ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ
ଆମ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାରେ ଏହି ତିନୋଟି ଶିଳାଲେଖ ପ୍ରମାଣିକ ନମୁନା । ଆମ ଲିପିର ପ୍ରାଚୀନତା ଏସବୁରେ ଖୋଦିତ । ପ୍ରାଚୀନତାର ପ୍ରମାଣ ପ୍ରଦର୍ଶନ କରୁଥିବା ଅଶୋକଙ୍କ ଧଉଳି-ଜଉଗଡ଼ ଶିଳାଲେଖରେ ଆଖି, ଇସା, କଳେ, କିଟ, ତିନି, ଦୁବେ, ହସ, ନିଲଠା, ପୁଠିବି, ପଟିକା, ବୁଢ଼, ବାମନ, ମନିସ, ମାଝି, ମହାମାତର ବ୍ୟବହାର ଦେଖାଯାଏ । ଏ ପର୍ଯ୍ୟନ୍ତ ଆମ ରାଜ୍ୟରେ ସମୁଦାୟ ଅଶିଟି ଶିଳାଲେଖର ପାଠୋଦ୍ଧାର ହୋଇପାରିଛି ।
ଆମ ଅଭିଲେଖର ଭାଷା କଥା ବିଚାର କଲାବେଳେ କେତୋଟି ନିର୍ଦ୍ଦିଷ୍ଟ ଶିଳାଲେଖର ସମୟ, ବୈଶିଷ୍ଟ୍ୟ ବିଷୟ ଉପରେ ସାମାନ୍ୟ ଆଲୋକପାତ କରିବା – (୧) ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିର କାନ୍ଥରେ ୨୮ ଙ୍ଘ ୧୯’ ପରିମିତ ସ୍ଥାନରେ ନଅ ଧାଡ଼ିରେ ଲେଖାଥିବା କଥାର ପାଠୋଦ୍ଧାର ହୋଇଛି । ଏ ବିଷୟରେ ଭାରତବର୍ଷର ବିଖ୍ୟାତ ଲିପିତତ୍ତ୍ୱବିତ୍ ଦୀନେଶ ଚନ୍ଦ୍ର ସରଙ୍ଗର ଇଂରାଜୀରେ ଓ ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ କେଦାରନାଥ ମହାପାତ୍ର, ଓଡ଼ିଆରେ ଆଲୋଚନା କରିଛନ୍ତି । ଶିଳାଲେଖଟିର ଭାଷା ସଂସ୍କୃତ, ଲିପି ନାଗରୀ ଓ ଏହା ବୈଶାଖ ମାସ କୃଷ୍ଣପକ୍ଷ ପ୍ରଥମ ଦିନ, ବୁଧବାରରେ ଲିଖିତ ଅନନ୍ତ ବର୍ମନ ଚୋଡ଼ଗଙ୍ଗଙ୍କ ଶାସନକାଳୀନ ଶିଳାଲେଖ, (୨) ଗୋପୀନାଥପୁର ଶିଳାଲେଖ, ଯାହାକି ପୁରୁଣା ଜଗନ୍ନାଥ ସଡ଼କରେ ଥିବା ଗୋପୀନାଥପୁର ଜଗନ୍ନାଥ ମନ୍ଦିର କାନ୍ଥରେ ଲେଖାଥିବା ସମୁଦାୟ ୩୦ ଧାଡ଼ି ବିଶିଷ୍ଟ ଲେଖା, ଯାହାର ଲିପି ପ୍ରତ୍ନ ଓଡ଼ିଆ ଓ ଭାଷା ସଂସ୍କୃତ । ଏହା ଗଜପତି କପିଳେଶ୍ୱର ଦେବଭ୍କ ସମୟର ଶିଳାଲିପି । ଏ ବିଷୟରେ ବାଗ୍ମୀ ବିଶ୍ୱନାଥ କର, ‘ଉତ୍କଳ ସାହିତ୍ୟ’ର ସଂଖ୍ୟା ୯, ଭାଗ ୩ (ଆଶ୍ୱିନ, ୧୩୦୭ ସାଲ)ରେ ‘ଗୋପୀନାଥପୁରର ଶିଳାଲିପି’ ଲେଖାରେ ଆଲୋଚନା କରିଛନ୍ତି । (୩) ଶ୍ରୀଜଙ୍ଗ ଶିଳାଲେଖ, ଯାହା ଅଧୁନା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ, ଏହାର ଭାଷା ଓ ଲିପି ଓଡ଼ିଆ, ୫୨ ଗ ୧୧’ ପରିମିତ ସ୍ଥାନରେ ସମୁଦାୟ ୪୧ଟି ଧାଡ଼ି ଲେଖାଯାଇଛି । ଏହା ଗଜପତି ରାମଚନ୍ଦ୍ରଦେବଙ୍କ ଶାସନ କାଳୀନ ଶିଳାଲେଖ । ଏ ବିଷୟରେ ବିଦେଶୀ ବିଦ୍ୱାନ୍ ଜନ୍ ବୀମ୍ସ ଓ ଭାରତବର୍ଷର ବିଖ୍ୟାତ ଲିପିତତ୍ତ୍ୱବିତ୍ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ ଆଲୋଚନା କରିଛନ୍ତି । (୪) ମଧୁକେଶ୍ୱର ମନ୍ଦିର ଶିଳାଲେଖ, ମୁଖଲିଙ୍ଗମ୍ରେ ସମୁଦାୟ ୧୨ ଧାଡ଼ିର ଲେଖା, ଯାହାର ଲିପି ଓ ଭାଷା ତେଲୁଗୁ । ଶକାବ୍ଦ ୧୦୦୪ ର ଏହି ଶିଳାଲେଖ ଅନନ୍ତବର୍ମନ୍ ଚୋଡ଼ଗଙ୍ଗ ଦେବଙ୍କ ଶାସନକାଳୀନ ଶିଳାଲେଖ । (୫) ଶକାବ୍ଦ ୧୧୮୨ର ସିହାଚଳମସ୍ଥିତ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିର ଶିଳାଲେଖଟି ଦ୍ୱିଭାଷୀ । ଏଥିରେ ସଂସ୍କୃତ ଓ ତେଲୁଗୁ ଭାଷାର ବ୍ୟବହାର ହୋଇଛି । ତେବେ ଏହାର ଲିପି ତେଲୁଗୁ । ସମୁଦାୟ ୨୮ଟି ଧାଡ଼ିଥିବା ଏହି ଲେଖାଯି କୁମ୍ଭ (ଫାଲଗୁନ) କୃଷ୍ଣପକ୍ଷ ତୃତୀୟ ଦିନ, ଶୁକ୍ରବାରରେ ଲେଖା ହୋଇଥିଲ।
ଏମିତି ଅନେକ ଶିଳାଲେଖ ଓ ସନନ୍ଦରେ ଆମ ଭାଷା, ଲିପିର ପ୍ରାଚୀନତାର ପ୍ରମାଣ ରହିଥିବା କଥା ଆମେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଲେଖାଥିବା ଅସଂଖ୍ୟ ଲେଖା ସହ ପାଠ ଉଦ୍ଧାର ହୋଇ ଆଲୋଚନା ହୋଇଥିବା ଗବେଷଣାମୂଳକ ରଚନା ଗୁଡ଼ିକରେ ମଧ୍ୟ ସ୍ପଷ୍ଟ ସୂଚନା ରହିଛି । ଦେଶୀ ଓ ବିଦେଶୀ ବିଦ୍ୱାନ୍ ମାନଙ୍କର ଏ ସମ୍ବନ୍ଧରେ ଗବେଷଣା ବିସ୍ମୟକର । ଦେଶର ବହୁ ବିଦ୍ୱାନ୍, ଲିପିତତ୍ତ୍ୱବିତ୍ ଏହିସବୁ ଶିଳାଲେଖ ଉପରେ ମତମନ୍ତବ୍ୟ ଦେଇଛନ୍ତି । ଓଡ଼ିଶାର ବିଶିଷ୍ଟ ଗବେଷକ ଡକ୍ଟର ବେଣୀ ମାଧବ ପାଢ଼ୀ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଧର୍ମଧାରା’ରେ ଯଥାର୍ଥରେ ଉଲ୍ଲେଖ କରିଛନ୍ତି ଯେ, “ଜନସାଧାରଣଙ୍କ ଗୋଚରାର୍ଥେ ଲିଖିତ ରାଜାଦେଶ ଓ ସରକାରୀ ଇସ୍ତାହାର ଦେଶୀୟ ଭାଷାରେ ଲେଖାହେବା ଯୁକ୍ତିସଙ୍ଗତ । ନଚେତ୍ ଅନୁଶାସନର ଅର୍ଥ ବୁଝି ରାଜାଦେଶ ପାଳନ କରିବାରେ ସେମାନେ ସମର୍ଥ ହୋଇନଥାନ୍ତେ ।
ଅଶୋକଙ୍କ ଏକାଧିକ ଶିଳାଲିପି ଭାରତର ବିଭିନ୍ନ ପ୍ରାନ୍ତରରେ ଅବସ୍ଥାପିତ ହୋଇଥିଲା ଏବଂ ପ୍ରତ୍ୟେକର ଭାଷାରେ ବିଭିନ୍ନତା ପରିଲକ୍ଷିତ ହୁଏ । ଆଞ୍ଚଳିକ ବୈଷମ୍ୟ ନେଇ ଧଉଳି ଓ ଜଉଗଡ଼ର ଶିଳାଲିପି ଅଶୋକଙ୍କ କାଳରେ ପ୍ରଚଳିତ ଥିବା ଓଡ୍ରମାଗଧୀର ପରିଚୟ ପ୍ରଦାନ କରେ ।” (ପୃଷ୍ଠା-୬) ଆମ ଅଭିଲେଖର ଅନୁଶୀଳନ ବେଳେ ବହୁ ବୈଶିଷ୍ଟ୍ୟ ନଜରକୁ ଆସିଥାଏ । ଯେମିତିକି ଅଧିକାଂଶ ଶିଳାଲେଖରେ ‘ଅଙ୍କ’ ଦେଖିବାକୁ ମିଳେ, କେତେକ ଶିଳାଲେଖରେ ‘ଶକାବ୍ଦ’ର ସୂଚନା ରହିଛି । କର୍ତ୍ତୃବାଚ୍ୟରେ ପ୍ରଥମା ବିଭକ୍ତିରେ ବହୁବଚନ ଭାବେ . ମାନେ, ମାନଯାକ ଆଦି ବ୍ୟବହାର ହୋଇଥିବାବେଳେ ସମ୍ମାନାର୍ଥେ ଏ’ ମଧ୍ୟ ଏକବଚନରେ ବ୍ୟବହାର କରାଯାଇଛି – କପିଳେଶ୍ୱର ରାଜାଏ ଦିଲେ । ସେମିତି କର୍ମକାରକରେ – କୁ,ନ୍ତି, ସଂପ୍ରଦାନକାରକରେ କୁ, କି, କଇ, କୈ, କେ, ଙ୍କୁ, ଙ୍କୀ, ଙ୍କର, କରଣକାରକରେ- ଏଁ, ଏ, ଅପାଦାନକାରକରେ ତହୁଁ, ହୁଁ, ଉ, ଉଁ, ଠୋ, ରୁ, ରୁ ଠାରୁ, ଷଷ୍ଠୀ ବିଭକ୍ତିରେ – ସ, ର, କୋ, ଙ୍କ, ଙ୍କର, ଙ୍କରି, ମାନର, ମାନଙ୍କର, ଅଧିକରଣକାରକରେ – ଏ, ଏଁ, ରେ, ମାନଙ୍କରେ ଓ ସମ୍ବୋଧନ ପଦରେ ଭୋ ବ୍ୟବହାର ଦେଖାଯାଏ । ଆମ ଅଭିଲେଖଗୁଡ଼ିକରେ ‘କୁ’ ଅପେକ୍ଷା କୈ ବା କଇ’ର ବ୍ୟବହାର ହୋଇଥିବା ଲକ୍ଷ୍ୟ କରାଯାଏ । ଭାରତର ପ୍ରଖ୍ୟାତ ଲିପିତତ୍ତ୍ୱବିତ୍ ଦୀନେଶ ଚନ୍ଦ୍ର ସରକାର, ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ କେଦାରନାଥ ମହାପାତ୍ର, ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ, ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ, ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ ପ୍ରମୁଖ ବହୁ ବିଦ୍ୱାନ୍ ଓଡ଼ିଆ ଅଭିଲେଖର ଭାଷା ବିଷୟରେ ଆଲୋଚନା କରି ଏହାର କ୍ରମବିକାଶ କଥା ସଦୃଷ୍ଟାନ୍ତ ବୁଝାଇଛନ୍ତି । ଗଞ୍ଜାମ, ଜଉଗଡ଼ର ୫୬୯-୭୦ର ଧର୍ମରାଜ ତାମ୍ରପତ୍ର, ବାଲେଶ୍ୱର, ସୋରର ଶାମଭୂଷଣ୍ଡ ତାମ୍ରପତ୍ର (ଆନୁମାନିକ ସମୟ ୫୭୯-୮୦), ପୁରୀ, କଣାସର ୫୯୯ର ଭୋଜବିଗ୍ରହ ତାମ୍ରପତ୍ର, ଗଞ୍ଜାମର ୬୧୯-୨୦ ର ମହାସାମନ୍ତ ମାଧବରାଜ ତାମ୍ରପତ୍ର ସମେତ ୧୦୫୧ ରୁ ୧୫୬୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ଗଙ୍ଗବଂଶ ଶାସନକାଳୀନ ୧୮ ଓ ସୂର୍ଯ୍ୟବଂଶ ଶାସନକାଳୀନ ୫୦ ଶିଳାଲେଖରେ ଆମ ଭାଷାର କ୍ରମବିକାଶ ଧାରାବାହିକ ଭାବେ କିଭଳି ହୋଇଛି ଏବଂ ଲିପି ଓ ଭାଷାର ଏହି ଉନ୍ମେଷ ଓ ବିକାଶ ଦେଖିଲେ ବିସ୍ମିତ ହେବାକୁ ହୁଏ ।
ଓଡ଼ିଆ ଅଭିଲେଖରେ ବ୍ୟବହାର ହୋଇଥିବା ‘ପଛ’ ଗୋଟିଏ ଦୃଷ୍ଟାନ୍ତ ଯାହାକି ଉଭୟ ପଛପଟ ଓ ପରେ, ଉଭୟ ଅର୍ଥରେ ବ୍ୟବହାର ହୋଇଛି । ଗଙ୍ଗବଂଶୀ ପଞ୍ଚମ ବଜ୍ରହସ୍ତଦେବ, ୧୦୭୦ ଖ୍ରୀଷ୍ଟାବ୍ଦରେ ମୁଖଲିଙ୍ଗ ଶିବମନ୍ଦିରରେ ଖୋଦିତ କରିଥିବା ଏକ ତ୍ରିଭାଷୀ ଶିଳାଲେଖରେ ସଂସ୍କୃତ ଓ ତେଲୁଗୁ ଭାଷା ସହ ଓଡ଼ିଆ ଗଦ୍ୟର ପ୍ରମାଣ ମିଳୁଥିବାବେଳେ ପ୍ରଥମ ନରସିଂହଦେବ, ୧୨୪୬ ଖ୍ରୀଷ୍ଟାବ୍ଦରେ କପିଳାସ ଦଧିନଉତି ଶିଳାଲେଖରେ ଦସ (ଦଶ), ସମର, କାରଣ, ରାଜା, ଗଜପ୍ତି (ଗଜପତି), ବିଜୟ, ନରକ, ତୁଳସୀ ଆଦି ଅନେକ ଓଡ଼ିଆ ଶବ୍ଦ ଖୋଦିତ କରିଛନ୍ତି । ସେହିଭଳି ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିର ଶିଳାଲେଖ, ଯାହାକି ୧୭୭୮ ଖ୍ରୀଷ୍ଟାବ୍ଦରେ ଖୋଦିତ ହୋଇଥିଲା, ସେଥିରେ ଓଡ଼ିଆ ଶବ୍ଦ ଥିବା କଥା ଆମେ ଆଲୋଚନା କଲ । ସୋମବଂଶୀ ଇନ୍ଦ୍ରରଥଙ୍କ ବାଣପୁର ତାମ୍ରଶାସନ, ଗଙ୍ଗବଂଶ କାଳୀନ ମେଘେଶ୍ୱର ମନ୍ଦିର ଶିଳାଲେଖ, ପ୍ରଥମ ଭାନୁଦେବଙ୍କ ଅମରେଶ୍ୱର ମନ୍ଦିର ଶିଳାଲେଖ, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ମଧ୍ୟରେ ଥିବା ପାର୍ବତୀ ମନ୍ଦିର ଶିଳାଲେଖ ଆଦି ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆବିଷ୍କୃତ ଓ ପାଠୋଦ୍ଧାର ହୋଇଥିବା ଅଭିଲେଖାଗୁଡ଼ିକର ଭାଷାତାତ୍ତ୍ୱିକ ଅଧ୍ୟୟନରୁ ସ୍ପଷ୍ଟ ହୁଏ ଯେ, ଆମ ଭାଷା ପ୍ରାଚୀନ ଓ ସମୃଦ୍ଧ ଭାଷା । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଅଶୋକଙ୍କ ଧଉଳି ଓ ଜଉଗଡ଼ ଶିଳାଲେଖଠାରୁ ଆରମ୍ଭ କରି ୧୦୫୧ ର ଉର୍ଜାମ ଶିଳାଲେଖ ଓ ପରବର୍ତ୍ତୀ କାଳରେ ଓଡ଼ିଆ ଲିପି ଓ ଭାଷାର ବିକାଶଧାରା ସମୟସ୍ରୋତରେ ଗତିଶୀଳ ଓ କ୍ରମବିକଶିତ ହୋଇ ପୂର୍ଣ୍ଣାଙ୍ଗ ହୋଇପାରିଛି । ଏହା ଆମ ଭୂମି ଓ ଭାଷାର ସଂପଦ, ଗୌରବ ।
ସହାୟକ ସୂଚୀ
ସତ୍ୟନାରାୟଣ ରାଜଗୁରୁ, ଉତ୍କଳୀୟ ଲିପିତତ୍ତ୍ୱ, ‘ସହକାର’ ଏକାଦଶ ଭାଗ, ଏକାଦଶ ସଂଖ୍ୟା, ଫାଲ୍ଗୁନ ୧୩୩୮, ପୃଷ୍ଠା-୪୮୩-୪୮୭ ।
ସତ୍ୟନାରାୟଣ ରାଜଗୁରୁ, ଓଡ଼ିଆ ଲିପିର କ୍ରମବିକାଶ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୯୬୦ ।
କୁଞ୍ଜବିହାରୀ ତ୍ରିପାଠୀ, ୧୯୬୨ ।
ବରିଷ୍ଠ ଗବେଷକ,
ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର,
ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାର,
ଭୁବନେଶ୍ୱର-୭୫୧୦୦୯
Comments are closed.