ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ହନୁମାନ ନାମକ ବାନର ରାମଦୂତ ହୋଇ ଆସିଥିଲା। ଲଙ୍କା ଦହନ କରି ଫେରିଗଲା। ସେତେବେଳେ ତ ତାକୁ କେହି ଭୋଜନ କରି ପାରିଲେ ନାହିଁ। ବିଶାଳ ସାଗର ଉପରେ ମାତ୍ର ପାଞ୍ଚଦିନରେ ସେତୁବନ୍ଧ ନିର୍ମାଣ କରିବା କ’ଣ ସହଜ କଥା !! ଶତ୍ରୁର ଶକ୍ତିକୁ ନଗଣ୍ୟ ମନେ କରିବା ହୁଏତ ଆମର ଭୁଲ ହୋଇପାରେ। ! ”
ହେ ପିତା ! ମୋତେ ଭୀରୁ ଭାବନ୍ତୁ ନାହିଁ। ନୀତି କହୁଛି, ପ୍ରଥମେ ଦୂତ ପଠାଯାଉ। ସୀତାଙ୍କୁ ସମର୍ପି ଦେଇ ଶ୍ରୀରାମଙ୍କର ସହିତ ବନ୍ଧୁତା କରିବା ଉଚିତ ନିଷ୍ପତ୍ତି ହେବ। ମିଠା କହୁଥିବା ମନ୍ତ୍ରୀମାନଙ୍କର ବଚନ ଶୁଣନ୍ତୁ ନାହିଁ। କଠୋର ବଚନ ଯଦି ହିତକାରୀ ହୁଏ, ତାହା ଗ୍ରହଣ କରିବା ଉଚିତ ।
ଯଦି ସେ ସୀତାଙ୍କୁ ପାଇ ଫେରିଗଲେ ତେବେ ଭଲ କଥା। ଅନ୍ୟଥା ଯୁଦ୍ଧଭୂମିରେ ବୀରତ୍ୱର ସହ ଯୁଦ୍ଧ କରିବା । ”
କ୍ରୋଧରେ ଅନ୍ଧ ରାବଣ ସଭାସ୍ଥାନ ପରିତ୍ୟାଗ କରୁ କରୁ କହିଲେ, ” ମୂର୍ଖ ! କୁଳର କଳଙ୍କ ଏ !
ରାତ୍ରି ଅନେକ ହେଲେ ମଧ୍ୟ ନିଦ୍ରାଦେବୀ ସୁଲୋଚନାଙ୍କର ପଲକକୁ ସ୍ପର୍ଶ କରି ପାରୁନାହାଁନ୍ତି। ଲଙ୍କାରେ ଏବେ ନାନା ପ୍ରକାରର ଅଘଟଣ ସବୁ ଘଟୁଛି। ସତୀ ସୀତାଙ୍କର ଦୀର୍ଘଶ୍ୱାସରେ ଲଙ୍କାନଗରୀ ଜଳି ପୋଡ଼ି ଛାରଖାର ହୋଇଯିବନି ତ !! ନା .. ନା.. ଏପରି ଅଶୁଭ ଭାବନା ମନରେ ଆଣିବା ଅନୁଚିତ। ଚମକି ଉଠିଲେ ସୁଲୋଚନା।
ଗତକାଲିର ଘଟଣା ଦୋହଲେଇ ଦେଇଛି ସ୍ଵୟଂ ଲଙ୍କେଶ୍ୱରଙ୍କୁ। ନୃତ୍ୟ ସଙ୍ଗୀତର ଆସରକୁ ଉପଭୋଗ କରୁଥାନ୍ତି ମନ୍ଦୋଦରୀଙ୍କ ସହିତ ରାବଣ। ରାଜପରିବାରର ସମସ୍ତେ ପ୍ରାୟ ଉପସ୍ଥିତ ଥିଲେ। ଅଚାନକ ରାବଣର ଛତ୍ରମୁକୁଟ ଏବଂ ମନ୍ଦୋଦରୀଙ୍କର କର୍ଣ୍ଣ ଆଭୂଷଣ କଟି ଭୂପତିତ ହେଲା। ଶ୍ରୀରାମଙ୍କ ଦ୍ୱାରା ନିକ୍ଷେପ କରାଯାଇଥିବା ଏକ ଶର ଦ୍ୱାରା ରାବଣ ସଭାର ରଙ୍ଗ ଭଙ୍ଗ ହେବା ଦେଖି ଭୟଭୀତ ହୋଇଯାଇଥିଲେ ସମସ୍ତେ।