ବାଲିପାଟଣା: ବାଲିପାଟଣା ଅଞ୍ଚଳରୁ ବିପୁଳ ପରିମାଣର ନକଲି ବିସ୍କୁଟ ଜବତ ହୋଇଛି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ବାଲିପାଟଣା ପୋଲିସ । ଆଜି ଟ୍ରକରୁ ବିସ୍କୁଟ ଖାଲି ହେବା ସମୟରେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ । ଏହା ପରେ ପୋଲିସକୁ ଖବର ଦେଇଥିଲେ । ବେପାରୀ ଏବଂ ଟ୍ରକ ଚାଳକ ଗାଡ଼ି ନେଇ ଏକ ଅପରିତ୍ୟକ୍ତ ସ୍ଥାନକୁ ଚାଲିଯାଇଥିଲେ । ପୋଲିସ ପିଛା କରି ସେମାନଙ୍କୁ ଧରିବାରେ ସଫଳ ହୋଇଛି ।
ସୂଚନା ଅନୁସାରେ, ନିମାପଡା ରାସ୍ତାର ବାଲିପାଟଣା ଛକ ନିକଟରେ କୃଷ୍ଣ ଚନ୍ଦ୍ର ସାହୁ ଦୀର୍ଘ ବର୍ଷ ହେଲା ବିଭିନ୍ନ ବ୍ୟବସାୟ କରୁଥିଲେ । କିଛି ବର୍ଷ ହେଲା ସମୟ ଅବଧି ନ ଥିବା ବିସ୍କୁଟ ଆଣି ଘରେ ଗଛିତ ରଖି ଏହାକୁ ନୂଆ ପ୍ୟାକିଙ୍ଗ କରି ବଜାରରେ ବିକ୍ରି କରୁଥିଲେ । କୃଷ୍ଣଙ୍କ ଘରେ ବିସ୍କୁଟ ପେଟି ଖାଲି ହେଉଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ଦେଖିଥିଲେ । ଅଧିକ ଖୋଳତାଡ଼ ପରେ ୨୦୨୧/୨୨ ମସିହାରୁ ତାରିଖ ସରି ଯାଇଥିବା ବିସ୍କୁଟକୁ ନୂଆ ପ୍ୟାକିଙ୍ଗ କରି ସ୍ଥାନୀୟ ବଜାରମାନଙ୍କରେ ବିକ୍ରି କରୁଥିବା ଜଣା ପଡିଛି ।
ପୋଲିସ ଆସିବା ଜାଣିପାରି କୃଷ୍ଣ ବିସ୍କୁଟ ବୋଝଇ ଟ୍ରକକୁ ଫେରାର କରିବାକୁ ଉଦ୍ୟମ କରି ଗାରେଡିପାଞ୍ଚଣ ନିକଟରେ ଥିବା ଇଟା ଭାଟି ରାସ୍ତାର ଏକ ଜଙ୍ଗଲ ଭିତରେ ପକାଇ ଦେଇଥିଲେ । ଏହି ବିସ୍କୁଟଗୁଡ଼ିକ ବିଭିନ୍ନ ଦାମୀରେ କମ୍ପାନିର ଲୋଗୋ ଅଛି । ପୋଲିସ ଉକ୍ତ ଟ୍ରକକୁ ଜବତ କରିବା ସହ କୃଷ୍ଣ, ଗାଡି ଡ୍ରାଇଭର ଏବଂ ହେଲପେରକୁ ଥାନାରେ ଅଟକ ରଖିଛି ।