Latest Odisha News

ପୌର ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର : ଭୋଟରଙ୍କୁ ମନେଇବାକୁ ପ୍ରାର୍ଥୀଙ୍କ ପାଖରେ ଗୋଟିଏ ଦିନ

ପୌର ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ସନ୍ଧ୍ୟା ୫ଟା ସୁଦ୍ଧା ପ୍ରଚାର ଶେଷ ହେବ । ଆଉ ଆସନ୍ତା ଗୁରୁବାର ଭୋଟ ପଡିବ । ଶେଷ ସମୟରେ ଭୋଟରଙ୍କୁ ମନେଇବା ପାଇଁ ହେଭିୱେଟ ନେତା ଦଳୀୟ ପ୍ରାର୍ଥୀଙ୍କ ପାଇଁ  ପ୍ରଚାର କରୁଛନ୍ତି ।

ଜନ ସମର୍ଥନ ସାଉଁଟିବାକୁ ବିଭିନ୍ନ ମୁଦ୍ଦା ନେଇ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରାର୍ଥୀ । ଭୁବନେଶ୍ବର, କଟକ ଓ ବ୍ରହ୍ମପୁରରେ ଜୋରଦାର ଚାଲିଛି ପ୍ରଚାର । ଘରକୁ ଘର ବୁଲି ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜେଡି , ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମଇଦାନରେ ପୁରା ଦମ୍ ଲଗାଇଦେଇଛନ୍ତି। ମହାନଗର ନିଗମ ନିର୍ବାଚନ ପାଇଁ ଏବେ ସହର ରାଜନୀତି ଚଳଚଞ୍ଚଳ ହୋଇପଡିଛି।

ଘରକୁ ଘର ବୁଲିବା ସହ, ପାର୍କ, ହାଟ ବଜାର, ଜନଗହଳିପୂର୍ଣ୍ଣ ସ୍ଥାନ, ଚା ଖଟିରେ ପ୍ରଚାର ଜମୁଛି। ନିଜ ନିଜ ସମର୍ଥକଙ୍କ ସହ ପଦଯାତ୍ରା, ରାଲି କରି ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ପ୍ରଚାରରେ କଂପୁଛି ବଜାର ଘାଟ ଗଳି କନ୍ଦି । ସମର୍ଥକଙ୍କୁ ଧରି ପ୍ରଚାରରେ ବ୍ୟସ୍ତ ପ୍ରାର୍ଥୀ । ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିଜ ସପକ୍ଷରେ ଭୋଟ ଦେବାକୁ ଭୋଟରଙ୍କୁ ମନାଇବାରେ ବ୍ୟସ୍ତ ।

୨୪ତାରିଖରେ ନିର୍ବାଚନ ହେବାକୁ ଥିବାରୁ ଆଜି ସଂଧ୍ୟା ୫ଟାରୁ ପ୍ରଚାର ବନ୍ଦ ହେବ। ଏହାପରେ କୌଣସି ପ୍ରାର୍ଥୀ, ରାଜନୈତିକ ଦଳ କୌଣସି ପ୍ରକାରର ସଭାସମିତି, ପ୍ରଚାର ଆଦି କରିପାରିବେନି। ଯେଉଁ ଅଞ୍ଚଳରେ ନିର୍ବାଚନ ହେଉଥିବ ସେଠାରେ ବାହାର ଅଞ୍ଚଳର ରାଜନେତା ରହିବେ ନାହିଁ।

ସେହିପରି ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ହେଉଥିବା ସମସ୍ତ ସହରାଞ୍ଚଳରେ ୫ଦିନ ପାଇଁ ମଦ ବିକ୍ରି ଉପରେ ରୋକ୍ ଲାଗିଛି। ଆଜି ସଂଧ୍ୟା ୫ଟାରୁ ୨୬ତାରିଖ ପର୍ଯ୍ୟନ୍ତ କୌଣସି ମଦ ଦୋକାନ, ରେସ୍ତୋରାଁ, ହୋଟେଲ, ତାରକା ହୋଟେଲ, କ୍ଲବରେ ମଦ ବିକ୍ରି ହୋଇପାରିବନି ବୋଲି କୁହାଯାଇଛି।

Comments are closed.