣା କମାଇବା ପାଇଁ କମିଶନରେଟ ପୋଲିସର ବଡ଼ ପଦକ୍ଷେପ। ଏହି ପରିପେକ୍ଷୀରେ ପ୍ରଥମଥର ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଲେନ୍‌ ଡ୍ରାଇଭ୍‌। ଏବେ ପ୍ରାଥମିକ ପର୍ଯ୍ୟାୟରେ ଏହା କେବଳ ପ୍ରତି ପ୍ରମୁଖ ଛକ ଓ ବସ୍‌ ଷ୍ଟପେଜ୍‌ ଭଳି ସ୍ଥାନରେ ଲାଗୁ ହେବ। ଏହି ସବୁ ସ୍ଥାନରେ କିଛିଦିନ ପାଇଁ ୧୫୦ ମିଟର ପର୍ଯ୍ୟନ୍ତ ପ୍ଲାଷ୍ଟିକ୍‌ କୋନ୍‌ ରଖାଯିବ।

ଗାଡ଼ିଗୁଡ଼ିକ କୋନ୍‌ରେ ଦର୍ଶାଯାଇଥିବା ଲେନ୍‌ରେ ହିଁ ଯିବେ । ବାଇକ୍‌, କାର୍‌ କିମ୍ବା ଟ୍ରକ୍‌ ପାଇଁ ନିର୍ଦ୍ଧିଷ୍ଟ ଭାବେ ଲେନ୍‌ କରାଯାଇ ନାହିଁ । ତିନୋଟି ଥାକରେ ଲେନ୍‌ ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ଦୁର୍ଘଟଣାର ସଂଖ୍ୟା କମିବ ବୋଲି କମିଶନରେଟ ପୋଲିସ କହିଛି ।

ଏହା ମଧ୍ୟ କୁହାଯାଇଛି ଯେ ଯିଏ ଯେଉଁ ଲେନ୍‌ରେ ଥିବେ, ଟ୍ରାଫିକ୍‌ ଛକ ପୂର୍ବରୁ ସେ ସେହି ଲେନ୍‌ରେ ହିଁ ରହିବେ। ଏହି ସ୍ଥାନରେ କୌଣସି ଗାଡ଼ି ଅନ୍ୟ ଗାଡ଼ିକୁ ଅତିକ୍ରମ କରିପାରିବ ନାହିଁ ବୋଲି ଟ୍ରାଫିକ୍‌ ଡିସିପି କହିଛନ୍ତି। ଏଥିରେ କେହି ନିୟମ ଉଲ୍ଲଂଘନ କଲେ, ସେଠାରେ ଥିବା ଟ୍ରାଫିକ୍‌ ପୋଲିସ କାର୍ଯ୍ୟାନୁଷ୍ଠାନ ନେବେ।

ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ଣରେ ଜୟଦେବବିହାର ଓଭରବ୍ରିଜ୍‌ ନିକଟରେ ପରୀକ୍ଷାମୂଳକ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଛି। ପ୍ରଥମେ କିଛିଦିନ ଲୋକଙ୍କୁ ସଚେତନ କରାଯିବ। ପରବର୍ତ୍ତୀ ସମୟରେ ଏହାକୁ ପ୍ରତି ଛକରେ କଡ଼ାକଡ଼ି ଭାବେ ଲାଗୁ କରାଯିବ ‌ବୋଲି ଡିସିପି କହିଛନ୍ତି ।

Comments are closed.