ନୂଆଦିଲ୍ଲୀ:ପାକିସ୍ତାନର ଇସଲାମାବାଦସ୍ଥିତ ଏକ ମସଜିଦରୁ ଆତଙ୍କବାଦୀ ସଂଗଠନ ‘ଲସ୍କର-ଏ-ତୈବା’ (Lashkar-e-Taiba)ର ଜଣେ ବରିଷ୍ଠ କମାଣ୍ଡରର ମୃତଦେହ ସନ୍ଦେହଜନକ ପରିସ୍ଥିତିରେ ଉଦ୍ଧାର କରାଯାଇଛି । କମାଣ୍ଡର କାରୀ ସଇଦ୍ ଅବଦୁଲ୍ ଅଜିଜ୍ କୁବା ମସଜିଦରେ ନମାଜ ପାଠ କରିବା ପୂର୍ବରୁ ଏକ ଅଜ୍ଞାତ ରେସ୍ତୋରାଁରେ ଖାଦ୍ୟ ଗ୍ରହଣ କରିଥିଲା। ତା’ପରେ ସେ ହଠାତ୍ ମସଜିଦର ପ୍ରବେଶ ପଥରେ ତଳେ ପଡ଼ିଯାଇଥିଲା ଏବଂ ସେଠାରେ ମୃତ୍ୟୁ ହୋଇଥିଲା। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ଜମ୍ମୁ ଓ କାଶ୍ମୀରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ପରିବାରକୁ ସହାୟତା ଯୋଗାଉଥିବା ଲଶ୍କରର ବିଭାଗ ଦାୟିତ୍ୱରେ କାରି ସଇଦ୍ ଥିଲା।
ହଠାତ୍ ମୃତ୍ୟୁ ଖବର ଏପରି ଏକ ସମୟରେ ଆସିଛି, ଯେତେବେଳେ ଲସ୍କରର ଜଣେ ବରିଷ୍ଠ ସଦସ୍ୟ ଦାବି କରିଥିଲା ଯେ “ଅଜ୍ଞାତ ବ୍ୟକ୍ତି” ପାକିସ୍ତାନ ଭିତରେ ସଂଗଠନର ପ୍ରାୟ ୩୦ ଜଣ ସଦସ୍ୟଙ୍କୁ ହତ୍ୟା କରିଛନ୍ତି।
ସୂତ୍ର ଅନୁଯାୟୀ, କାରୀ ସଇଦ୍ ୧୯୯୦ ମସିହାରୁ ଆତଙ୍କବାଦୀ ହାଫିଜ୍ ସଇଦ୍ ର ସହ ଜଡ଼ିତ ଥିଲା ଏବଂ ଜଣେ ପ୍ରମୁଖ କମାଣ୍ଡର ଭାବରେ କାର୍ଯ୍ୟ କରୁଥିଲା। କାରୀ ସଇଦ୍ (ଯିଏ ଅବଦୁଲ୍ ଅଜିଜ୍ ନାମରେ ମଧ୍ୟ ଜଣାଶୁଣା) ୨୦୧୭ ପର୍ଯ୍ୟନ୍ତ ଜଣେ ସକ୍ରିୟ ଆତଙ୍କବାଦୀ ଭାବରେ କାର୍ଯ୍ୟ କରିଥିଲା ଏବଂ ମୁଖ୍ୟତଃ ‘ଲସ୍କର-ଏ-ତୈବା’ ପାଇଁ ଆତଙ୍କବାଦୀ ନିଯୁକ୍ତ କରିବାର ଦାୟିତ୍ୱ ତୁଲାଉଥିଲା। ପରବର୍ତ୍ତୀ ସମୟରେ, ସଂଗଠନ ପ୍ରଶାସନିକ ଦାୟିତ୍ୱ ପ୍ରଦାନ କରିଥିଲା; ଏହି ଦାୟିତ୍ୱ ମଧ୍ୟରେ ଦକ୍ଷିଣ ପଞ୍ଜାବର ମୁଲତାନ, ବାହାୱାଲପୁର ଏବଂ ଡେରା ଗାଜି ଖାନ୍ ଜିଲ୍ଲାର ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ କରିବା ଏବଂ ଭାରତରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ପରିବାରକୁ ମାସିକ ପେନ୍ସନ୍ ବଣ୍ଟନ କରିବା ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତ ଥିଲା।
